ଏମସିଏଲ ନାଲ୍‌କୋରେ ୧୭ହଜାର ବିସ୍ଥାପିତ

ଭୁବନେଶ୍ୱର : ଦୁଇଟି କେନ୍ଦ୍ରୀୟ ରାଷ୍ଟ୍ରାୟତତ୍ତ ଉଦ୍ୟୋଗ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ (ଏମସିଏଲ୍‌) ଏବଂ ଜାତୀୟ ଆଲୁମିନିୟମ୍ କମ୍ପାନି (ନାଲ୍‌କୋ) ଦ୍ୱାରା ଓଡ଼ିଶାରେ ୧୭,୮୯୮ ଜଣ ବିସ୍ଥାପିତ ହୋଇଛନ୍ତି ।

ଆଜି ଲୋକସଭାରେ ବିଜେପି ସାଂସଦ ଜୁଏଲ ଓରାମଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ସୂଚନା ପ୍ରଦାନ କରିଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏମସିଏଲରେ ବର୍ତ୍ତମାନ ସୁଦ୍ଧା ୧୭,୨୬୨ ପରିବାରକୁ ପ୍ରକଳ୍ପ ବିସ୍ଥାପିତ ପରିବାର (ପିଡିଏଫ୍‌) ଭାବରେ ଚିହ୍ନଟ କରାଯାଇଛି ଏବଂ ୧୨,୭୮୯ ପରିବାରଙ୍କୁ ଥଇଥାନ ସୁବିଧା ପ୍ରଦାନ କରାଯାଇଛି ।

ବିସ୍ଥାପିତ ବ୍ୟକ୍ତିଙ୍କ ଥଇଥାନ ଓ ପୁର୍ନବାସ (ଆରଆଣ୍ଡଆର୍‌) ପ୍ରସଙ୍ଗକୁ ଥଇଥାନ ଓ ଆଞ୍ଚଳିକ ବିକାଶ ପରାମର୍ଶଦାତା କମିଟି (ଆପିଆରଡିଏସି) ତଦାରଖ ଓ ସମୀକ୍ଷା କରିବା ସହ ବିସ୍ଥାପିତଙ୍କ ଅଭିଯୋଗର ସମାଧାନ କରାଯାଇଥାଏ । ସମ୍ପୃକ୍ତ ଜିଲ୍ଲାର ସ୍ଥାନୀୟ ସାଂସଦ, ବିଧାୟକ, ଜିଲ୍ଲାପାଳ ଓ ଏସପି, ଏମସିଏଲର ନିର୍ଦ୍ଦେଶକ (କାର୍ମିକ) ଏବଂ ଏମସିଏଲର ସିଜିଏମ/ଜିଏମଙ୍କୁ ନେଇ ବ୍ୟକ୍ତିଗତ ମାମଲାର ସମାଧାନ ପାଇଁ ଆରପିଡିଏସିମାନେ ସବ୍ କମିଟି ଗଠନ କରିଛନ୍ତି ।

ଏହାବ୍ୟତୀତ ଏମସିଏଲ୍ ଏବେ ବ୍ୟକ୍ତିଗତ ଅଭିଯୋଗର ସମାଧାନ ପାଇଁ ନିୟମିତ ଅଭିଯୋଗ ସମାଧାନ ବୈଠକ ଆୟୋଜନ କରୁଛି ଏବଂ ଓଡ଼ିଶା ସରକାରଙ୍କ ଥଇଥାନ ଓ ପୁର୍ନବାସ ନୀତି ଅଧୀନରେ ଥିବା ସମସ୍ତ ପିଡିଏଫ୍‌ଙ୍କୁ ଏହି ସୁବିଧା ପ୍ରଦାନ କରୁଛି । ସେହିପରି ନାଲକୋରେ ପ୍ରକଳ୍ପ କାର୍ଯ୍ୟ ଯୋଗୁଁ ମୋଟ ୬୩୬ ଜଣ ବିସ୍ଥାପିତ ହୋଇଛନ୍ତି । ସେଥିମଧ୍ୟରୁ କୋରାପୁଟ ଜିଲ୍ଲାର ଦାମନଯୋଡ଼ିରେ ୬୦୧ ଜଣ ଓ ଅନୁଗୁଳ ଜିଲ୍ଲାରେ ୩୫ ଜଣ ବିସ୍ଥାପିତ ହୋଇଛନ୍ତି ।

