କଟକ : ରାଜ୍ୟ ସରକାର ନିଜ ଆଇନକୁ ନିଜେ କାର୍ଯ୍ୟକାରୀ କରୁନଥିବାରୁ ନିର୍ଦ୍ଦେଶକ ପାହ୍ୟାର ଜଣେ ଅଧିକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଶେଷରେ ନ୍ୟାୟ ପାଇଛନ୍ତି । ପ୍ରାୟ ୧୦ବର୍ଷ ପରେ ତାଙ୍କୁ ଏଭଳି ନ୍ୟାୟ ମିଳିଛି ।
ମାମଲାର ବିବରଣୀରୁ ପ୍ରକାଶ ଯେ ଯୋଜନା ସଂଯୋଜନ ବିଭାଗ ଅଧିନରେ ଥିବା ଓଡ଼ିଶା ଆର୍ଥିକ ଓ ପରିସଂଖ୍ୟାନ ବ୍ୟୁରୋର ନିର୍ଦ୍ଦେଶକ ପଦବୀ ବହୁ ସମୟରେ ନିୟମିତ ଭାବେ ପୁରଣ ନକରି ରାଜ୍ୟ ସରକାର ବରିଷ୍ଠ ଯୁଗ୍ମ ନିର୍ଦ୍ଦେଶକଙ୍କୁ ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବେ ରଖିଥାନ୍ତି । ଅତୀତରେ ଭାଗବତ ସେଠୀ, ମଳୟ କୁମାର ନନ୍ଦ ଓ ହରମୋହନ ରାଉତରାୟଙ୍କ ଭଳି ବରିଷ୍ଠ ଯୁଗ୍ମ ନିର୍ଦ୍ଦେଶକମାନେ କିଛି କାଳ ନିର୍ଦ୍ଦେଶକ ଦାୟିତ୍ୱରେ ରହିବା ପରେ ନିୟମିତ ଭାବେ ନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି ପାଇଥିଲେ ।
ଯେଉଁ ସମୟ ଲାଗି ଏହି ଅଧିକାରୀମାନେ ଭାରପ୍ରାପ୍ତ ନିର୍ଦ୍ଦେଶକ ଥିଲେ ସେମାନଙ୍କୁ ଓଡ଼ିଶା ସର୍ଭିସ୍ କୋଡ୍ର ବ୍ୟବସ୍ଥା ଏବଂ ଅର୍ଥ ବିଭାଗର ନୀତିଗତ ନିଷ୍ପତ୍ତି ଅନୁଯାୟୀ ଉଚ୍ଚ ହାରରେ ଅଫିସିଏଟିଂ ପେ’ ପ୍ରଦାନ କରାଯାଇଥିଲା । ତେବେ ହରମୋହନ ରାଉତରାୟଙ୍କ ଅବସରପରେ ଦୁଃଶାସନ ବେହେରା କିଛିବର୍ଷ ଭାରପ୍ରାପ୍ତ ନିର୍ଦ୍ଦେଶକ ରହି ପରେ ନିୟମିତ ପଦୋନ୍ନତି ପାଇବା ସହ ୨୦୧୯ରୁ ଚାକିରିରୁ ଅବସର ଗ୍ରହଣ କଲେଣି । ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ସେ ଭାରପ୍ରାପ୍ତ ନିର୍ଦ୍ଦେଶକ ଦାୟିତ୍ୱ ସହିତ ତାଙ୍କ ମୂଳ ପଦବୀର କାମ କରିବା ଏବଂ ବିଭାଗୀୟ ମୁଖ୍ୟ ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିଥିଲେ ମଧ୍ୟ ତାଙ୍କୁ ଅଫିସିଏଟିଂ ପେ’ ଦିଆଯାଇନଥିଲା ।
ଚାକିରିରୁ ଅବସର ନେବା ପୂର୍ବରୁ ନିର୍ଦ୍ଦେଶକ ଶ୍ରୀ ବେହେରା ବାରମ୍ବାର ଏ ପ୍ରସଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କର୍ତ୍ତୃପକ୍ଷ ତାଙ୍କ ଯୁକ୍ତଯୁକ୍ତ ଦାବିକୁ ନାକଚ କରିଦେଇଥିଲେ । ତେଣୁ ଅନ୍ୟ ଉପାୟ ନଦେଖି ସେ ଆଇନ ଅଦାଲତରେ ଉଭୟ ଯୋଜନା ଓ ସଂଯୋଜନା ଏବଂ ଅର୍ଥ ବିଭାଗ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ ।
ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ବିରଜା ପ୍ରସନ୍ନ ଶତପଥୀ ଏହି ମାମଲାଟିରର ବିସ୍ତୃତ ଶୁଣାଣି କରି ଅବସରପ୍ରାପ୍ତ ନିର୍ଦ୍ଦେଶକ ଶ୍ରୀ ବେହେରାଙ୍କୁ ଅଫିସିଏଟିଂ ପେ’ ୬ ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ହାଇକୋର୍ଟ ରାଜ୍ୟ ସରକାରଙ୍କ ଆଦେଶନାମାକୁ ମଧ୍ୟ ରଦ୍ଦ କରିଦେଇଛନ୍ତି ।
ଅବସରପ୍ରାପ୍ତ ନିର୍ଦ୍ଦେଶକ ଦୁଃଶାସନ ବେହେରାଙ୍କ ପକ୍ଷରୁ ଆଇନଜୀବୀ ପ୍ରହଲାଦ କୁମାର ସିଂହ ଓ ଅମୀୟ କୁମାର ଛାଟୋଇ ମାମଲା ପରିଚାଳନା କରି ସର୍ଭିସ୍ କୋଡ୍ର ବିଧିବ୍ୟବସ୍ଥା ଓ ଅର୍ଥ ବିଭାଗର ନୀତିଗତ ନିଷ୍ପତ୍ତି ଆଧାରରେ ଅନ୍ୟ ଅଧିକାରୀମାନଙ୍କୁ ଯେପରି ଅଫିସିଏଟିଂ ପେ ଦିଆଯାଇଛି ଆବେଦନକାରୀ ସେହିପରି ଭାବେ ଏଭଳି ଆର୍ଥିକ ସୁବିଧା ପାଇବାକୁ ହକ୍ଦାର ଏବଂ ତାଙ୍କୁ ଏଥିରୁ ବଞ୍ôଚତ କରାଯିବା କର୍ତ୍ତୃପକ୍ଷଙ୍କ ପାତର ଅନ୍ତର ନୀତିର ପରିଚାୟକ ଓ ବେଆଇନ ବୋଲି ଯୁକ୍ତି ବାଢିଥିଲେ । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଅତିରିକ୍ତ ସରକାରୀ ଓକିଲ ବିଭୂପ୍ରସାଦ ତ୍ରିପାଠୀ ଅଦାଲତଙ୍କୁ ଜଣାଇଥିଲେ ଯେ ଅର୍ଥ ବିଭାଗ ଏହି ଘଟଣାରେ ମଞ୍ଜୁରୀ ଦେଇନଥିବାରୁ ଆବେଦନକାରୀଙ୍କୁ ଅଫିସିଏଟିଂ ପେ ଦିଆଯାଇନାହିଁ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ପୂର୍ବରୁ ଅନ୍ୟ ଭାରପ୍ରାପ୍ତ ନିର୍ଦ୍ଦେଶକମାନଙ୍କୁ ଅଫିସିଏଟିଂ ପେ’ ରାଜ୍ୟ ସରକାର ପ୍ରଦାନ କରିଥିବାବେଳେ ଆବେଦନକାରୀଙ୍କ କ୍ଷେତ୍ରରେ ଅରାଜି ହେବା ଯୁକ୍ତିଯୁକ୍ତ ନୁହେଁ ବୋଲି ହାଇକୋର୍ଟ ଦର୍ଶାଇବା ସହ ସରକାରୀ ଆଦେଶକୁ ନାକଚ କରିଦେଇ ଆବେଦନକାରୀଙ୍କୁ ଅଫିସିଏଟିଂ ପେ’ ପ୍ରଦାନ ଲାଗି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।