ଭୁବନେଶ୍ୱର : ଚଳିତ ମାସରେ ରାଜ୍ୟରେ ରାଜନୈତିକ ଉଷ୍ମତା ଢେର ବଢିବ । ବିଶେଷକରି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭୋଟରଙ୍କ ନିକଟତର ହେବାପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଥିବାରୁ ରାଜନୈତିକ ପାଣିପାଗ ବେଶ୍ ସରଗରମ ହେବାକୁ ଯାଉଛି ।
ଶାସକ ବିଜେଡି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବାକୁ ପ୍ରୟାସ ଜାରି ରହିଛି । ଜନସମ୍ପର୍କ ପଦଯାତ୍ରା ପରେ ଦଳ ପକ୍ଷରୁ ପରିବାର ସମ୍ପର୍କ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଦଳର ତୃଣମୂଳ ଠାରୁ ଛାମୁଆ ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଗାଁ ମୁହାଁ ହୋଇଛନ୍ତି । ଘରକୁ ଘର ବୁଲି ଲୋକଙ୍କୁ ଭେଟୁଛନ୍ତି । ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ବୁଝାଉଛନ୍ତି ।
ମୁଖ୍ୟ ବିରୋଧିଦଳ ବିଜେପି ମଧ୍ୟ ଆସନ୍ତା ୧୪ ତାରିଖରୁ ପାଞ୍ଚଦିନ ବ୍ୟାପି ବ୍ଲକ ଘେରାଉ କାର୍ଯ୍ୟକ୍ରମ ପାଇଁ ଘୋଷଣା କରିଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତି ବିରୁଦ୍ଧରେ ଏହି ଆନ୍ଦୋଳନ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି । ତେଣୁ ଏହି ଘେରାଉ କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେଥିପାଇଁ ଏବେ ଠାରୁ ଦଳର କାର୍ଯ୍ୟକର୍ତ୍ତାମାନେ ଲାଗି ପଡିଲେଣି ।
କଂଗ୍ରେସ ମଧ୍ୟ ଏ କ୍ଷେତ୍ରରେ ପଛରେ ନାହିଁ । ଦଳ ପକ୍ଷରୁ ଚଳିତ ମାସରେ ଦୁଇ ଦୁଇଟି ରାଜ୍ୟବ୍ୟାପି କାର୍ଯ୍ୟକ୍ରମ ଘୋଷଣା କରାଯାଇଛି । ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ଦାବିରେ ଆସନ୍ତା ୯ ତାରିଖରେ ଦଳ ପକ୍ଷରୁ ରାଜ୍ୟର ସମସ୍ତ ବ୍ଲକ ଓ ପୌରସଂସ୍ଥାରେ ଥିବା ମନ୍ଦିର ସମ୍ମୁଖରେ ଦୀପ ଜାଳିବା ସହିତ ସଙ୍କୀର୍ତ୍ତନ କରି ପ୍ରତିବାଦ ହେବ । ଏଥିରେ କିଭଳି ଅଧିକରୁ ଅଧିକ ଲୋକ ଭାଗ ନେବେ ସେଥିପାଇଁ ଦଳୀୟ କର୍ମକର୍ତ୍ତାମାନେ ଲାଗି ପଡିଛନ୍ତି ।
ସେହିଭଳି କଂଗ୍ରେସ ପକ୍ଷରୁ ଚାଷୀଙ୍କ ସୁରକ୍ଷାପାଇଁ ଆଗାମୀ ୧୦ ତାରିଖରୁ ସମଗ୍ର ରାଜ୍ୟରେ କିଶାନ ମହାପଞ୍ଚାୟତ ପାଇଁ ଘୋଷଣା କରାଯାଇଛି । ଦକ୍ଷରୁ ପକ୍ଷରୁ ଲଗାତାର ଭାବେ ରାଜ୍ୟବ୍ୟାପି ଆନ୍ଦୋଳନ ଚଳାଇବାପାଇଁ ଯୋଜନା ହୋଇଛି । ଏଥିରେ ଅଧିକ ସଂଖ୍ୟାରେ ଚାଷୀ ଓ ବୁଦ୍ଧିଜୀବୀଙ୍କୁ ଯୋଡିବାଲାଗି କଂଗ୍ରେସ ପକ୍ଷରୁ ଉଦ୍ୟମ ଚଳାଯାଉଛି । କେବଳ ସେତିକି ନୁହେଁ ରାଜ୍ୟରେ ପିଆଜର ଦରବୃଦ୍ଧିକୁ ନେଇ ବି କଂଗ୍ରେସ ଦଳ ପ୍ରତିଦିନ ବିଭିନ୍ନ ଉପାୟରେ ଗଣମାଧ୍ୟମରେ ରହିବାକୁ ଉଦ୍ୟମ କରୁଛି ।
ତିନି ପ୍ରମୁଖ ଦଳ ନଭେମ୍ବର ମାସରେ ନିଜ ନିଜର କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ ରାଜନୀତିକୁ ଉଷ୍ମ କରିବାପାଇଁ ଲାଗି ପଡିଥିବାବେଳେ ଛୋଟ ଛୋଟ ଦଳ ବି ପଛରେ ନାହାନ୍ତି । ନିକଟରେ ରାଜ୍ୟରେ ଥିବା କିଛି ଛୋଟ ଦଳ ଏକାଠି ହେବାପାଇଁ ରାଜଧାନୀରେ ଗୁପ୍ତ ବୈଠକ କରିଥିବା ଜଣାଯାଇଛି । ଆଗାମୀ ନିର୍ବାଚନରେ ସେମାନେ ଗୋଟିଏ ମେଣ୍ଟ ଗଠନ କରିବାପାଇଁ ଉଦ୍ୟମ ଚଳାଇଥିବାବେଳେ ତିନି ପ୍ରମୁଖ ଦଳ ଠାରୁ ଦୂରରେ ଥିବା ସମସ୍ତ ଛୋଟ ଛୋଟ ଦଳକୁ ଏଥିରେ ସାମିଲପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି । ଏହି ମେଣ୍ଟ ଯୋଜନା ସଫଳ ହେଲେ ସେମାନେ ମଧ୍ୟ ଲୋକଙ୍କ ନିକଟତର ହେବାପାଇଁ ରାଜ୍ୟବ୍ୟାପି କାର୍ଯ୍ୟକ୍ରମ ଚଳାଇବେ ।
ରାଜନୈତିକ ଦଳଗୁଡିକ ନିଜ ନିଜ ପ୍ଲାଟଫର୍ମରେ କାର୍ଯ୍ୟକ୍ରମମାନ ଆରମ୍ଭ କରିଥିବାବେଳେ ଅନେକ ଟିକଟ ଆଶାୟୀ ମହିଳାମାନେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଚଳାଇଛନ୍ତି । ବିଶେଷକରି ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତ ହେବାପରେ ବାଧ୍ୟବାଧକତା ନଥିଲେ ମଧ୍ୟ ପ୍ରମୁଖ ରାଜନୈତିକ ଦଳଗୁଡିକ ଅଧିକରୁ ଅଧିକ ମହିଳାଙ୍କୁ ପ୍ରାର୍ଥୀ କରିବାନେଇ ଇଙ୍ଗିତ ଦେବାପରେ ଏଭଳି ଅବସ୍ଥା ଉପୁଜିଛି । ତେଣୁ ଚଳିତ ମାସ ଠାରୁ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ରାଜ୍ୟରେ ଧିରେ ଧିରେ ରାଜନୈତିକ ପାଣିପାଗ ଉଷ୍ମ ରହିବ ବୋଲି ଆକଳନ କରାଯାଉଛି ।