ପୂର୍ବତଟ ରେଳବାଇରେ ୩୨୦୦ଟି ପଦବୀ ପୂରଣ-ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର : ଭାରତୀୟ ରେଳବାଇ ଗତ ୫ବର୍ଷ ମଧ୍ୟରେ ସମଗ୍ର ଦେଶରେ ଖାଲି ପଡିଥିବା ପାଖାପାଖି ୩ଲକ୍ଷ ପଦବୀ ପୂରଣ କରିଥିବାବେଳେ ୨୦୨୨-୨୩ ବର୍ଷରେ ପୂର୍ବତଟ ରେଳବାଇରେ ୩୨୦୦ଟି ପଦବୀ ପୂରଣ ହୋଇଛି । ବିଜେଡି ସାଂସଦ ମହେଶ ସାହୁଙ୍କ ଏକ ପ୍ରଶ୍ନର ଉତ୍ତରରେ ଲୋକସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ୨୦୨୩ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ବିଗତ ୫ବର୍ଷରେ ଭାରତୀୟ ରେଳବାଇ ଖାଲି ପଡିଥିବା ୨,୯୪,୧୧୫ ପଦବୀ ପୂରଣ କରିପାରିଛି । ସେହିଭଳି ଓଡିଶାର ଅଧିକ ଅଞ୍ଚଳରେ ଥିବା ପୂର୍ବତଟ ରେଳବାଇ ୨୦୨୨-୨୩ ବର୍ଷରେ ୩୨୦୦ଟି ପଦବୀ ପୂରଣ କରିଛି ।

ସେହିଭଳି ଗତ ୧୦ବର୍ଷ ମଧ୍ୟରେ ଭାରତୀୟ ରେଳବାଇ ସୁରକ୍ଷା ପାଇଁ ବିଭିନ୍ନ ଉନ୍ନତ ଜ୍ଞାନକୌଶଳ ଆପଣେଇ ଥିବାରୁ ରେଳ ଦୁର୍ଘଟଣା ହ୍ରାସ ପାଇପାରେ ଲାଗିଛି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୨୦୦୦-୦୧ ମସିହାରେ ଦେଶରେ ୪୭୩ଟି ରେଳ ଦୁର୍ଘଟଣା ଘଟିଥିବାବେଳେ ଏହାପରେ ବର୍ଷକୁ ବର୍ଷ ଦୁର୍ଘଟଣା ହ୍ରାସ ପାଇପାରେ ଲାଗିଛି । ତେବେ କୋଭିଡ ମହାମାରୀ ସମୟରେ ରେଳ ଚଳାଚଳ ଏକ ପ୍ରକାର ବନ୍ଦ ଥିବାରୁ ୨୦୨୦-୨୧ ବର୍ଷରେ ଏହା ୨୨କୁ ହ୍ରାସ ପାଇଥିଲା । କିନ୍ତୁ ଏହାର ପରବର୍ତ୍ତୀ ଦୁଇଟି ବର୍ଷରେ ରେଳ ଦୁର୍ଘଟଣା ବୃଦ୍ଧି ପାଇଛି । ୨୦୨୧-୨୨ ରେ ୩୫ଟି ରେଳ ଦୁର୍ଘଟଣା ଘଟିଥିବାବେଳେ ୨୦୨୨-୨୩ ରେ ଏହା ୪୮ ହୋଇଥିଲା ବୋଲି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ସେହିଭଳି ଟିକଟ ସଂକ୍ରାନ୍ତରେ ସୂଚନା ଦେଇ ରେଳମନ୍ତ୍ରୀ କହିଛନ୍ତି ଯେ ଅନ୍‍ଲାଇନ୍‍ରେ ହେଉଥିବା ରେଳ ଟିକଟ ମଧ୍ୟରୁ ୮୦ ପ୍ରତିଶତରୁ ଅଧିକ ଆଇଆରସିଟିସି ୱେବସାଇଟ୍‍ ଓ ମୋବାଇଲ ଆପ୍‍ ଜରିଆରେ ହେଉଛି । ଏହାଛଡା ସମଗ୍ର ଦେଶରେ ରେଳ ଟିକଟ ପାଇଁ ଯାତ୍ରୀ ସୁବିଧା ଟିକଟ କାଉଣ୍ଟରମାନ ରହିଛି । ଏଥିସହିତ ଆଇଆରସିଟିସି ଦ୍ୱାରା ଇଟିକେଟ ଏଜେଣ୍ଟମାନଙ୍କୁ ମୁତୟନ କରାଯାଇଛି ।

ଏଥି ସହିତ ଯାତ୍ରୀମାନେ ଯେଭଳି ଅଣସଂରକ୍ଷିତ ଟିକଟ ସୁବିଧାରେ ପାଇପାରିବେ ସେଥବପାଇଁ ସ୍ୱୟଂଚାଳିତ ଟିକଟ ଭେଣ୍ଡିଂ ମେସିନ୍‍ ସ୍ଥାପନ ସହିତ ୟୁଟିଏସ୍‍ ମୋବାଇଲ୍‍ ଆପ୍‍ ରହିଛି । ଏହାବାଦ୍‍ ଜନସାଧାରଣ ଟିକଟ ବୁକିଂ ସେବକ, ଯାତ୍ରୀଟିକଟ ସୁବିଧା କେନ୍ଦ୍ର, ଷ୍ଟେସନ ଟିକଟ ବୁକିଂ ଏଜେଣ୍ଟମାନଙ୍କୁ ମୁତୟନ କରାଯାଇଛି । ଟିକଟ ଯାଞ୍ଚ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଏବଂ ବ୍ୟବହାର ଅନୁକୂଳ ପାଇଁ ଯାଞ୍ଚ କର୍ମଚାରୀମାନଙ୍କୁ ହ୍ୟାଣ୍ଡହେଲ୍ଡ ଟର୍ମିନାଲ ପ୍ରଦାନ କରାଯାଉଛି ।

Leave A Reply

Your email address will not be published.