ରାଜଧାନୀରେ ସରକାରୀ କ୍ୱାଟର୍ସ ଖାଲି ପଡୁଛି

ଭୁବନେଶ୍ୱର : ସରକାରୀ କ୍ୱାଟର୍ସଟିଏ ପାଇବାକୁ ବହୁ କର୍ମଚାରୀ ଚାତକ ଭଳି ଚାହିଁ ରହିଥିବାବେଳେ ଆଉ କିଛି କର୍ମଚାରୀ ବାରମ୍ବାର ଘର ବଦଳାଇବା ଏବେ ସେମାନଙ୍କ ପାଇଁ ବାଧକ ସାଜିଛି । ଏପରିକି ଗୋଟିଏ ଗୋଟିଏ କ୍ୱାଟର୍ସ ବର୍ଷାଧିକ କାଳ ଖାଲି ରହୁଥିଲେ ମଧ୍ୟ କାହାରିକୁ ଦିଆଯାଇ ପାରୁନାହିଁ ।

ରାଜଧାନୀରେ ସରକାରୀ କ୍ୱାଟର୍ସଟିଏ ପାଇବାକୁ କର୍ମଚାରୀମାନେ ଅନ୍‍ଲାଇନ୍‍ରେ ଆବେଦନ କରୁଛନ୍ତି । ତେବେ ଏହି ବ୍ୟବସ୍ଥାରେ ପୂର୍ବରୁ ସରକାରୀ କ୍ୱାଟର୍ସ ପାଇଥିବା କିଛି କର୍ମଚାରୀ ନିଜ ମନପସନ୍ଦର କ୍ୱାଟର୍ସ ପାଇଁ ଆବେଦନ କରୁଛନ୍ତି । ଆବେଦନ କରିବାପରେ ସେମାନଙ୍କୁ ମିଳୁଥିବା କ୍ୱାଟର୍ସରେ ନିଜ ମନ ମୁତାବକ କାମ ବି କରାଉଛନ୍ତି । ହେଲେ କାମ ସରିଲା ବେଳକୁ ବିଭିନ୍ନ ବାହାନା କରି ସେହି କ୍ୱାଟର୍ସକୁ ନେବା ବଦଳରେ ପୁଣିଥରେ ହସ୍ତାନ୍ତର କରିଦେଉଛନ୍ତି ।

ମନପସନ୍ଦର କ୍ୱାଟର୍ସ ପାଇବାପରେ ସମ୍ପୃକ୍ତ କର୍ମଚାରୀମାନେ ବିଦ୍ୟୁତ୍‍, ଜଳ ଓ ସ୍ୱରେଜ ସଂଯୋଗ ନିଜ ନାମରେ ନେଉଛନ୍ତି । ଏଥିପାଇଁ ଟଙ୍କା ବି ପଇଠ କରୁଛନ୍ତି । ହେଲେ ଯେତେବେଳେ ଏହି କ୍ୱାଟର୍ସକୁ ହସ୍ତାନ୍ତର କରୁଛନ୍ତି ତାହାର କାଗଜପତ୍ର କାମ ସାରିବାକୁ କି କିଛିଦିନ ଲାଗି ଯାଉଛି । ଫଳରେ ସେହି କ୍ୱାଟର୍ସ ନମ୍ବରଟି ଅନ୍‍ଲାଇନ୍‍ରେ ଅପଲୋଡ୍‍ ହେବାପାଇଁ କିଛିଦିନ ସମୟ ଲାଗୁଛି ।

ଯେହେତୁ ମନପସନ୍ଦର କ୍ୱାଟର୍ସ ପାଇଁ ଆବେଦନ କରୁଥିବା କର୍ମଚାରୀ ପୂର୍ବରୁ ସରକାରୀ କ୍ୱାଟର୍ସରେ ରହୁଛନ୍ତି ତେଣୁ ସେମାନଙ୍କ ନୂତନ କ୍ୱାଟର୍ସକୁ ହସ୍ତାନ୍ତର କରିବାରେ କିଛି ଫରକ ପଡୁନାହିଁ । ଏହି ପ୍ରକ୍ରିୟାରେ ଜଣେ ଜଣେ କର୍ମଚାରୀଙ୍କ କବ୍‍ଜାରେ ଦୁଇ ଦୁଇ କ୍ୱାଟର୍ସ ଦୀର୍ଘଦିନ ଧରି ରହୁଛି । ଫଳରେ କ୍ୱାଟର୍ସ ଆଶାୟୀ ସରକାରୀ କର୍ମଚାରୀମାନେ ରାଜଧାନୀରେ ସରକାରୀ ଘରଟିଏ ପାଇବାରୁ ବଞ୍ଚିତ ହେଉଛନ୍ତି ।

ମନ ପସନ୍ଦର କ୍ୱାଟର୍ସ ପାଇବା ଏଠାରେ ରହିବା ନେଇ ନେଇ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନଥିବାରୁ ଏହାକୁ ପାଉଥିବା କର୍ମଚାରୀମାନେ ନିଜର ପୁରୁଣା ଘରେ ରହିବା ସହିତ ନୂତନ କ୍ୱାଟର୍ସକୁ ମାସ ମାସ ଧରି କାମ କରାଉଛନ୍ତି । ଏଥିରେ ପୂର୍ତ୍ତ ବିଭାଗର ବିପୁଳ ଅର୍ଥ ବି ଶ୍ରାଦ୍ଧ ହେଉଛି । ହେଲେ କୌଣସି କାରଣରୁ ଶେଷ ମୂହୂର୍ତ୍ତରେ ଅନେକ କର୍ମଚାରୀ ପାଇଥିବା ଦ୍ୱିତୀୟ କ୍ୱାଟର୍ସକୁ ହସ୍ତାନ୍ତର କରୁଛନ୍ତି ନଚେତ ଦୀର୍ଘଦିନ ପରେ ଗୃହ ପ୍ରବେଶ କରୁଛନ୍ତି । ଏହି ମଉକାରେ କିଛି ଠିକାଦାର ବି ସରକାରୀ କ୍ୱାଟର୍ସକୁ ନିଜ କବ୍‍ଜାକୁ ନେଇ ଗୋଦାମଘର କରୁଥିବା ଦେଖିବାକୁ ମିଳୁଛି ।

ରାଜଧାନୀର ବିଭିନ୍ନ ୟୁନିଟ୍‍ରେ ଏବେ କିଛି ସରକାରୀ କ୍ୱାଟର୍ସ ଭାଙ୍ଗିବାପାଇଁ ଯୋଜନା ହେଉଥିବାର ସୁରାକ ପାଇବାପରେ ନିଜ ନିଜ ମନପସନ୍ଦର କ୍ୱାଟର୍ସଟିଏ ପାଇବାପାଇଁ କର୍ମଚାରୀମାନେ ବ୍ୟାକୁଳ ହୋଇ ଅନ୍‍ଲାଇନ୍‍ରେ ଆବେଦନ କରୁଛନ୍ତି । ଏମାନଙ୍କୁ ପ୍ରାଥମିକତା ମିଳୁଥିବାରୁ ଅନ୍ୟ ଆଶାୟୀମାନେ ପଛରେ ପଡି ଯାଉଛନ୍ତି । ତେଣୁ ଗୋଟିଏ ସରକାରୀ କ୍ୱାଟର୍ସରେ ରହି ମନପସନ୍ଦର କ୍ୱାଟର୍ସ ପାଉଥିବା କର୍ମଚାରୀମାନଙ୍କ ପାଇଁ ସ୍ପଷ୍ଟ ନୀତି ହେବା ସହିତ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଗୋଟିଏ ଘର ଛାଡିବାକୁ କଡାକଡି ନିୟମ କରିବାଲାଗି ମତପ୍ରକାଶ ପାଉଛି । ଏହା ହେଲେ କ୍ୱାଟର୍ସ ଆଶାରେ ଥିବା ଅନେକ ନବାଗତ ଓ ବରିଷ୍ଠ କର୍ମଚାରୀ ଉପକୃତ ହୋଇପାରିବେ ଓ ସରକାରୀ କ୍ୱାଟର୍ସଗୁଡିକ ଦୀର୍ଘଦିନ ଧରି ଭୂତକୋଠି ହୋଇ ପଡି ରହିବନାହିଁ ।

Leave A Reply

Your email address will not be published.