ହେତୁବାଦ ପ୍ରାକୃତିକ ଭାବନା-ଗୋପବନ୍ଧୁ (ଅବସରପ୍ରାପ୍ତ,ଅଧ୍ୟାପକ)

  ହେତୁ କହିଲେ ସାଧାରଣତଃ ମନୁଷ୍ୟର ବୁଦ୍ଧିମତ୍ତାକୁ ବୁଝାଏ। ଏହି ବୁଦ୍ଧିମତ୍ତାକୁ ବିବେକ ବୋଲି ମଧ୍ୟ କୁହାଯାଏ। ମନୁଷ୍ଯର ବୁଦ୍ଧି ବା ବିବେକ ଅନେକ ଗୁଡିଏ ବିଷୟ ଦ୍ଵାରା ନିୟନ୍ତ୍ରିତ ହୁଏ। ଏଗୁଡିକ ମୁଖ୍ୟତଃ କାରଣବାଦ, ତର୍କବାଦ ଓ ଅଭିଜ୍ଞତାବାଦ। ତେବେ ଏ ସମସ୍ତ ବାଦର ମୂଳ ଆଧାର ହେଉଛି କାରଣବାଦ। ହେତୁର ଅନ୍ୟନାମ ହେଉଛି କାରଣ। ତେଣୁ ହେତୁବାଦକୁ କାରଣବାଦ ବା କରଣୀକତାବାଦ କୁହାଯାଇପାରେ। କରଣୀକତାବାଦ କହିଲେ କାର୍ଯ୍ୟ-କାରଣ ନିୟମକୁ ବୁଝାଏ। ଏହା ଏକ ସର୍ବବ୍ୟାପୀ ନିୟମ ଅଟେ। ଏହି ନିୟମ ଉପରେ ବିଜ୍ଞାନ ପର୍ଯ୍ୟବେଶିତ। ବିଶ୍ୱବ୍ରହ୍ମାଣ୍ଡ ଏହି ନିୟମ ଦ୍ୱାରା ପରିଚାଳିତ ହୋଇଆସିଛି। ଏଥିରେ ବ୍ୟତିକ୍ରମ ନାହିଁ। ଏହି ନିୟମ ଅନୁଯାୟୀ ପ୍ରଥମେ କାରଣ ସୃଷ୍ଟି ହୁଏ ଓ ଏହାପରେ କାର୍ଯ୍ୟ ବା ଘଟଣା ସଂଗଠିତ ହୁଏ। କୌଣସି କ୍ଷେତ୍ରରେ କାରଣ ବିନା କାର୍ଯ୍ୟ ସୃଷ୍ଟି ହେବା ସମ୍ଭବପର ନୁହେଁ। ଏହି କାର୍ଯ୍ୟ-କାରଣ ସମ୍ବନ୍ଧୀୟ ତତ୍ତ୍ଵ ହିଁ ହେତୁବାଦ। ବିଜ୍ଞାନ କହିଲେ ନିର୍ଦ୍ଧିଷ୍ଟ ଓ ସୁସଂହତ ଜ୍ଞାନକୁ ବୁଝାଏ। ତେଣୁ ହେତୁବାଦ କହିଲେ କରଣୀକତା ଉପରେ ପର୍ଯ୍ୟବେଶିତ ବୈଜ୍ଞାନିକ ସିଦ୍ଧାନ୍ତକୁ ବୁଝାଏ। ବୁଦ୍ଧିର ମୂଳ ଆଧାର ହେଉଛି କାରଣୀକତା। ସେହିମାନେ ହିଁ ବୁଦ୍ଧିମାନ ଯେଉଁମାନେ କରଣୀକତାର ସଠିକ ନିର୍ଣ୍ଣୟ କରିପାରନ୍ତି। ଏହା ଜ୍ଞାନର ସେହି ଉଚ୍ଚତର ସୋପାନ ଯାହା ପ୍ରକୃତ ସତ୍ୟ ନିକଟରେ ଉପନୀତ ହେବାରେ ସହାୟକ ହୁଏ। ତର୍କବାଦ ଓ ଅନୁଭୂତିବାଦ କାରଣବାଦ ବିନା ସ୍ଵୟଂସମ୍ପୂର୍ଣ୍ଣ ନୁହେଁ। କାରଣବାଦକୁ ଉଦଭାସିତ କରିବା ଉଭୟ ତର୍କବାଦ ଓ ଅନୁଭୂତିବାଦର ଲକ୍ଷ୍ୟ।
