ତାପଜ ବିଦ୍ୟୁତ୍‍ ପ୍ରକଳ୍ପ ତାଲିକାରେ ଓଡିଶାର ଗୋଟିଏ

ଭୁବନେଶ୍ୱର : ଦେଶରେ ବୃଦ୍ଧି ପାଉଥିବା ବିଦ୍ୟୁତ୍‍ ଚାହିଦାକୁ ମେଣ୍ଟାଇବାପାଇଁ କେନ୍ଦ୍ର ସରକାର ଉଭୟ ତାପଜ ଓ ଜଳବିଦ୍ୟୁତ୍‍ ପ୍ରକଳ୍ପ ନିର୍ମାଣ କରୁଛନ୍ତି । ତାପଜ ପ୍ରକଳ୍ପ ତାଲିକାରେ ଓଡିଶାର ଗୋଟିଏ ଥିବାବେଳେ ଜଳବିଦ୍ୟୁତ୍‍ ପ୍ରକଳ୍ପ ତାଲିକାରେ ଓଡିଶା ନାହିଁ ।

କେନ୍ଦ୍ର ଶକ୍ତି ଏବଂ ନୂତନ ଅକ୍ଷୟଶକ୍ତି ମନ୍ତ୍ରୀ ଆର.କେ.ସିଂହ ଲୋକସଭାରେ ରଖିଥିବା ଉତ୍ତରରୁ ଏହା ଜଣାଯାଇଛି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ସମଗ୍ର ଦେଶରେ ଏବେ ୨୭,୧୮୦ ମେଗାୱାଟ କ୍ଷମତା ବିଶିଷ୍ଟ ୨୦ଟି ତାପଜ ବିଦ୍ୟୁତ୍‍ ପ୍ରକଳ୍ପ ପ୍ରତିଷ୍ଠା ହେଉଛି । ଏଥିରେ ଗୋଟିଏ ଘରୋଇ ପ୍ରକଳ୍ପ ରହିଛି । ରାଷ୍ଟ୍ରାୟତ ତାଲିକାରେ ଓଡିଶାର ତାଳଚେର ସ୍ଥିତ ଏନ୍‍ଟିପିସି ପ୍ରକଳ୍ପ ରହିଛି । ଏନ୍‍ଟିପିସିର ନିର୍ମାଣାଧିନ ଦୁଇଟି ୟୁନିଟ୍‍ରୁ ୬୬୦ ମେଗାୱାଟ କରି ମୋଟ୍‍ ୧୩୨୦ ମେଗାୱାଟ ବିଜୁଳି ମିଳିପାରିବ ।

ତେବେ ଜଳବିଦ୍ୟୁତ୍‍ କ୍ଷେତ୍ରରେ ଦେଶରେ ୩୩ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏଥିରେ ୧୭ଟି କେନ୍ଦ୍ରୀୟ ପ୍ରକଳ୍ପ, ୧୩ଟି ରାଜ୍ୟ ପ୍ରକଳ୍ପ ଓ ୩ଟି ଘରୋଇ ପ୍ରକଳ୍ପ ରହିଛି । ଏହି ସମସ୍ତ ପ୍ରକଳ୍ପର ଉତ୍ପାଦନ କ୍ଷମତା ହେଉଛି ୧୬,୭୬୬ ମେଗାୱାଟ । ଏଥି ମଧ୍ୟରେ କେନ୍ଦ୍ରୀୟ ପ୍ରକଳ୍ପରୁ ୧୨ହଜାର ମେଗାୱାଟ, ରାଜ୍ୟ ପ୍ରକଳ୍ପରୁ ୩ହଜାର ମେଗାୱାଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ ରହିଛି ।

ତେବେ ଏହି ଜଳବିଦ୍ୟୁତ୍‍ ପ୍ରକଳ୍ପ ତାଲିକାରେ ଓଡିଶାରେ ସ୍ଥାନ ନାହିଁ । ପଡୋଶୀ ଆନ୍ଧ୍ରପ୍ରଦେଶ ସରକାର ଗୋଦାବରୀ ନଦୀର ପୋଲାଭରମ ନଦୀବନ୍ଧ ଉପରେ ୯୬୦ ମୋଗାୱାଟର ପ୍ରକଳ୍ପ ନିର୍ମାଣ କରୁଥିବାବେଳେ ପଶ୍ଚିମବଙ୍ଗର ଦାର୍ଜିଲିଂ ଠାରେ ଏନ୍‍ଟିପିସି ୧୨୦ ମେଗାୱାଟର ପ୍ରକଳ୍ପ ନିର୍ମାଣ କରୁଛି ।

କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୨୦୨୨-୨୩ ବର୍ଷରେ ସମଗ୍ର ଦେଶରେ ୧୬,୨୪,୪୬୫ ନିୟୁତ ୟୁନିଟ୍‍ ବିଜୁଳି ଉତ୍ପାଦନ ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ଶେଷ ସୁଦ୍ଧା ୧୦,୪୭,୪୩୯ ନିୟୁତ ୟୁନିଟ୍‍ ବିଜୁଳି ଉତ୍ପାଦନ ହୋଇଛି । ଏଥି ମଧ୍ୟରେ ଚଳିତବର୍ଷ ଭୁଟାନ୍‍ରୁ ୪୬୪୪ ନିୟୁତ ୟୁନିଟ୍‍ ବିଜୁଳି ଆମଦାନୀ ହୋଇଛି । ତେବେ ଓଡିଶାରେ ଗତ ଆର୍ଥିକ ବର୍ଷରେ୭୧,୫୨୯ ନିୟୁତ ୟୁନିଟ୍‍ ବିଜୁଳି ଉତ୍ପାଦନ ହୋଇଥିବାବେଳେ ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଏହା ଏହା ୪୧,୯୫୧ ନିୟୁତ ୟୁନିଟ୍‍ ହୋଇଛି । ଏହି ବିଜୁଳି ମଧ୍ୟରେ ତାପଜ, ଜଳବିଦ୍ୟୁତ୍‍ ଓ ଅକ୍ଷୟଶକ୍ତି ଆଦି ରହିଛି ।

କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ପିକ୍‍ ସମୟରେ ବିଜୁଳି ଚାହିଦା ୧୨.୭ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ସାଧାରଣ ସମୟରେ ଏହା ୮.୬ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି । ସେହିଭଳି ଶିଳ୍ପ କ୍ଷେତ୍ରରେ ବିଦ୍ୟୁତ୍‍ ଚାହିଦା ୭.୧୮ ପ୍ରତିଶତ ବୃଦ୍ଧି ପାଉଛି । ଦେଶରେ ଏହି ବିଜୁଳି ଚାହିଦାକୁ ମେଣ୍ଟାଇବା ସହିତ ଭବିଷ୍ୟତର ଚାହିଦାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଉଭୟ ତାପଜ ଓ ଜଳବିଦ୍ୟୁତ୍‍ ପ୍ରକଳ୍ପ ସହିତ ଅନ୍ୟାନ୍ୟ ଅକ୍ଷୟଶକ୍ତି ପ୍ରକଳ୍ପ ଯଥା ସୌରଶକ୍ତି, ପ୍ରକଳ୍ପ ଶକ୍ତି ପ୍ରକଳ୍ପ ଉପରେ ଗୁରୁତ୍ୱ ଦେଉଛନ୍ତି ।

ସେହିଭଳି ଦେଶରେ ଯେଉଁ ୫ଟି ଆଣବିକ ବିଦ୍ୟୁତ୍‍ ପ୍ରକଳ୍ପ ନିର୍ମାଣ କରାଯାଉଛି ତାହା ଗୁଜୁରାଟ, ତାମିଲନାଡୁ, ରାଜସ୍ଥାନ ଓ ହରିଆନାରେ ହେଉଛି । ଏଥିରେ ତାମିଲନାଡୁରେ ଦୁଇଟି ପ୍ରକଳ୍ପ ଥିବାବେଳେ ସମସ୍ତ ଆଣବିକ ପ୍ରକଳ୍ପର ଶକ୍ତି ଉତ୍ପାଦନ କ୍ଷମତା ୮୦୦୦ ମେଗାୱାଟ ରହିଛି ।

Leave A Reply

Your email address will not be published.