ଶ୍ରୀଜଗନ୍ନାଥଙ୍କୁ ନେଇ ରାଜନୀତି କରିବା ଆଦୌ ଗ୍ରହଣୀୟ ନୁହେଁ


 କାମିୟା ପ୍ରସଙ୍ଗକୁ ନେଇ ଶ୍ରୀଜଗନ୍ନାଥ ଓ ଓଡିଶାକୁ ଅଧିକ ବଦନାମ କରାନଯାଉ
 ବଳିଷ୍ଠ ପ୍ରମାଣ ସହିତ ବିରୋଧିମାନେ ଆଇନ୍‍ ଅଦାଲତକୁ ଯିବାରେ ବାଧା ନାହିଁ
 ଦେଶର ଅନ୍ୟାନ୍ୟ ହିନ୍ଦୁ ମନ୍ଦିରର ନିରବତା ଏବେ ମାମଲାକୁ ଅଧିକ ଜଟିଳ କରୁଛି
 ଶ୍ରୀଜଗନ୍ନାଥ ଓ ପୁରୀର ପବିତ୍ରତାକୁ ନେଇ ରାଜନୀତିକୁ ଓଡିଆଜାତି ଗ୍ରହଣ କରିବ ନାହିଁ

ଭୁବନେଶ୍ୱର : ଆସନ୍ତା ଜାନୁୟାରୀ ୧୭ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନୀ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଥିବାବେଳେ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମ ନେଇ କିଛି ଲୋକ ଏବେ କୁତ୍ସାରଟନା କରିବାରେ ଲାଗିଛନ୍ତି । ଏପରିକି ଦେଶ ବିଦେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିରକୁ ବଦନାମ କରିବାରେ ଲାଗି ପଡିଛନ୍ତି । ଯେଉଁ ପ୍ରସଙ୍ଗକୁ ନେଇ ଓଡିଶାର କୁଳ ଦେବତା ଓ ଦେବପୀଠକୁ ନେଇ ଏତେ ସବୁ ବଦନାମ ଚାଲିଛି ତାହାର ବଳିଷ୍ଠ ପ୍ରମାଣ ବି କାହାରି ପାଖରେ ନାହିଁ ।
ପ୍ରସଙ୍ଗ ହେଉଛି ୟୁ ଟ୍ୟୁବ ବ୍ଲଗର କାମିୟା ଜାନି ଓ ବିଜେଡି ନେତା ଭି କେ ପାଣ୍ଡିଆନଙ୍କୁ ନେଇ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଚାର ପ୍ରଚାର କରୁଥିବା କାମିୟା ଗୋମାଂସ ଭକ୍ଷଣକାରୀ ବୋଲି ଏବେ ବିରୋଧିଦଳ ଓ ସେମାନଙ୍କ ଦ୍ୱାରା ପରିଚାଳିତ ସୋସିଆଲ ମିଡିଆ ହୁରି ପକାଇଛନ୍ତି । ସେମାନଙ୍କ ସହିତ କିଛି ସାଧାରଣ ଜନତା ବି ସ୍ୱର ମିଳାଉଛନ୍ତି । ପ୍ରତିଦିନ ଏହି ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ପ୍ରକଟ ହେଉଛି । ତେବେ ସର୍ବଶେଷ ଖବର ହେଉଛି କାମିୟା ଜଣେ ହିନ୍ଦୁ ଓ ସେ ଗୋମାଂସ ଖାଆନ୍ତି ନାହିଁ ବୋଲି କହିଛନ୍ତି ।
