ଭଞ୍ଜନଗର, : ସରକାରୀ ମେଡିକାଲରେ ରୋଗୀଙ୍କୁ ମାଗଣା ଔଷଧ ଯୋଗାଇଦେବା ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ନିରାମୟ କେନ୍ଦ୍ର ସମେତ ମେଡିକାଲର ବିଭିନ୍ନ ସ୍ଥାନରେ ରୋଗୀଙ୍କୁ ଦିଆଯାଉଛି ମାଗଣା ଇଞ୍ଜେକ୍ସନ ଓ ଔଷଧ।ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ମେଡିକାଲରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ମାଗଣା ଔଷଧ ପ୍ରଦାନ ନାଁରେ ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ରୋଗୀଙ୍କୁ ଏକ୍ସପାଇରୀ ଔଷଧ ଦିଆଯାଉଥିବା ନେଇ ଯୋଗିମାରୀ ଗାଁର ବଳରାମ ପ୍ରଧାନ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ତଦନ୍ତ କରାଯିବ ବୋଲି ମେଡିକାଲ ଅଧିକ୍ଷକ ଡା. ସିତାଶୁଂ ଶେଖର ଶତପଥୀ କହିଛନ୍ତି। ସୂଚନା ପ୍ରକାରେ, ୨୩ ତାରିଖ ପ୍ରାତଃ ସମୟରେ ଭଞ୍ଜନଗର ବ୍ଲକ ଯୋଗିମାରୀ ଗ୍ରାମର ଜନୈକା ମହିଳା ରୁନୁ ପ୍ରଧାନଙ୍କ ପେଟ ବ୍ୟଥା ହୋଇଥିଲା। ପେଟ ବଥା ଅଧିକ ହେବରୁ ପୁଅ ବଳରାମ ମାଆ ଙ୍କୁ ଧରି ୪.୪୦ ସମୟରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ।ସେହି ସମୟରେ ଡ୍ୟୁଟିରେ ଥିବା ଡାକ୍ତର ତାଙ୍କୁ ଚିକିତ୍ସା କରି କିଛି ଇଞ୍ଜେକ୍ସନ ଓ ଔଷଧ ନେବାକୁ ପରାମର୍ଶ ଦେଇଥିଲେ। ପରେ ମେଡିକାଲ ମଧ୍ୟରେ ଥିବା ଔଷଧ ବିତରଣ କେନ୍ଦ୍ର ରୁ ତାଙ୍କୁ ପେଟ ବଥା ଔଷଧ ଓ ଇଞ୍ଜେକ୍ସନ ଦିଆଯାଇଥିଲା। ଏହାପରେ ବଳରାମ ମା ରୁନୁ ଙ୍କୁ ଧରି ଘରକୁ ଫେରିଥିଲେ। ଖାଲି ପେଟରେ ଔଷଧ ଖାଇବା ପୁର୍ବରୁ ମେଡିକାଲ ରୁ ମାଗଣାରେ ଆଣିଥିବା ଡାଇସାଇକ୍ଲୋମାଇନ୍ ହାଇଡ୍ରୋକ୍ଲୋରାଇଡ୍ ଔଷଧ ର ଏକ୍ସପାଇରୀ ତାରିଖ ଚାଲିଯାଇଥିବା ସେ ଦେଖିବାକୁ ପାଇଥିଲେ।ପରେ ସେ ଏକ୍ସପାଇରୀ ମାଗଣା ଔଷଧ ଖାଇବାରୁ ବିରତ ରହିଥିଲେ।ଉକ୍ତ ପେଟ ବଥା ମେଡିସିନ ର ଏକ୍ସପାଇରୀ ଗତ ଅକ୍ଟୋବର ୨୩ ତାରିଖ ଅର୍ଥାତ୍ ଏକ ମାସ ପୁର୍ବରୁ ସରିଯାଇଥିଲେ ବି ଭଞ୍ଜନଗର ମେଡିକାଲ କର୍ତୁପକ୍ଷ କିଭଳି ରୋଗୀଙ୍କୁ ପ୍ରଦାନ କରୁଛନ୍ତି ତାହାକୁ ନେଇ ବଳରାମ ଅଭିଯୋଗ କରିଛନ୍ତି। ଉକ୍ତ ମେଡିସିନ ଖାଇ ମୋ ମାଙ୍କର ଯଦି କିଛି ଅସୁବିଧା ହୋଇଥାନ୍ତା ସେଥିପାଇଁ କିଏ ଦାୟୀ ରହିଥାନ୍ତେ ବୋଲି ବଳରାମ ପ୍ରଶ୍ନ ଉଠାଇଛନ୍ତି। ଏହି ଘଟଣାର ତଦନ୍ତ କରାଯିବ ବୋଲି ମେଡିକାଲ ଅଧିକ୍ଷକ ଡା.ଶିତାଂସୁ ଶେଖର ଶତପଥୀ ନିଜ ପ୍ରତିକ୍ରିୟା ରେ କହିଛନ୍ତି।