ଭୁବନେଶ୍ୱର : ଓଡ଼ିଶା ଏପର୍ଯ୍ୟନ୍ତ ଅନ୍ୟୁନ ୫ଜଣ ଅଣ ଓଡ଼ିଆଙ୍କୁ ଓଡ଼ିଶାରୁ ରାଜ୍ୟସଭାକୁ ପଠାଇଛି । ଆସନ୍ତାବର୍ଷ ଏହି ତାଲିକାରେ ଆଉ କିଛି ନାମ ଯୋଗ ହେବାର ସମ୍ଭାବନା ରହିଛି । ବିଭିନ୍ନ ଦଳରୁ ଏହି କ୍ରମରେ ଅନେକ ଆଶାୟୀ ଥିବା ଚର୍ଚ୍ଚା ହେଉଛି ।
୧୯୮୪ ମସିହାରେ ନିଖିଳ ଭାରତ କଂଗ୍ରେସ କମିଟିର କାର୍ଯ୍ୟକର୍ତ୍ତା ଥିବା କେରଳର କେ. ଭି. ପାନିକରଙ୍କୁ ଓଡ଼ିଶାରୁ ରାଜ୍ୟସଭାକୁ ପଠାଯାଇଥିଲା । ସେ କଂଗ୍ରେସ ସାଂସଦ ଭାବେ ୧୯୯୦ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।
କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନତା ଦଳର ରାଷ୍ଟ୍ରୀୟ ସଭାପତି ଏସ୍ ଆର୍ ବୋମାଇ ୧୯୯୨ ମସିହାରେ ଜନତା ଦଳ ପ୍ରାର୍ଥିଭାବେ ରାଜ୍ୟସଭାପତି ଓଡ଼ିଶାରୁ ନିର୍ବାଚିତ କରାଯାଇଥିଲା । ବୋମାଇ ତାଙ୍କର ଏହି କାର୍ଯ୍ୟକାଳ ମଧ୍ୟରେ ଏଚ୍. ଡି. ଦେବଗୌଡା ଓ ଆଇ. କେ. ଗୁଜୁରାଲଙ୍କ ସରକାରରେ କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗର କେନ୍ଦ୍ରମନ୍ତ୍ରୀ ଥିଲେ ।
କଂଗ୍ରେସ ଓ ଜନତା ଦଳ ଓଡ଼ିଶା ବାହାରର ୨ଜଣ ନେତାଙ୍କୁ ଓଡ଼ିଶାରୁ ରାଜ୍ୟସଭା ପଠାଇଥିବାବେଳେ ବିଜେପି କିନ୍ତୁ ଓଡ଼ିଶାରୁ ସର୍ବାଧିକ ୩ଜଣ ଅଣଓଡ଼ିଆଙ୍କୁ ଓଡ଼ିଶାରୁ ରାଜ୍ୟସଭାକୁ ପଠାଇବାରେ ସମର୍ଥ ହୋଇଛି । ପ୍ରାୟ ୧୩ବର୍ଷ ଧରି ଉତ୍ତରପ୍ରଦେଶରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ଛତ୍ରପାଲ୍ ସିଂ ଲୋଧାଙ୍କୁ ୨୦୦୪ ମସିହାରେ ବିଜେପି ପ୍ରାର୍ଥୀଭାବେ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ କରି ପଠାଯାଇଥିଲା ।
ତେବେ ଦେଢବର୍ଷ ଭିତରେ ଛତ୍ରପାଲ୍ ସିଂ ଏଭଳି ଅନୈତିକ କାମ କଲେ ଯେ ସଂସଦର ସଦାଚାର କମିଟିଙ୍କ ସୁପାରିଶ ଆଧାରରେ ତତ୍କାଳୀନ ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଭୈରବ ସିଂ ଶେଖାୱତ୍ ତାଙ୍କୁ ରାଜ୍ୟସଭାରୁ ବହିଷ୍କୃତ କରିଥିଲେ । ରାଜ୍ୟସଭାରୁ ବହିଷ୍କୃତ ହେବା କ୍ଷେତ୍ରରେ ଛତ୍ରପାଲ ହେଉଛନ୍ତି ଓଡ଼ିଶାର ପ୍ରଥମ ରାଜ୍ୟସଭା ସାଂସଦ । ପରେ ବି ସାଂସଦଙ୍କ ହାତପାଣ୍ଠି ପ୍ରକଳ୍ପ ମଞ୍ଜୁର କ୍ଷେତ୍ରରେ ଲାଞ୍ଚ କାରବାର କରିଥିବା ଅଭିଯୋଗ ତାଙ୍କ ବିରୋଧରେ ଆସିଥିଲା ।