ଦାମନଯୋଡିର ୬୦୧ ଜଣ ଜମି ବିସ୍ଥାପିତ (ଏଲଡିପି) ଙ୍କ ମଧ୍ୟରୁ ୫୯୯ ଜଣ ଏଲଡିପି/ ସେମାନଙ୍କ ମନୋନୀତ ବ୍ୟକ୍ତି ନାଲକୋରେ ନିୟୋଜିତ ଥିଲେ । ଅବଶିଷ୍ଟ ଦୁଇଟି ମାମଲା ସମ୍ପର୍କରେ ନିକଟରେ ଚିହ୍ନଟ ହୋଇଥିବା ଗୋଟିଏ ମାମଲା ପାଇଁ ନାମାଙ୍କନ ଜିଲ୍ଲା ପ୍ରଶାସନ ଅନୁମୋଦନ କରିବ ଏବଂ ବାକି ଗୋଟିଏ ମାମଲା ପାଇଁ ପାରିବାରିକ ବିବାଦ କାରଣରୁ ମନୋନୀତଙ୍କ ଚୂଡ଼ାନ୍ତ ନହେବା କାରଣରୁ ଜିଲ୍ଲା କର୍ତ୍ତୃପକ୍ଷଙ୍କ ଠାରୁ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି ବୋଲି ଶ୍ରୀ ଯୋଶୀ କହିଛନ୍ତି ।

ଅନୁଗୁଳର ୩୫ ଜଣ ଏଲଡିପିଙ୍କ ମଧ୍ୟରୁ ୩୪ ଜଣ ଏଲ୍ ଡିପି/ସେମାନଙ୍କ ମନୋନୀତ ବ୍ୟକ୍ତି ନିଯୁକ୍ତି ପାଇଥିବା ବେଳେ ଜଣେ ଏଲଡିପି ଚାକିରି ବଦଳରେ ଏକକାଳୀନ ନଗଦ ନେବାକୁ ପସନ୍ଦ କରିଛନ୍ତି । ବିସ୍ଥାପିତଙ୍କ ସମସ୍ୟାର ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କୋଇଲା ମନ୍ତ୍ରୀ କହିଛନ୍ତି ଯେ ଖଣି ପ୍ରକଳ୍ପରେ ବିସ୍ଥାପିତ ଲୋକଙ୍କ ଥଇଥାନ ଓ ପୁର୍ନବାସ (ଆର୍‌ଆଣ୍ଡଆର୍‌) ବିଷୟବସ୍ତୁ ରାଜ୍ୟ ସରକାରଙ୍କ ଅଧୀନରେ ରହିଛି । ନାଲ୍‌କୋ ଓ ଏମ୍‌ସିଏଲ୍ ର ସୂଚନା ଅନୁଯାୟୀ, ନାଲକୋର ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଥିବା ଓଡ଼ିଶାବାସୀଙ୍କ ସମସ୍ୟାକୁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଥଇଥାନ ଓ ସ୍ଥାନୀୟ ବିକାଶ ପରାମର୍ଶଦାତା କମିଟି (ଆରପିଡିଏସି) ପକ୍ଷରୁ ସମୟକ୍ରମେ ସମୀକ୍ଷା କରାଯାଉଛି ।

ଏମସିଏଲରେ ଜମି ଅଧିଗ୍ରହଣ, ଥଇଥାନ ଓ ପୁର୍ନବାସ ଆଇନ, ୨୦୧୩ (ଆର୍‌ଏଫଡିିଟିଏଲଆର ଆଇନ, ୨୦୧୩) ଅନୁଯାୟୀ ଜମି, ଗଛ/ ଫସଲ ଏବଂ ଢାଞ୍ଚା ଅଧିଗ୍ରହଣ ବିରୋଧରେ କ୍ଷତିପୂରଣ ଆକଳନ କରାଯାଏ ଏବଂ କୋଇଲା ଖଣି ଅଞ୍ଚଳ (ଅଧିଗ୍ରହଣ ଓ ବିକାଶ) ଆଇନ ୧୯୫୭ (ସିବିଏ (ଏଆଣ୍ଡଡି) ଅଧିନିୟମ ଅନୁଯାୟୀ ଏମସିଏଲରେ ଜମି ହସ୍ତାନ୍ତର ପରେ ଗ୍ରାମବାସୀଙ୍କୁ ପ୍ରଦାନ କରାଯାଏ ବୋଲି ଶ୍ରୀ ଯୋଶୀ କହିଛନ୍ତି ।

Leave A Reply

Your email address will not be published.