      ଅନ୍ୟ ପକ୍ଷରେ ଅନ୍ଧବିଶ୍ୱାସ ହେତୁବାଦର ସମ୍ପୂର୍ଣ୍ଣ ପରିପନ୍ଥୀ। ବିଶ୍ବାସ ବିଜ୍ଞାନସିଦ୍ଧ ନୁହେଁ। ଏହା ସଠିକ ଜ୍ଞାନ ମଧ୍ୟ ନୁହେଁ। ଅନେକ ସମୟରେ ବିଶ୍ବାସ ମିଥ୍ୟା ହୋଇଥାଏ। ଅତୀତରେ ଲୋକମାନେ ବିଶ୍ବାସ କରୁଥିଲେ ପୃଥିବୀ ସ୍ଲେଟ୍ ଭଳିଆ ସମତଳ, କିନ୍ତୁ ପରେ ଏହା ଭୁଲ ବୋଲି ପ୍ରମାଣିତ ହେଲା। ଏହିପରି ଅନେକ ବିଶ୍ଵାସ ସମାଜରେ ଥିଲା ଯାହା ପରେ ମିଥ୍ୟା ବୋଲି ପ୍ରମାଣିତ ହୋଇଛି ଓ ପ୍ରତ୍ୟାଖିତ ହୋଇଛି। ବିଶ୍ଵାସ ଓ ଜ୍ଞାନ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି। ବିଶ୍ବାସ ବ୍ଯକ୍ତି ସାପେକ୍ଷ। କୌଣସି ବିଷୟ ଉପରେ ଭିନ୍ନ ଭିନ୍ନ ବ୍ଯକ୍ତିର ବିଶ୍ବାସ ଅଲଗା ଅଲଗା ହୋଇପାରେ। କିନ୍ତୁ ଜ୍ଞାନ ସର୍ବଦା ସତ୍ୟ। ଜ୍ଞାନ ଅନେକ ପ୍ରକାରର ହୋଇପାରେ। କିନ୍ତୁ କୌଣସି ନିର୍ଦ୍ଧିଷ୍ଟ ଜ୍ଞାନରେ ବିବିଧତା ନାହିଁ । ଜ୍ଞାନ ଗୋଟିଏ, ବିଶ୍ଵାସ ଅନେକ। ତେଣୁ ବିଶ୍ବାସକୁ ଜ୍ଞାନ ବୋଲି କୁହାଯାଇ ପାରିବ ନାହିଁ। ଜ୍ଞାନରୁ ବିଜ୍ଞାନ। ବିଜ୍ଞାନ ହେଉଛି ଶୋଧିତ ଜ୍ଞାନ। ଏହା ନିର୍ଭୁଲ। ବିଶ୍ଵାସ ଓ ଅବିଶ୍ବାସ ଉପରେ ବିଜ୍ଞାନ ନିର୍ଭର କରେନାହିଁ। ଏହା ପ୍ରମାଣ ଉପରେ ନିର୍ଭର କରେ। ଅନ୍ଧ ହେଉଛି ଦେଖି ପାରୁନଥିବା ବ୍ଯକ୍ତି। ତେଣୁ ଦେଖି ପାରୁନଥିବା ବ୍ଯକ୍ତିର ବିଶ୍ଵାସ ହେଉଛି ଅନ୍ଧବିଶ୍ବାସ। ସାଧାରଣ ଭାବେ ଯେଉଁ ଜ୍ଞାନ ବିଜ୍ଞାନସମ୍ମତ ନୁହେଁ ତାହାକୁ ଅନ୍ଧବିଶ୍ବାସ କୁହଯାଏ।
