ଆରମ୍ଭ ହେବ କ୍ରିକେଟ ବିଶ୍ୱକପର ଫାଇନାଲ ଫାଇଟ୍ । ବିଶ୍ୱ ଚାମ୍ପିୟନ ହେବା ପାଇଁ ଲଢ଼େଇ କରିବେ ଭାରତ- ଅଷ୍ଟ୍ରେଲିଆ । ୨୦ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ଦଳ । ୨୦୦୩ରେ ହୋଇଥିବା ମୁକାବିଲାରେ ପରାସ୍ତ ହୋଇଥିଲା ଭାରତ । ଏଥର ପ୍ରତିଶୋଧ ନେବାର ସୁଯୋଗ ରହିଛି ରୋହିତ ବାହିନୀଙ୍କ ପାଖରେ । ଭାରତର ବିଜୟ ପାଇଁ ସବୁଠି ଉତ୍ସାହ ।
ବିଜୟର ଆତ୍ମବିଶ୍ବାସ ସାଙ୍ଗକୁ ୧୪୨ କୋଟି ଭାରତୀୟଙ୍କ ଶ୍ରଦ୍ଧା, ଶୁଭେଚ୍ଛା, ଭଲ ପାଇବା ଓ ପ୍ରାର୍ଥନା କ୍ଷେତ୍ର ପ୍ରସ୍ତୁତ କରିସାରିଛି। ୧୨ ବର୍ଷର ବିଶ୍ବକପ୍ ବିହୀନ ଯାତ୍ରା ଏବଂ ୧୦ ବର୍ଷ ଧରି ଆଇସିସି ଟ୍ରଫି ନ ଜିତିବାର ଦୁଃସ୍ବପ୍ନର ଅନ୍ତ ଘଟାଇବ ବୋଲି ରୋହିତ ଶର୍ମା ସେନାର ଆକାଶଛୁଆଁ ମନୋବଳ ଦୃଢ଼ ବିଶ୍ବାସ ବି ରଖିଛି। ଆଉ ଏକ ଅଗ୍ନି ପରୀକ୍ଷା ତ ଅପେକ୍ଷା କରିଛି, କିନ୍ତୁ ଘରୋଇ ପରିବେଶ ଓ ଦର୍ଶକଙ୍କ ସମ୍ମୁଖରେ ବିଶ୍ବକପ୍ ଟ୍ରଫି ଉଠାଇବାର ଆଉ ଏକ ସ୍ମରଣୀୟ ମୁହୂର୍ତ୍ତ ଆସି ହାତ ପାହାନ୍ତାରେ ଉପନୀତ ହୋଇଛି। ଦେଢ଼ ଲକ୍ଷ ପ୍ରତ୍ୟକ୍ଷ ଦର୍ଶକ ଏବଂ କୋଟିକୋଟି କ୍ରିକେଟ୍ପ୍ରେମୀଙ୍କ ସ୍ବପ୍ନକୁ ତୃତୀୟ ଥର ପୂରଣ କରିବାର ଏହା ଆଉ ଏକ ସୁଯୋଗ। ୨ ଥର ବିଜେତା ଭାରତ ଚଳିତ ସଂସ୍କରଣରେ ରେକର୍ଡ ଲଗାତାର ୧୦ ବିଜୟ ସହ ଅପରାଜିତ ରହିଛି। କିନ୍ତୁ ଆଉ ଗୋଟିଏ ବିଜୟ ନମିଳିଲେ ‘ତିନ୍ କା ଡ୍ରିମ୍’ ନିଶ୍ଚିତ ଅଧୁରା ରହିଯିବ। ୧୯୮୩ରେ କପିଳ ଡେଭିଲ୍ସ ଏବଂ ୨୦୧୧ରେ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଯେଉଁ ଅସମ୍ଭବକୁ ସମ୍ଭବ କରିଥିଲେ ଏବେ ସେଭଳି ସୁଯୋଗ ପଥରେ ରୋହିତ ସେନା। ବାଘ-କଙ୍ଗାରୁ ଲଢ଼େଇ କିନ୍ତୁ ନିଶ୍ଚିତ କ୍ରିକେଟ୍ପ୍ରେମୀଙ୍କୁ ଏକ ମନୋରଂଜନଭରା, ଉତ୍କଣ୍ଠାପୂର୍ଣ୍ଣ, ରୋମଞ୍ଚକ ଫାଇନାଲ୍ ଦେବ ଏହି ପ୍ରତିଶ୍ରୁତି ରଖିଛି।