ଉତ୍ତରପ୍ରଦେଶରର ଅନ୍ୟଜଣେ ରାଜନେତା ବଲ୍ବିର୍ ପୁଞ୍ଜଙ୍କୁ ବିଜେପି ଟିକେଟରେ ୨୦୦୮ରେ ରାଜ୍ୟସଭାକୁ ଓଡ଼ିଶାରୁ ନିର୍ବାଚିତ କରାଯାଇଥିଲା ଏବଂ ଶ୍ରୀ ପୁଞ୍ଜ ୨୦୧୪ ପର୍ଯ୍ୟନ୍ତ ରାଜ୍ୟସଭାରେ ଓଡ଼ିଶାର ସାଂସଦ ଥିଲେ ।
୨୦୧୯ରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦ୍ୱିତୀୟ ପାଳି ବିଜେପି ସରକାର ଗଠନ କରାଯିବା ପରେ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ପ୍ରାର୍ଥୀଭାବେ ଓଡ଼ିଶାରୁ ରାଜ୍ୟସଭାକୁ ପଠାଯାଇଛି ଏବଂ ସେ ଏବେ କେନ୍ଦ୍ର ରେଳ ଓ ଯୋଗାଯୋଗ ବିଭାଗର ମନ୍ତ୍ରୀ ଅଛନ୍ତି । ଶ୍ରୀ ବୈଷ୍ଣବଙ୍କ ଜନ୍ମ ରାଜସ୍ଥାନର ଯୋଦ୍ଧପୁରରେ ଏବଂ ତାଙ୍କର ପାଠପଢା ବି ରାଜସ୍ଥାନରେ ହୋଇଥିଲା । ଅବଶ୍ୟ ପରବର୍ତ୍ତୀ ସମୟରେ ସେ ଆଇଏଏସ୍ ପାଇ ଓଡ଼ିଶାରେ କିଛିବର୍ଷ ପାଇଁ କାମ କରିବା ସହ ପ୍ରଧାମନ୍ତ୍ରୀଙ୍କ ଦପ୍ତରରେ ବି ଅନ୍ୟତମ ଅଧିକାରୀ ଭାବେ ଅବସ୍ଥାପିତ ଥିଲେ । ଆଇଏଏସ୍ ଚାକିରି ଛାଡି ଅନ୍ୟ ବୃତ୍ତିରେ ରହିଥିବା ବୈଷ୍ଣବଙ୍କୁ ଓଡ଼ିଶାରୁ ନିର୍ବାଚିତ କରାଯାଇଛି ।
ଗୋଟିଏ ସମୟରେ ପୂର୍ବତନ ପ୍ରଧାମନ୍ତ୍ରୀ ପି. ଭି. ନରସିଂହ ରାଓ ମଧ୍ୟ କଂଗ୍ରେସ ପ୍ରାର୍ଥୀଭାବେ ଓଡ଼ିଶାରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଅନ୍ୟରାଜ୍ୟରେ ଜନ୍ମିତ କେତେକ ରାଜକୁମାରୀ ଓଡ଼ିଶାରେ ବିବାହ କରିବା ପରେ ଏଠାରୁ ବି ସଂସଦକୁ ନିର୍ବାଚିତ ହୋଇ ଯିବାର ଅନେକ ନଜିର ରହିଛି । ଓଡ଼ିଶା ରାଜ୍ୟ ବାହାରର ୫ଜଣଙ୍କୁ ରାଜ୍ୟସଭାକୁ ପଠାଇଥିବାବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ଜଣେ ଓଡ଼ିଆ ଯୁବକଙ୍କୁ ବିଜେପି ପ୍ରଥମେ ବିହାର ଓ ପରେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ପଠାଇଛି । ଅବଶ୍ୟ ଏହାପୂର୍ବରୁ ଶ୍ରୀ ପ୍ରଧାନ ରାଜ୍ୟ ବିଧାନସଭା ଓ ଲୋକସଭାର ସଦସ୍ୟ ଥିଲେ । ଆସନ୍ତାବର୍ଷ ଲୋକସଭା ସହ ରାଜ୍ୟ ବିଧାନସଭାର ନିର୍ବାଚନ ହେବ । ତେବେ ଆସନ୍ତାଥର ଓଡ଼ିଶାର ଖାଲି ହେଉଥିବା ରାଜ୍ୟସଭା ଆସନ ଉପରେ ବିଭିନ୍ନ ଦଳରୁ ନିର୍ବାଚିତ ହେବାପାଇଁ ଓଡ଼ିଶା ବାହାରର କିଛି ନେତା ମନ ବଳାଇଥିବା ଘେନି ରାଜନୈତିକ ସ୍ତରରେ ଚର୍ଚ୍ଚା ହେଉଛି ।