ଭୁବନେଶ୍ୱର : ରାଜଧାନୀରେ ଲୋକଙ୍କ ଘରୁ ସଂଗ୍ରହ କରାଯାଉଥିବା ବର୍ଜ୍ୟକୁ ପୃଥକ କରି ଦେବାପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ସହରବାସୀଙ୍କୁ ଚରମବାଣୀ ଶୁଣାଇଥିବାବେଳେ ଲୋକେ ଦେଉଥିବା ପଲିଥିନ୍ ପୁଡିଆ ନେଇ କିନ୍ତୁ ମୁହଁ ଖୋଲୁ ନାହାନ୍ତି । ଅଧିକାଂଶ ଲୋକେ ପଲିଥିନ୍ ମୁଣାରେ ବର୍ଜ୍ୟ ଦେଉଥିବାରୁ ତାହା ଏବେ କର୍ତ୍ତୃପକ୍ଷଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ।
ସହରକୁ ସବୁଜ ସୁନ୍ଦର କରି ରଖିବାପାଇଁ ବିଏମ୍ସି ଏବେ ଘରକୁ ଘର ବୁଲି ଅଳିଆ ସଂଗ୍ରହ କରୁଛି । ଲୋକଙ୍କୁ ଓଦା ଓ ଶୁଖିଲା ଅଳିଆକୁ ପୃଥକ କରିଦେବାକୁ ବାରମ୍ବାର କହୁଛି । ହେଲେ ଅଳିଆ କିଭଳି ଦିଆଯିବ ସେଥିପାଇଁ କୌଣସି ନିୟମ ନଥିବାରୁ ଲୋକେ ଜରି ପୁଡିଆରେ ଅଳିଆ ପୂରାଇ ଧରାଇ ଦେଉଛନ୍ତି । ଅଧିକ ଜରି ଖର୍ଚ୍ଚ ହୋଇଯିବ ବୋଲି ଗୋଟିଏ ଜରିମୁଣାରେ ଶୁଖିଲା ଓ ଓଦା ବର୍ଜ୍ୟ ପୂରାଇ ଦେଇଦେଉଛନ୍ତି । ଫଳରେ ସଂଗ୍ରହକାରୀମାନେ ଏବେ ଲୋକଙ୍କ ଘର ଆଗରେ ଜରିମୁଣାକୁ ଖୋଲି ଅଳିଆକୁ ପୃଥକ କରୁଥିବା ଦେଖିବାକୁ ମିଳୁଛି ।
ଅନ୍ୟ ପକ୍ଷରେ ସଂଗ୍ରହ ହେଉଥିବା ବିଭିନ୍ନ କିସମର ବର୍ଜ୍ୟ ସହିତ ଯାଉଥିବା ପଲିଥିନ୍ ଏବେ କର୍ତ୍ତୃପକ୍ଷଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏଗୁଡିକୁ କିଭଳି ନଷ୍ଟ କରାଯିବ ତାହା ଚିନ୍ତାର କାରଣ ହୋଇଛି । ଅନେକ ସମୟରେ ଲୋକେ ଦେଉଥିବା ଜରି ମୁଣାକୁ ଖୋଲିବାପାଇଁ ବି ବହୁ ସମୟ ଲାଗିଯାଉଛି । ପୂର୍ବରୁ ଜରିମୁଣାଗୁଡିକୁ ବିଭିନ୍ନ ସିମେଣ୍ଟ କାରଖାନାକୁ ପଠାଇବାକୁ ଉଦ୍ୟମ ହୋଇଥିବାବେଳେ ତାହା ଏକ ପ୍ରକାର ଅଧାରେ ଅଟକିଯାଇଛି ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିମ୍ନମାନର ଏକକ ବ୍ୟବହୃତ ପଲିଥିନ୍ ଉପରେ କଟକଣା ଲଗାଇଥିବାବେଳେ ରାଜଧାନୀରେ ତାହା ପ୍ରାୟତଃ କାର୍ଯ୍ୟକାରୀ ହେଉନାହିଁ । ଏହାର ବ୍ୟବହାର କମିବା ବଦଳରେ ବଢିବାରେ ଲାଗିଛି । ଫଳରେ ଲୋକେ ଏହାକୁ ଏଣେ ତେଣେ ଫିଙ୍ଗିବା ବଦଳରେ ଏବେ ବର୍ଜ୍ୟ ସଂଗ୍ରହକାରୀଙ୍କୁ ଦେଇ ଦେଉଛନ୍ତି । ଏହାଛଡା ସୈନିକସ୍କୁଲ ନିକଟରେ ସୃଷ୍ଟି ହେଉଥିବା ଅଳିଆ ଗଦାରେ ମଧ୍ୟ ଟନ୍ ଟନ୍ ପଲିଥିନ୍ ଓ ଅନ୍ୟାନ୍ୟ ଜରିମୁଣା ପହଞ୍ଚିବାରେ ଲାଗିଛି ।
ଜରିମୁଣା ବା ପଲିଥିନ୍ ଉପରେ କଟକଣା ସହିତ ବିଏମ୍ସି କର୍ତ୍ତୃପକ୍ଷ ଘରକୁ ଘର ଦୁଗ୍ଧପ୍ୟାକଟ ଜରିଗୁଡିକୁ ସଂଗ୍ରହ କରିବେ ବୋଲି କହିଥିଲେ । ହେଲେ ତାହା ବି କାର୍ଯ୍ୟକାରୀ ହେଲାନାହିଁ । ଏବେ ସହରରେ ଦୁଗ୍ଧ ପ୍ୟାକେଟ ଜରି ସହିତ ନିମ୍ନମାନର ପଲିଥିନ୍ ମୁଣାକୁ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ପ୍ୟାକେଜିଂ ହେଉଥିବା ଜରିମୁଣା ଓ ଗୁଟ୍ଖା ଜରି ପ୍ୟାକେଟ ଟପିଗଲାଣି । ପ୍ରତିଦିନ ଗଦା ଗଦା ଏହି ଧରଣର ଜରିମୁଣାକୁ ଝାଡୁଦାରମାନେ ଏକାଠି କରିବାପରେ ତାହା ବିଏମ୍ସିର ଅଳିଆଗଦାକୁ ଯାଉଛି ।
ବର୍ତ୍ତମାନ ଅଳିଆ ଗଦାକୁ ହଟାଇବା ସହିତ ଏଠାରୁ ବାହାରୁଥିବା ଦୁର୍ଗନ୍ଧକୁ ଦୂର କରିବାପାଇଁ କର୍ତ୍ତୃପକ୍ଷ ଦିନ ରାତି ଏକାକରି ଦେଇଛନ୍ତି । ହେଲେ ଏହି ଆବର୍ଜନା ପାହାଡରେ ଗଦା ହେଉଥିବା ଜରିମୁଣା ଯୋଗୁଁ ଯେଉଁ ସମସ୍ୟା ସୃଷ୍ଟି ହେଉଛି ସେଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି । ବିଶେଷକରି କର୍ତ୍ତୃପକ୍ଷ ନିଷେଧ କରିଥିବା ନିମ୍ନମାନର ପଲିଥିନ୍ ସହିତ ଗୁଟ୍ଖା ଓ ବିସ୍କୁଟ୍, କୁର୍କୁରେ ଭଳି ଖାଦ୍ୟ ସାମଗ୍ରୀ ପ୍ୟାକେଜିଂ ହୋଇ ଆସୁଥିବା ଜରିମୁଣା ସହରର ପରିବେଶକୁ ଦ୍ରୁତ ପ୍ରଦୂଷିତ କରିବା ସହିତ କର୍ତ୍ତୃପକ୍ଷ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି ।