ବାରବାଟୀ ଷ୍ଟାଡିୟମ୍ର ହେବ ନବକଳେବର। ଏଥିସହ ଗ୍ୟାଲେରୀ ଭଙ୍ଗା ଯାଇ ନୂଆ ରୁପରେ ତିଆରି କରାଯିବ। ଆଜି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସମ୍ମିଳନୀ କକ୍ଷରେ ବସିଥିବା ସାଧାରଣ ପରିଷଦ ବୈଠକରେ ଏ ନେଇ ପ୍ରସ୍ତାବ ଗୃହୀତ ହୋଇଛି। ଏ ନେଇ କମିଟି ଗଠନ କରାଯାଇ ଡିପିଆର ପ୍ରସ୍ତୁତ କରାଯିବ। ଜାନୁଆରୀରେ ରାଜ୍ୟ ସରକାର ଓ ବିସିସିଆଇକୁ ଅବଗତ କରାଯିବ। ଉଭୟ ରାଜ୍ୟ ସରକାର ଓ ବିସିସିଆଇ ସହାୟତାରେ ପୁନରୁଦ୍ଧାର କରାଯିବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା।ଅନ୍ୟପଟେ ତୃଣମୂଳ ସ୍ତରରୁ କ୍ରିକେଟର ଉନ୍ନତି ପାଇଁ ଇଣ୍ଟରସ୍କୁଲ ଟୁର୍ଣ୍ଣାମେଣ୍ଟ, କ୍ଲବ ଓ କଲେଜ ଟୁର୍ଣ୍ଣାମେଣ୍ଟ କରାଯିବ। ସେଥିରୁ ଖେଳାଳି ଚୟନ କରାଯାଇ ତାଙ୍କୁ ଏକାଡେମୀରେ ପ୍ରଶିକ୍ଷଣ ଦିଆଯିବ ବୋଲି କହିଛନ୍ତି। ଏହା ପ୍ରତି ଦୁଇ ବର୍ଷ ବ୍ୟବଧାନରେ କରାଯିବ ବୋଲି ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଥିବା ଶ୍ରୀ ବେହେରା କହିଛନ୍ତି।