ଭୁବନେଶ୍ୱର : ପର୍ଯ୍ୟଟକମାନଙ୍କ ଆକର୍ଷଣର ଅନ୍ୟତମ କେନ୍ଦ୍ରବିନ୍ଦୁ ଅଟ୍ରି ଉଷ୍ମ ପ୍ରସ୍ରବଣ ଏବେ ସର୍ବନିମ୍ନ ସୁବିଧା ସୁଯୋଗରୁ ବଞ୍ଚିତ । ରାଜଧାନୀର ଅନତି ଦୂରରେ ରାଜ୍ୟ ପର୍ଯ୍ୟଟନ ବିଭାଗ ହାତରେ ଥିବା ଏହି ପର୍ଯ୍ୟଟନସ୍ଥଳୀ ବ୍ୟାପକ ଅର୍ଥ ବ୍ୟୟ ସତ୍ୱେ ଲୋକେ ପର୍ଯ୍ୟଟକମାନେ ତାହାର ସୁଫଳ ପାଇପାରୁ ନାହାନ୍ତି ।
ଏହି ପର୍ଯ୍ୟଟନସ୍ଥଳୀକୁ ଆସୁଥିବା ଲୋକଙ୍କ ପାଇଁ ରହିଛି ଏକ ପାନ୍ଥ ନିବାସ । ହେଲେ ଏହାର ତାଲା ଖୋଲାଯାଉ ନାହିଁ । କାରଣ ଏଠାରେ ଝାଡୁ ମାରିବାକୁ ବି କର୍ମଚାରୀ ନାହାନ୍ତି । କାନ୍ଥରୁ ପଲସ୍ତରା ଛାଡିଲାଣି । ତେଣୁ ଦୀର୍ଘଦିନ ହେଲା ଏହା ପରିତ୍ୟକ୍ତ ହୋଇ ପଡି ରହିଛି । ଯଦି କୌଣସି ପର୍ଯ୍ୟଟକ ଆସି ଏଠାରେ ରହିବାକୁ କିମ୍ବା ବିଶ୍ରାମ ନେବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ନିରାଶ ହେବାକୁ ପଡୁଛି ।
ସେହିଭଳି ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ଲାଗି କର୍ତ୍ତୃପକ୍ଷ କେତେକ ଶୌଚାଳୟ ନିର୍ମାଣ କରିଛନ୍ତି । ଏଥିପାଇଁ ୨୦ଲକ୍ଷରୁ ଅଧିକ ଅର୍ଥ ବ୍ୟୟ ହୋଇଛି । ହେଲେ ନିର୍ମାଣ ସରିବା ପରଠାରୁ ଏଠାରେ ବି ତାଲା ପଡି ରହିଛି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନବ ନିର୍ମିତ ଶୌଚାଳୟ ଏବେ ଭୂତ କୋଠି ପାଲଟିଛି । ଅନାବନା ଗଛଲତା ଏହା ଉପରେ ମାଡିଗଲାଣି । ଚକ ଚକିଆ ଶୌଚାଳୟ ଚାରିପଟେ ଏବେ ଜଙ୍ଗଲ । ଶୌଚାଳୟ ସୁବିଧା ନଥିବାରୁ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଏଣେ ତେଣେ ନିଜର ନିତ୍ୟକର୍ମ ସାରୁଛନ୍ତି ।
ସେହିଭଳି ଏହି ଉଷ୍ମ ପ୍ରସ୍ରବଣ ପରିସର ଅରମା ଘାସରେ ପରିପୂର୍ଣ୍ଣ । ପକାଯାଇଥିବା ପଥର ସବୁ ଭାଙ୍ଗି ଗଲାଣି । ସର୍ବମୋଟ୍ ଦୁଇ ଜଣ କର୍ମଚାରୀଙ୍କ ଦାୟିତ୍ୱରେ ଏହି ପର୍ଯ୍ୟଟନ କେନ୍ଦ୍ର ରହିଛି । ଚାରିପଟେ ଚାଷ ଜମି ଥିବା ଏବଂ ଏହି ସ୍ଥାନଟି ଖାଲୁଆ ହୋଇଥିବାରୁ ଅସରାଏ ବର୍ଷା ହେଲେ ଏହା ପରିସରକୁ ଲୋକେ ଯିବା ମୁସ୍କିଲ । ବନ୍ୟାର ଭ୍ରମ ସୃଷ୍ଟି ହେଉଛି । ଏହା ପରିସରକୁ ମାଟି ପକାଇ ପୋତିବା ସହିତ ଏଠାରେ ପର୍ଯ୍ୟଟକଙ୍କ ପାଇଁ ପାର୍କ ପ୍ରତିଷ୍ଠା କରିବାକୁ ଦାବି ହେଉଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି । ତେଣୁ ଅନେକ ସମୟରେ ସାପ ଭୟରେ ପର୍ଯ୍ୟଟକମାନେ ଅତି ସନ୍ତର୍ପଣରେ ଏହା ପରିସରକୁ ପ୍ରବେଶ କରୁଛନ୍ତି ।
ରାଜ୍ୟ ପର୍ଯ୍ୟଟନ ବିଭାଗ ହାତରେ ଥିବା ଏହି କେନ୍ଦ୍ରଟିକୁ ପ୍ରବେଶ କରିବାପାଇଁ ଯାତ୍ରୀଙ୍କ ପିଛା ୫ଟଙ୍କା କରି ଆଦାୟ କରାଯାଉଥିବାବେଳେ ସର୍ବନିମ୍ନ ସୁବିଧା ସୁଯୋଗ ମିଳୁନାହିଁ । ଶୌଚାଳୟ ନାହିଁ କି ପାନୀୟଜଳ ବି ନାହିଁ । ପର୍ଯ୍ୟଟନ ବିଭାଗ ହାତରେ ଏହା ଥିବାରୁ ଏବଂ ପର୍ଯ୍ୟଟନ ଋତୁରେ ଏଠାକୁ ହଜାର ହଜାର ପର୍ଯ୍ୟଟକ ଆସୁଥିବାରୁ ଏଠାରେ ବିଭାଗ ପକ୍ଷରୁ ଖାଦ୍ୟପେୟର ବ୍ୟବସ୍ଥା କରାଯିବା କଥା । ହେଲେ ତାହାର କୌଣସି ବ୍ୟବସ୍ଥା ନଥିବାରୁ ଉଠା ଦୋକାନୀ ଏଠାରେ ଏକମାତ୍ର ଭରସା ।
ସବୁ ଅବ୍ୟବସ୍ଥା ସହିତ ଏହି ପର୍ଯ୍ୟଟନ କେନ୍ଦ୍ରରେ ଚୋରଙ୍କର ବି ରାଜୁତି । ତେଣୁ କାନ୍ଥ ବାଡରେ ଗାଡି ଚୋରଙ୍କ ପ୍ରତି ସାବଧାନ ରହିବାକୁ ଲେଖା ମାଧ୍ୟମରେ ସତର୍କ କରାଇ ଦିଆଯାଇଛି । ଗତ ମାସକ ମଧ୍ୟରେ ଦୁଇ ଦୁଇଟି ଦୁଇ ଚକିଆ ଯାନ ବି ଏଠାକୁ ଚୋରି ହୋଇ ଗଲାଣି । ତେଣୁ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ପ୍ରବେଶ ପଥରେ ସିସିଟିଭି ଲଗାଇବାକୁ ମତପ୍ରକାଶ ପାଉଛି । ସରକାରଙ୍କ ହାତରେ ଥିବା ଏହି ପର୍ଯ୍ୟଟନ କେନ୍ଦ୍ରର ଏଭଳି ଦୁରବସ୍ଥା ଏବେ ରାଜ୍ୟର ପର୍ଯ୍ୟଟନ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।