ପ୍ରତିଭା ଆଗରେ ହାର ମାନିଲା ଦାରିଦ୍ର୍ୟ

———————————————-

ବାରିପଦା  – ଭୁବନେଶ୍ୱର ସ୍ଥିତ କିଟ ଏବଂ କିସ ପରିସରରେ ଆୟୋଜିତ ୬୭ ତମ ଜାତୀୟ ସ୍କୁଲ କ୍ରୀଡା ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ ଜଣ ଛାତ୍ର ଆକର୍ଷଣୀୟ ନୃତ୍ୟ କରି ସମସ୍ତଙ୍କୁ ବିମୋହିତ କରିଥିଲେ I ଏହି କ୍ରୀଡା ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟର ପ୍ରତିଯୋଗୀଙ୍କ ସମେତ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ବିଦ୍ୟାଳୟ ଓ ଗଣଶିକ୍ଷା କମିଶନର ଅଶ୍ୱସ୍ତି ଏସ ତଥା ବହୁ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ I ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ ଆଦି ବିଷୟବସ୍ତୁ ଉପରେ ଆଧାରିତ ନୃତ୍ୟକୁ ଜାଗେନ କିସ୍କୁ, କିସୁନ କିସ୍କୁ, ରାମଚନ୍ଦ୍ର ହେମ୍ବ୍ରମ, ସୋମପ୍ରକାଶ ବିଶୋଇ, ରୁଷିକ ସୋରେନ ଓ ଦଶରଥ ମାଝୀ ପରିବେଷଣ କରିଥିବା ବେଳେ ପିଣ୍ଟୁ ମହାନ୍ତ କଥାବସ୍ତୁ ଉପସ୍ଥାପନା କରିଥିଲେ I ପ୍ରକାଶ ଥାଉକି ଏହି ପିଲାମାନେ ଏକଦା ଦାରିଦ୍ରତା ସହ ସଂଘର୍ଷ କରୁଥିବା ବେଳେ ପରବର୍ତ୍ତୀ ସମୟରେ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ନେତାଜୀ ସୁଭାଷ ବୋଷ ଆବାସିକ ହଷ୍ଟେଲ ରହି ପାଠ ପଢ଼ିବାର ସୁଯୋଗ ପାଇଥିଲେ। ତାଙ୍କ ଭିତରେ ଥିବା ପ୍ରତିଭାକୁ ଉପଲବ୍ଧି କରି ପ୍ରଧାନ ଶିକ୍ଷକ ସୋମନାଥ ସିଂହଙ୍କ ପ୍ରେରଣାରେ ତଥା ନୃତ୍ୟଗୁରୁ ରୁପମ ରାମଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଥିଲେ। ରାଜ୍ୟରେ ପ୍ରଥମ ହୋଇଥିବାରୁ ସେମାନେ ଏହି ଜାତୀୟ ସ୍ତରୀୟ କ୍ରୀଡା ପ୍ରତିଯୋଗୀତାରେ ନୃତ୍ୟ ପ୍ରଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତତସହିତ ଜୀବନରେ ପ୍ରଥମ ଥର ପାଇଁ ବଡ ହୋଟେଲରେ ରହିବା ବହୁ ଦର୍ଶନୀୟ ସ୍ଥାନ ମଧ୍ୟ ବୁଲି ଦେଖିବାର ସୁଯୋଗ ପାଇଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପ୍ତି ନାଏକଙ୍କ ନେତୃତ୍ୱରେ ଏହି ଦଳ ସହିତ ନୃତ୍ୟଗୁରୁ ଶ୍ରୀ ରାମ ଓ ୱାର୍ଡେନ ସରୋଜ କୁମାର ସାବତ ପ୍ରମୁଖ ସାମିଲ ଥିଲେ। ଫେରିବା ପରେ ସେମାନଙ୍କୁ ସାଥି ଅନ୍ତେବାସୀ ଗଣ ଭବ୍ୟ ସ୍ୱାଗତ କରିଥିଲେ।

Leave A Reply

Your email address will not be published.