          ଆଜିର ମନୁଷ୍ଯ ବହୁ ବିବର୍ତ୍ତନ ପ୍ରକ୍ରୀୟା ଦେଇ ବର୍ତ୍ତମାନର ସ୍ଥିତିକୁ ଆସିଛି। କ୍ରମେ ତାର ବୁଦ୍ଧିମତ୍ତାର ବିକାଶ ଘଟିଛି। ଏହି ବିକାଶ ପଛରେ ରହିଛି କରଣୀକତା ସମ୍ଭନ୍ଧୀୟ ସଚେତନତା। ସେ ପ୍ରତ୍ୟେକ ଘଟଣାକୁ ଏକ ଆକସ୍ମିକ ବିଷୟଭାବେ ଗ୍ରହଣ କରିବାକୁ କୁଣ୍ଠାବୋଧ କରିଛି। ଘଟଣା ସଂଗଠିତ ହେବା ପଛର କାରଣ ଖୋଜିବାକୁ ଚେଷ୍ଟା କରିଛି। ଅନୁଭୂତି ତାକୁ ପ୍ରେରୀତ କରିଛି ଗ୍ରହଣ କରିବାକୁ ଯେ ପ୍ରତ୍ୟେକ କାର୍ଯ୍ୟ ବା ଘଟଣାର ଯାଥାଯଥ କାରଣ ରହିଛି। ବିନା କାରଣରେ କିଛି ଘଟେ ନାହିଁ। ଏହି ଅବଧାରଣା ମନୁଷ୍ଯର ମନରେ ହେତୁ ରୂପରେ ରୋପିତ ହୋଇଛି। ମାନବ ସଭ୍ୟତାର ବିକାଶ ଦିଗରେ ହେତୁବାଦର ଭୂମିକା ଅତୁଳନୀୟ। ବିଜ୍ଞାନ ବିନା ଆଧୁନିକ ସଭ୍ୟତାର ପରିକଳ୍ପନା କରାଯାଇ ପାରିବ ନାହିଁ। ପୁଣି ହେତୁବାଦ ବିନା ବିଜ୍ଞାନର ପରିକଳ୍ପନା କରାଯାଇ ପାରିବ ନାହିଁ। ବିଜ୍ଞାନ ନିର୍ଣ୍ଣୟ କରିଛି କାହାକୁ ହେତୁ ବା କାରଣ କୁହାଯିବ। କାରଣ ତାହା ଯାହା ନିକଟରେ କାର୍ଯ୍ୟ ସୃଷ୍ଟି କରିବାର କ୍ଷମତା ଥିବ। ଯେ କୌଣସି ବିଷୟକୁ କାରଣ ରୂପରେ ଗ୍ରହଣ କରାଯାଇ ପାରିବ ନାହଁ। ନଦୀର ଉପର ମୁଣ୍ଡରେ ଜୋରରେ ବର୍ଷାହେବା ବା ଅନ୍ୟ କୌଣସି କାରଣରୁ ପ୍ରବଳ ଜଳ ପ୍ରବାହ ନଇ ବଢ଼ିର କାରଣ ହୋଇପାରିବ। କିନ୍ତୁ ଭୂମିକମ୍ପ, କୌଣସିଠାରେ ଯୁଦ୍ଧଲାଗିବା ପରି ଅସଂପୃକ୍ତ ଘଟଣା ନଇ ବଢ଼ିର କାରଣ ହୋଇପାରିବ ନାହିଁ।
      ଆଦିମ ଅବସ୍ଥାରେ ମନୁଷ୍ଯର ବୌଦ୍ଧିକତାର ବିକାଶ ଘଟିନଥିଲା। ତା ମନରେ ଜିଜ୍ଞାସାଭାବ ପରିପକ୍ୱ ନଥିଲା। ଅନେକ ଘଟଣାର ରହସ୍ୟଭେଦ କରିବାକୁ ସେ ସକ୍ଷମ ନଥିଲା। ଏ ସମସ୍ତ ବିଷୟ କୌଣସି ନା କୌଣସି ଅଦୃଶ୍ୟ ଶକ୍ତିର କାର୍ଯ୍ୟ ବୋଲି ସେ ଭାବି