କିନ୍ତୁ ଏହି ପ୍ରସଙ୍ଗକୁ ନେଇ ରାଜନୀତିର ରୁଟି ସେକୁଥିବା ରାଜନୈତିକ ଦଳ ଓ ନେତାମାନେ ନିଜ ଜାଣତରେ ହେଉ ବା ଅଜାଣତରେ ନିଜର ଓ ନିଜ ଦଳର ବ୍ୟାପକ କ୍ଷତି କରିବାରେ ଲାଗିଛନ୍ତି । ଯେଉଁ ପ୍ରସଙ୍ଗକୁ ନେଇ ସେମାନେ ଏତେ ହୋହଲ୍ଲା କରୁଛନ୍ତି ତାହା ଦ୍ୱାରା ସମ୍ପୃକ୍ତ ମହିଳାଙ୍କର ବ୍ୟାପକ ପ୍ରଚାର ପ୍ରସାର ହେଉଥିବାବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ବଦନାମ ହେବା ସାର ହେଉଛି । ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତି ଥିବା ଲୋକେ ଏବେ ଏଭଳି ବ୍ୟାପକ ପ୍ରଚାର ପ୍ରସାରକୁ ଗ୍ରହଣ କରିପାରୁ ନାହାନ୍ତି । କାରଣ କେହି ଚାହେଁ ନାହିଁ ତା’ଣ ପ୍ରଭୁ ବଦନାମ ହୁଅନ୍ତୁ ବୋଲି ।
ଅନ୍ୟ ପକ୍ଷରେ ସାଧାରଣ ଲୋକେ ମଧ୍ୟ ଧିରେ ଧିରେ ସନ୍ଦେହ କଲେଣି ଯେ ଯଦି ଏହି ଘଟଣାରେ କିଛି ସତ୍ୟତା ରହିଛି ତେବେ ପୁରୀ ଶଙ୍କରାଚାର୍ଯ୍ୟ, ପୁରୀ ଗଜପତି, ଶ୍ରୀଜଗନ୍ନାଥଙ୍କ ସେବକମାନେ ନିରବ କାହିଁକି ? କାହିଁକି ଏହି ପ୍ରସଙ୍ଗରେ କେବଳ ରାଜନୈତିକ ନେତାମାନେ ସଞ୍ଜ ହେଲେ ବୟାନ ଦେଉଛନ୍ତି ? ଏହି ରାଜନେତାମାନେ କାହିଁକି ପଚ୍ଛଦ ପଟରେ ରହି ଅନ୍ୟମାନଙ୍କୁ ଉସ୍‍କାଉଛନ୍ତି ?
ତେବେ ଏହାର ଏକମାତ୍ର ଉତ୍ତର ହେଉଛି ରାଜନୀତି । କାମିୟା ପ୍ରସଙ୍ଗ ଆଢୁଆଳରେ ବିଜେଡି ରାଜନୀତିର ଚାଣକ୍ୟ କୁହାଯାଉଥିବା ପାଣ୍ଡିଆନଙ୍କୁ ନିଶାଣ କରିବା ହେଉଛି ବିରୋଧି ଦଳଙ୍କର ମୁଖ୍ୟ ଲକ୍ଷ୍ୟ । ହେଲେ ରାଜନୀତିର ଶିଢି ଚଢିବାପାଇଁ ଜଗନ୍ନାଥଙ୍କୁ ବ୍ୟବହାର କରିବା, ତାଙ୍କୁ ବଦନାମ କରିବା କେତେଦୂର ସମୀଚିତ ତାହା ସମୟ ହିଁ କହିବ । ଓଡିଶାରେ ରାଜନୀତି କରିବାପାଇଁ ଅନେକ ପ୍ରସଙ୍ଗ ରହିଛି, ଭି କେ ପାଣ୍ଡିଆନ ରାଜନୀତିରେ ଯୋଗ ଦେବାପରେ ତାଙ୍କୁ ରାଜନୈତିକ ବିରୋଧ କରିବାରେ କାହାର କିଛି ଆପତ୍ତି ନାହିଁ । ହେଲେ ରାଜନୀତି କରିବାପାଇଁ ଓ ଜଣେ ରାଜନେତାଙ୍କୁ କାଠଗଡାରେ ଛିଡା କରିବାପାଇଁ ଓଡିଶାର କୂଳଦେବତାଙ୍କୁ ବ୍ୟବହାର କରାନଯାଉ । ଏହାର କୌଣସି ବି ଜଗନ୍ନାଥପ୍ରେମୀ ଗ୍ରହଣ କରିବେ ନାହିଁ ।
