ମୋ ସାଇକେଲ ଖତ

ଭୁବନେଶ୍ୱର : ରାଜଧାନୀରେ ମେଟ୍ରୋ ଚଳାଚଳ ପାଇଁ ଧିରେ ଧିରେ ଆଗକୁ ବଢୁଥିବା ପ୍ରଶାସନ କୋଟି କୋଟି ଟଙ୍କା ବ୍ୟୟରେ ଖରିଦ ହୋଇଥିବା ସାଇକେଲ କଥା ଭୁଲିଗଲାଣି । ପାଞ୍ଚବର୍ଷ ତଳେ ହକି ବିଶ୍ୱକପ୍‍ ସମୟରେ ଖରିଦ ହୋଇଥିବା ମୋ ସାଇକେଲ ଏବେ ନଷ୍ଟ ହେବା ସହିତ ଚୋରମାନେ ଧିରେ ଧିରେ ଏହାକୁ ନେବାରେ ଲାଗିଛନ୍ତି ।

ଶୂନ ପ୍ରଦୂଷଣକାରୀ ଯାନ କୁହାଯାଉଥିବା ସାଇକେଲ ପ୍ରତି ରାଜଧାନୀବାସୀଙ୍କୁ ଆକୃଷ୍ଟ କରିବାପାଇଁ ୨୦୧୮ ହକି ବିଶ୍ୱକପ୍‍ ସମୟରେ ସରକାର ଦୁଇ ହଜାର ସାଇକେଲ ଖରିଦ କରିଥିଲେ । ଗୋଟିଏ ସାଇକେଲର ମୂଲ୍ୟ ଥିଲା ୨୫,୦୦୦ ଟଙ୍କା । ବିଶ୍ୱକପ୍‍ ସମୟରେ ଏହାର ବେଶ୍‍ ଚାହିଦା ଥିଲା । ଲୋକେ ଅର୍ଥ ପଇଠ କରି କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ସାଇକେଲରେ ଯିବା ସହିତ ସହରର ବିଭିନ୍ନ ସ୍ଥାନରେ ଥିବା ଷ୍ଟାଣ୍ଡରେ ତାହାକୁ ରଖୁଥିଲେ ।

ହେଲେ ପାଞ୍ଚବର୍ଷ ପରେ ଆଉ ସେହି ସାଇକେଲଗୁଡିକୁ କେହି ଛୁଇଁବାକୁ ରାଜି ନୁହନ୍ତି । ଖରା, କାକର ଓ ଧୂଳିରେ ପଡି ପଡି ସାଇକେଲଗୁଡିକ ଖତ ହେବାରେ ଲାଗିଛି । କେଉଁଠି ସାଇକେଲର ସିଟ୍‍ ନାହିଁ ତ ଆଉ କେଉଁଠି ଚକା ନାହିଁ । ଅନେକ ସାଇକେଲ ଚଳନକ୍ଷମ ଅବସ୍ଥାରେ ନାହିଁ । ଭୁବନେଶ୍ୱର ସ୍ମାର୍ଟସିଟ୍‍ ଅଧିନରେ ଥିବା ଏହି ସାଇକେଲକୁ କର୍ତ୍ତୃପକ୍ଷ ଯେତେ ମରାମତି କଲେ ମଧ୍ୟ ତାହାକୁ କେହି ଚଳାଇବାକୁ ଦେଖିବାକୁ ମିଳୁନାହିଁ । ସହରର ଯେଉଁସବୁ ସ୍ଥାନରେ ସାଇକେଲ ରହଣି ସ୍ଥାନ ଥିଲା ସେଗୁଡିକ ବି ନଷ୍ଟହୋଇ ଗଲାଣି ।

ମୋ ସାଇକେଲକୁ କବାଡିଆଙ୍କୁ ବିକ୍ରି ନେଇ ଅତୀତରେ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଗରିବ ଛାତ୍ରଛାତ୍ରୀଙ୍କୁ ଏହା ମାଗଣାରେ ଦେବାପାଇଁ ମତପ୍ରକାଶ ପାଇଥିଲା । ହେଲେ କୌଣସି କାରଣରୁ ତାହା ବି କାର୍ଯ୍ୟକାରୀ ହେଲାନାହିଁ । ଫଳରେ ଏହି ଦାମୀ ସାଇକେଲଗୁଡିକ ଏବେ ରାଜଧାନୀର ବିଭିନ୍ନ ସ୍ଥାନରେ ପଡି ରହିଛି । ଅତୀତରେ ସାଇକେଲ ଚୋରିକୁ ନେଇ ବ୍ୟାପକ ଧରପଗଡ ହେବା ସହିତ ରାଜ୍ୟର କେତେକ ଅଞ୍ଚଳରୁ ଏହା ଉଦ୍ଧାର ହୋଇଥିଲେ ମଧ୍ୟ ଏହି ସାଇକେଲକୁ ଏବେ ଚୋରମାନେ ନେଇ ଯାଉଥିବା କୁହାଯାଉଛି । ତେବେ ଚୋର ଓ ନିଶାଡିମାନେ ଏହି ସାଇକେଲକୁ ନେଇ ତାହାର ରଙ୍ଗ ବଦଳାଇ ଦେଉଛନ୍ତି ।

ଇତି ମଧ୍ୟରେ ପୁଲିସ୍‍ କର୍ମୀମାନେ ସହରର ବିଭିନ୍ନ ସ୍ଥାନରୁ କିଛି ଚୋରା ସାଇକେଲକୁ ଉଦ୍ଧାର କରି ଆଣିଥିବାରୁ ସୂଚନା ମିଳିଛି । କର୍ତ୍ତୃପକ୍ଷ ଯଦିଓ ସାଇକେଲ ଚୋରି ନେଇ ପାଟି ଫିଟାଉ ନାହାନ୍ତି କିନ୍ତୁ ନଷ୍ଟ ହେଉଥିବା ସାଇକେଲର ପୁନରୁଦ୍ଧାର ନେଇ କିଛି ପଦକ୍ଷେପ ବି ନେଉ ନାହାନ୍ତି । ଏହି ସାଇକେଲ ଯୋଗାଇଥିବା କମ୍ପାନୀ ପରବର୍ତ୍ତୀ ସମୟରେ ଏହାର ରକ୍ଷଣା ବେକ୍ଷଣ ପାଇଁ ବ୍ୟାପକ ଅର୍ଥ ନେଇଥିଲେ ମଧ୍ୟ ରାଜଧାନୀବାସୀ ଏଥିପ୍ରତି ଆଗ୍ରହୀ ହେଉନଥିବାରୁ ଯେତିକି ବି ସାଇକେଲ ସହରର ବିଭିନ୍ନ ସ୍ଥାନରେ ଶୋଭାବର୍ଦ୍ଧନ କରୁଛନ୍ତି ତାହା ଖୁବ୍‍ଶୀଘ୍ର ଖତ ହୋଇଯିବ ବୋଲି ମତପ୍ରକାଶ ପାଉଛି ।

Leave A Reply

Your email address will not be published.