୪ଦିନରେ  ଶୀତ ଅଧିବେଶନକୁ ବନ୍ଦ କରିଦେଲେ ସରକାର 

ଅଚାନକ ବିଧାନସଭାର ଶୀତ ଅଧିବେଶନକୁ ବାଚସ୍ପତି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି । ଶାସକ ଦଳର ପ୍ରସ୍ତାବ ଆଧାରରେ ବାଚସ୍ପତି ଗୃହକୁ ମୁଲତବୀ କରିଛନ୍ତି । ନଭେମ୍ବର ୨୧ରୁ ଡିସେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବିଧାନସଭାର ଶୀତ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟଦିବସ ରହିଥିଲା । ମାତ୍ର ୪ଟି କାର୍ଯ୍ୟଦିବସରେ ଗୃହକୁ ବନ୍ଦ କରିଦେଲେ ସରକାର । ଚଳିତ କ୍ୟାଲେଣ୍ଡର ବର୍ଷରେ ୩ଟି ପର୍ଯ୍ୟାୟରେ ବିଧାନସଭାର ଅଧିବେଶନ ମୋଟ ୩୪ଦିନ ବସିଛି । ଯଦିଓ କ୍ୟାଲେଣ୍ଡର ବର୍ଷରେ ୬୦ଦିନ ବସିବାର ପ୍ରାବଧାନ ରହିଛି ।

ସୂଚନା ଅନୁସାରେ, ଗୃହରେ ବିଶେଷ କିଛି କାର୍ଯ୍ୟ ନଥିବା ଦର୍ଶାଇ ଶୀତ ଅଧିବେଶନକୁ ମାସେ ୬ଦିନ ପୂର୍ବରୁ (୨୭ଟି କାର୍ଯ୍ୟଦିବସ ଥାଇ) ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖିବାକୁ ଶାସକ ଦଳ ପ୍ରସ୍ତାବ ଦେଇଥିଲା । ବିରୋଧୀଙ୍କ ସହ ବିଚାରବିମର୍ଶ ନକରି ଶାସକ ଦଳ ଏକତରଫା ଭାବେ ଗୃହକୁ ବନ୍ଦ କରିଦେଇଛି ବୋଲି ବିରୋଧୀ ସଦସ୍ୟମାନେ ଅଭିଯୋଗ କରିଛନ୍ତି । ଚଳିତ ଅଧିବେଶନରେ ପ୍ରଥମ ଦିନରେ ଉପବାଚସ୍ପତି ନିର୍ବାଚନ ହେବା ପରେ ଦିବଂଗତ ସଦସ୍ୟଙ୍କ ସମ୍ମାନରେ ଶୋକ ପ୍ରସ୍ତାବ ଆଗତ ହୋଇ ଗୃହ ମୁଲତବୀ ହୋଇଥିଲା । ଦ୍ୱିତୀୟ ଦିନରେ ଆଦିବାସୀଙ୍କ ଜମି ଅଣଆଦିବାସୀଙ୍କୁ ହସ୍ତାନ୍ତର ପ୍ରସଙ୍ଗରେ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଦିନତମାମ ହଟ୍ଟଗୋଳ ଜାରି ରଖିଥିଲେ । ଗୃହରେ କୌଣସି କାର୍ଯ୍ୟ ସମ୍ଭବପର ହୋଇନଥିଲା । ତୃତୀୟ ଦିନରେ ଗୃହ କାର୍ଯ୍ୟ ପ୍ରଥମାର୍ଦ୍ଧରେ ଅଚଳାବସ୍ଥା ରହିଥିଲା ଓ ଦ୍ୱିତୀୟାର୍ଦ୍ଧ ଗୃହ ସ୍ୱାଭାବିକ ହୋଇଥିଲା । ଗୃହରେ ବିରୋଧୀ ସଦସ୍ୟମାନେ ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗକୁ ନେଇ ନିଜର ମତ ଉପସ୍ଥାପନ କରିବା ସହ ତୁରନ୍ତ କ୍ୟାବିନେଟ୍ ନିଷ୍ପତ୍ତି ପ୍ରତ୍ୟାହାର ଦାବି କରିଥିଲେ । ଓଡ଼ିଶା ଭୂସଂସ୍କାର ସଂଶୋଧନ ବିଲ୍ ଉପରେ ଆଲୋଚନା ହୋଇଥିଲା । ଆଜି ଗୃହରେ ପୂର୍ବାହ୍ନରେ ପ୍ରଶ୍ନକାଳ ସ୍ୱାଭାବିକ ଥିଲା । ବିଜେପି ଦେଇଥିବା ମୁଲତବୀ ପ୍ରସ୍ତାବ ‘ସରକାର ଆଦିବାସୀଙ୍କ ଜମି ବିକ୍ରି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର ନକଲେ ରାଜ୍ୟରେ ଆଦିବାସୀମାନେ ସର୍ବହରା ହୋଇଯିବେ’ ଶୀର୍ଷକ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସଙ୍ଗରେ କ୍ୟାବିନେଟ୍ ନଭେମ୍ବର ୧୪ତାରିଖରେ ନେଇଥିବା ନିଷ୍ପତ୍ତିକୁ ସଂଶୋଧନ କରାଯିବା ସମ୍ପର୍କରେ ଗୃହକୁ ଅବଗତ କରିଥିଲେ । ଦ୍ୱିତୀୟାର୍ଦ୍ଧରେ ବିଧାୟକମାନେ ନିଜ ନିଜ ଅଂଚଳର ସମସ୍ୟାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Leave A Reply

Your email address will not be published.