ନେଉଥିଲା। ତାର ବିଶ୍ବାସ କ୍ରମେ ଲୋକାୟତିକ କାରଣରେ ପରିଣତ ହେଲା। ଅଧିକରୁ ଅଧିକ ଲୋକ ଏହାକୁ ବିଶ୍ବାସ କଲେ। ଅଦୃଶ୍ୟ ଶକ୍ତିକୁ ସନ୍ତୁଷ୍ଟ କରିବା ପାଇଁ ନାନାପ୍ରକାର ବିଧିବିଧାନ ସୃଷ୍ଟିହେଲା। ପରବର୍ତ୍ତୀ ପର୍ଯ୍ୟାୟରେ ଏହିପ୍ରକାର କର୍ମକାଣ୍ଡ ପରମ୍ପରାର ରୂପନେଲା। ଧର୍ମର ସୃଷ୍ଟି କାଳରେ ଏହି ପରମ୍ପରା ଧାର୍ମିକ କଥନର ମଧ୍ୟ ଅଂଶବିଶେଷ ହୋଇଗଲା। ଏପ୍ରକାର ଅନ୍ଧବିଶ୍ବାସ ଧର୍ମ ବିଶ୍ଵାସର ଅଂଶ ହୋଇଗଲେ ତାହା ଧାର୍ମିକ ମୌଳବାଦୀଙ୍କ ପାଇଁ ବୌଦ୍ଧିକ ଓ ଶାରୀରିକ ଅତ୍ୟାଚାରର ଅସ୍ତ୍ର ହୋଇଯାଏ। ଧର୍ମ ଓ ଧର୍ମଶାସ୍ତ୍ରର ଦ୍ୱାହିଦେଇ ହେତୁବାଦକୁ ଦଳିଦେବାକୁ ଚେଷ୍ଟା ହୁଏ। ବିଜ୍ଞାନ ଅଳିଆ ଗଦାକୁ ଚାଲିଯାଏ। ଜିଜ୍ଞାସାଭାବ ହଜିଯାଏ। ମନୁଷ୍ଯ କାରଣୀକତାକୁ ଛାଡି ସେହି ଆଦିମ ଯୁଗକୁ ଚାଲିଯାଏ। ସେ ଅନ୍ଧବିଶ୍ୱାସର ଅନ୍ଧାରୀ ରାଜ୍ୟର ବାସିନ୍ଦା ହୋଇଯାଏ। ସେହି ଯୁଗର ବର୍ବରତା ତା ଭିତରେ ଜାଗିଉଠେ। ଯିଏ ତା ସହିତ ଏକମତ ହୁଏନାହିଁ, ସେ ଆକ୍ରୋଶର ଶୀକାର ହୁଏ। ତାକୁ ଗାଳିଗୁଲଜ ହୁଏ, ଧମକଚମକ ଦିଆହୁଏ, ମାଡ ବି ଦିଆହୁଏ, ବେଳେବେଳେ ହତ୍ୟାର ଶୀକାର ମଧ୍ୟ ହେବାକୁ ହୁଏ।
      ହେତୁବାଦୀ ଓ ଅନ୍ଧବିଶ୍ଵାସୀଙ୍କ ମଧ୍ୟରେ ସଂଘର୍ଷ ନୂଆକଥା ନୁହେଁ। ଏହା ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସିଛି। ଅନେକଙ୍କୁ ଜୀବନ ଦେବାକୁ ପଡ଼ିଛି। ତଥାପି ହେତୁବାଦୀମାନେ ଦବିଯାଇ ନାହାଁନ୍ତି କି ନିଜ ଉଦ୍ୟମକୁ ଛାଡି ନାହାଁନ୍ତି। ଆଜିର ଅବସ୍ଥାରେ କାହିଁକି ଗୋଟିଏ କଥାକୁ ସତ୍ୟ ବୋଲି ଗ୍ରହଣ କରିବା ତାହାର ଉପଯୁକ୍ତ ବିଜ୍ଞାନସମ୍ମତ ବ୍ୟାଖାନ ଅତ୍ୟନ୍ତ ଜରୁରୀ। ଅନ୍ୟଥା ଏହାକୁ ଗ୍ରହଣ କରିବାକୁ ଅନେକ ଲୋକ ଅନିଚ୍ଛା ପ୍ରକାଶ କରିବା ସ୍ୱାଭାବିକ। ପୂର୍ବପୁରୁଷମାନେ ମାନୁଥିଲେ, ଆମ ପରମ୍ପରାରେ ଏହା ଅଛି, ଆମଧର୍ମ ଏହା କହୁଛି, ତେଣୁ ଆମେ ମାନିବା ଉଚିତ୍, ଏପରି ଯୁକ୍ତିକୁ ପ୍ରତ୍ଯାଖ୍ଯାନ କରିବାକୁ ଅନେକ ଲୋକ ବାହାରିଲେଣୀ। ଅନ୍ଧବିଶ୍ଵାସ କଦାପି ଦୀର୍ଘସ୍ଥାୟୀ ହେବନାହିଁ। କୌଣସି ବିଶ୍ବାସକୁ ଦୀର୍ଘସ୍ଥାୟୀ କରିବାକୁ ହେଲେ ତା ପଛର ବୈଜ୍ଞାନିକ ବ୍ୟାଖାନକୁ ସ୍ପଷ୍ଟ କରିବାକୁ ହେବ। ଅନ୍ୟଥା ମନୁଷ୍ଯର ବୌଦ୍ଧିକତା ତାକୁ ଗ୍ରହଣ କରିପାରିବ ନାହିଁ। ଅନ୍ଧବିଶ୍ଵାସ ଅନ୍ଧାରରେ ହିଁ ରାଜୁତି କରିବ। ଜ୍ଞାନର ଆଲୋକକୁ ଦେଖିଲେ ଚିହିଁଙ୍କିବ। ସମୟର ଇତିହାସରେ ଜଣେ ଅନ୍ଧବିଶ୍ଵାସୀ ତାର ଅନ୍ଧସାମ୍ରାଜ୍ୟକୁ ନେଇ ପରିଚିତ ହେବ।               
         ଗୁମ୍ଫା ଓ ବୃକ୍ଷ କୋରଡରେ ବସବାସ କରୁଥିବା ମନୁଷ୍ଯ ଦୀର୍ଘ ପଥ ଅତିକ୍ରମ କରି ଆଜି ଆଧୁନିକ ସଭ୍ୟତାରେ ପହଞ୍ଚିଛି।  ତାକୁ ଆଜି ସୁସଭ୍ୟ ବୋଲି କୁହାଯାଉଛି। ଏହି ସୋପାନରେ ପହଁଞ୍ଚିବା ପାଇଁ ତାକୁ ବହୁ ବୌଦ୍ଧିକ ସଂଘର୍ଷର ସମ୍ମୁଖୀନ ହେବାକୁ ପଡିଛି। ଏ ସଂଘର୍ଷ ଘଟିଛି ହେତୁବାଦୀ ଧାରଣା ଓ ଅନ୍ଧବିଶ୍ଵାସ ମଧ୍ୟରେ। ଆଦିମାନବ ସମ୍ପୂର୍ଣ୍ଣରୂପେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ଥିଲା। ତା ମନରେ କ୍ରମେ ଜିଜ୍ଞାସାଭାବ ଜାଗ୍ରତ ହୋଇଛି। ନିଜସ୍ଵ ବିଶ୍ଵାସ ଉପରେ ସନ୍ଦେହ ଜାତ ହୋଇଛି। ପ୍ରତ୍ୟେକ ଜାଗତିକ ଘଟଣା ଯାହାକୁ ସେ ଦିନେ କୌଣସି ଅଦୃଶ୍ୟ ଶକ୍ତିର ଇଚ୍ଛାବୋଲି ବିଶ୍ବାସ କରୁଥିଲା, ତା ଉପରେ ପ୍ରଶ୍ନ କରିବା ଆରମ୍ଭ କଲା। ଘଟଣା ପଛର କାରଣକୁ ସେ ଖୋଜିବାକୁ ଲଗିଲା। କ୍ରମେ ତାର ବୌଦ୍ଧିକତାର ବିକାଶ ହେଲା। ଅଭିଜ୍ଞତା ତାକୁ କାରଣୀକତା ସମ୍ବନ୍ଧରେ ଅବଗତ କରାଇଲା। ସେ ଲକ୍ଷ୍ଯ କଲା ଗୋଟିଏ ଘଟଣା ଘଟିବା ପରେ ଅନ୍ୟ ଏକ ଘଟଣା ଘଟୁଛି। ପୂର୍ବ ଘଟଣା ଘଟିଲେ ପର ଘଟଣା ଘଟିବ ବୋଲି ତାର ଧାରଣା ଜାତ ହେଲା। ତେଣୁ ସେ ପ୍ରତ୍ୟେକ ଘଟଣା ପୂର୍ବର ଘଟଣା ସମ୍ବନ୍ଧରେ ଅବଗତ ହେବାକୁ ଚେଷ୍ଟା କଲା। ତାର ଏହି କରଣୀକତା ସମ୍ବନ୍ଧୀୟ ଅନୁଧ୍ୟାନରୁ ଓ ଏଥିରୁ ମିଳୁଥିବା ଜ୍ଞାନରୁ ଜନ୍ମନେଲା ବିଜ୍ଞାନ। କାରଣବାଦ ହିଁ ହେତୁବାଦ। ହେତୁବାଦ ହେଉଛି ବିଜ୍ଞାନର କେନ୍ଦ୍ରୀୟ ତତ୍ତ୍ଵ। ଏହା ବିନା ବିଜ୍ଞାନ ଅକଳ୍ପନୀୟ।
      କୁହାଯାଉଛି ଆଧୁନିକ ସଭ୍ୟତା ବିଜ୍ଞାନ ଉପରେ ପର୍ଯ୍ୟବେଶିତ। ଏହାର ଅର୍ଥ ହେତୁବାଦ ଏହା ପଛର ମୁଖ୍ୟ ଆଧାର। କାରଣ ବିଜ୍ଞାନ ଯେଉଁଠାରେ ଅଛି ହେତୁବାଦ ସେହିଠାରେ ଅଛି। ବିଜ୍ଞାନ କୌଣସି ଘଟଣାକୁ କାରଣ ରହିତ ବୋଲି ଗ୍ରହଣ କରେନାହିଁ। ଏହି ଅବଧାରଣା ଉପରେ ବିଜ୍ଞାନ ପର୍ଯ୍ୟବେଶିତ। କାରଣ ନଥାଇ କାର୍ଯ୍ୟ ସଂଗଠିତ ହେବାକୁ ଗ୍ରହଣ କରିନେଲେ ଏହା ଆଉ ବିଜ୍ଞାନ ହୋଇରହିବ ନାହିଁ। ରୋଗୀକୁ ଡାକ୍ତରଙ୍କ ପାଖକୁ ନେଲେ ପ୍ରଥମେ ସେ ଏହାର କାରଣ ଖୋଜୁଛି। ବିନା କାରଣରେ ରୋଗ ହୋଇଛି ବୋଲି ସେ ଗ୍ରହଣ କରୁନାହିଁ। କୌଣସିଠାରେ ବିମାନ ଦୁର୍ଘଟଣା ହେଲେ ବୈମାନିକମାନେ ଏହାର କାରଣ ଖୋଜୁଛନ୍ତି। ଏହା କୌଣସି ଅଦୃଶ୍ୟଶକ୍ତି ଯୋଗୁଁ ହୋଇଛି ବୋଲି ଗ୍ରହଣୀୟ ହେଉନାହିଁ। ପୋଲ ଧସିପଡିଲେ ଇଞ୍ଜିନିୟମାନେ କାରଣ ଖୋଜୁଛନ୍ତି। କୌଣସି କ୍ଷେତ୍ରରେ ଏହା କାରଣରହିତ ବୋଲି ମନ ଗ୍ରହଣ କରୁନାହିଁ। ଏହାହିଁ ହେତୁବାଦ। ଅତୀତରେ ଲୋକେ ଅନ୍ଧବିଶ୍ଵାସକୁ ସତ୍ଯବୋଲି ଭାବି ନେଉଥିଲେ। କୌଣସି ପ୍ରକାର ପ୍ରଶ୍ନ କରୁନଥିଲେ। ଏବେ କିନ୍ତୁ ସେ ସମୟ ଆଉ ନାହିଁ।
