କୋରାପୁଟର ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କୁ ଭିଜିଲାନ୍ସ ଆଜି ଗିରଫ କରି କୋର୍ଟଚାଲାଣ କରିଛି । ଇନ୍ସପେକ୍ଟର ଶ୍ରୀ ଶତପଥୀ ଗତକାଲି ବୈପାରୀଗୁଡ଼ାରୁ କଟକ ଆସୁଥିବାବେଳେ ଭିଜିଲାନ୍ସ ତାଙ୍କୁ ପିଛା କରିଥିଲା । ବସ୍ ଭିତରେ ତାଙ୍କଠୁ ନଗଦ ୨.୭୦ଲକ୍ଷ ଟଙ୍କା ଜବତ କରିବା ପରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଶ୍ରୀ ଶତପଥୀଙ୍କଠୁ ୩୭.୨୭ଲକ୍ଷ ଟଙ୍କା ନଗଦ ଜବତ କରିଥିବା ଜଣାପଡ଼ିଛି ।
ଭିଜିଲାନ୍ସ ପକ୍ଷରୁ ଜାରି ସୂଚନା ଅନୁସାରେ, କୌଣସି ସୂତ୍ରରୁ ତଥ୍ୟ ମିଳିବା ପରେ ଭିଜିଲାନ୍ସ ଶ୍ରୀ ଶତପଥୀ କଟକ ଆସୁଥିବା ବସକୁ ପିଛା କରିଥିଲେ । ତାଙ୍କଠୁ ନଗଦ ୨.୭୦ଲକ୍ଷ ଟଙ୍କା ଜବତ କରିବା ପରେ ଏକକାଳୀନ ଚଢ଼ଉ କରି ତାଙ୍କର ବୈପାରୀଗୁଡ଼ା ସରକାରୀ କ୍ୱାର୍ଟର୍ସରୁ ୩ଲକ୍ଷ ଟଙ୍କା, ବୈପାରୀଗୁଡ଼ା ପୁଲିସ ଷ୍ଟେସନସ୍ଥିତ ଅଫିସରୁ ୧.୮୦ଲକ୍ଷ ଟଙ୍କା ଓ କଟକସ୍ଥିତ ସରକାରୀ କ୍ୱାର୍ଟର୍ସରୁ ୨୯.୭୭ଲକ୍ଷ ଟଙ୍କା ନଗଦ ଜବତ କରିଛି । ଏହି ସମସ୍ତ ନଗଦ ଅର୍ଥକୁ ମିଶାଇଲେ ମୋଟ ୩୭.୨୭କ୍ଷ ଟଙ୍କା ହେବ ।
ଭିଜିଲାନ୍ସ ପକ୍ଷରୁ କୋରାପୁଟ ଭିଜିଲାନ୍ସ ଥାନାରେ ଗତକାଲି ଏକ ମାମଲା ଶ୍ରୀ ଶତପଥୀଙ୍କ ବିରୁଦ୍ଧରେ ରୁଜୁ କରାଯାଇଥିଲା । ଆଜି ତାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।