ପୁରୀ ମନ୍ଦିରରେ ପ୍ରବେଶ କରିଥିବା ଓ ମନ୍ଦିର ବାହାରେ ମହାପ୍ରସାଦ ସେବନ କରିଥିବା କାମିୟା ଗୋମାଂସ ଖାଆନ୍ତି ବୋଲି ଯେଉଁ କିଛି ଭିଡିଓକୁ ବିରୋଧି ରାଜନୈତିକ ଦଳର ନେତା ଓ ତାଙ୍କର ପୃଷ୍ଠପୋଷକ ସୋସିଆଲ ମିଡିଆ ବାରମ୍ବାର ପ୍ରସାରିତ କରିବାରେ ଲାଗିଛନ୍ତି ସେମାନେ ଜାଣି ରଖିବା ଦରକାର ଯେ ଏହି ମହିଳା ଜଣଙ୍କ ପୂର୍ବରୁ ଦେଶର ଅନ୍ୟାନ୍ୟ ହିନ୍ଦୁ ମନ୍ଦିରରେ ବି ପ୍ରବେଶ କରିଛନ୍ତି । ଯଦି ଏହି ଭିଡିଓରେ ସତ୍ୟତା ରହିଛି ତେବେ ସେହିସବୁ ମନ୍ଦିର କର୍ତ୍ତୃପକ୍ଷ ବର୍ତ୍ତମାନ ସୁଦ୍ଧା ନିରବ କିଭଳି ଅଛନ୍ତି ? କାହିଁକି ଏହି ମହିଳାଙ୍କ ଉପରେ ପ୍ରଶ୍ନବାଚୀ ଲଗାଉ ନାହାନ୍ତି କି ଥାନାରେ ମାମଲା ରୁଜୁ କରୁ ନାହାନ୍ତି ?
ବର୍ତ୍ତମାନ ସୋସିଆଲ ମିଡିଆ ଯୁଗରେ କଳାକୁ ଧଳା ଓ ଧଳାକୁ କଳା କରିବା କାର୍ଯ୍ୟ ଆଖି ପିଛୁଳାକେ ହେଉଛି । କାମିୟା ଯଦି ଗୋମାଂସ ଭକ୍ଷଣ କରିଛନ୍ତି ତେବେ ତାହାର ବଳିଷ୍ଠ ପ୍ରମାଣ ସହିତ ତାଙ୍କୁ ଆଇନ୍‍ର କାଠଗଡାକୁ ଟଣାଯାଉ । ସେ ସର୍ବ ସମ୍ମୁଖରେ କ୍ଷମା ପ୍ରାର୍ଥନା କରନ୍ତୁ । ଜଗନ୍ନାଥଙ୍କ ପାଖରେ ନିଜର ଭୁଲ ସ୍ୱୀକାର କରନ୍ତୁ । ଏହାକୁ ନେଇ ନେତାମାନେ ଥାନା ଫାଣ୍ଡି ଠାରୁ ଆରମ୍ଭ କରି ଆଇନ୍‍ ଅଦାଲତକୁ ଯିବାରେ କାହାର କିଛି ଆପତ୍ତି ନାହିଁ । ହେଲେ ସେମାନେ ମହାପ୍ରଭୁଙ୍କୁ ବିବାଦ ଭିତରକୁ ନଟାଣନ୍ତୁ । ନିଜର ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ ପାଇଁ ଶ୍ରୀଜଗନ୍ନାଥଙ୍କୁ ବ୍ୟବହାର କରିବା କେତେଦୂର ସମୀଚିନ ତାହା ଆଗାମୀ ଦିନ ହିଁ କହିବ ।

Leave A Reply

Your email address will not be published.