       କେବଳ ଭଲ ପିନ୍ଧିବା, ଭଲ ଖାଇବା, ଭଲ ଘରେ ରହିବା ସଭ୍ୟତା ନୁହେଁ। ଏହା ସହିତ ତୁମ ଭିତରେ କେତେ ବୈଜ୍ଞାନିକ ଚେତନାର ବିକାଶ ଘଟିଛି, ତୁମେ କେତେ ଅନ୍ଧବିଶ୍ୱାସକୁ ଛାଡ଼ି ହେତୁବାଦକୁ ସ୍ୱୀକାର କରିଛ ତାହା ମଧ୍ଯ ସଭ୍ୟତାର ମାନଦଣ୍ଡ ଅଟେ। ସଭ୍ୟତା ସେହି ମାନସିକ ସୃଜନା ଯାହା ମନୁଷ୍ୟକୁ ଶ୍ରେଷ୍ଠତା ପ୍ରଦାନ କରେ। ବିକଶିତ ମାନସିକତା ତାକୁ ଶ୍ରେଷ୍ଠତା ପାଇଁ ପ୍ରେରୀତ କରେ। ଜଣେ ସଭ୍ୟ ମନୁଷ୍ଯ ହେତୁବାଦୀ ହେବାକୁ ବାଧ୍ୟ। କାରଣ ବିଜ୍ଞାନ ଉପରେ ଆସ୍ଥା ବିନା ସେ ଏହି ମାନ୍ୟତା ପାଇ ପାରିବ ନାହିଁ। ଆରିଷ୍ଟୋଟଲଙ୍କ ମତରେ ମନୁଷ୍ଯ ହେଉଛି ବିଚାରବୁଦ୍ଧି ସମ୍ପନ୍ନ ପ୍ରାଣୀ। ଏଥିରୁ ତର୍କଶୀଳତା, ନ୍ୟାୟଶୀତଳା, ସମତା ଓ ଭାତୃତ୍ବଭାବ ଜନିତ ଅବଧାରଣା ଜାତ ହୁଏ। ଏହି ଗୁଣସମ୍ପନ୍ନ ବିନା ଜଣେ ସଭ୍ୟତାବାନ ହୋଇପାରିବ ନାହିଁ। ବିଚାରବୁଦ୍ଧି ସମ୍ପନ୍ନ ହେବା ହେତୁବାଦୀ ଧାରଣା ବିନା ସ୍ଵୟଂସମ୍ପୂର୍ଣ୍ଣ ହୋଇ ପାରିବ ନାହିଁ।
       ହେତୁବାଦ କେବଳ ଏକ ବିଚାର ନୁହେଁ। ଏହା ବିକାଶର ବାହକ ମଧ୍ଯ। ବିକଶିତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକର ପ୍ରଗତି ହେତୁବାଦୀ ଚେତନାର ବିକାଶ ଯୋଗୁଁ ସମ୍ଭବପର ହୋଇଛି। ସେମାନେ ବିଜ୍ଞାନକୁ ଗୁରୁତ୍ଵ ଦେଇଛନ୍ତି। ଦୈନ୍ୟନ୍ଦିନ ଜୀବନରେ ଏହାକୁ ପ୍ରୟୋଗ କରିଛନ୍ତି। ସେମାନେ ବିଜ୍ଞାନକୁ ପାଠ୍ୟକ୍ରମ କିମ୍ବା ପୁସ୍ତକ ମଧ୍ୟରେ ସୀମିତ ରଖିନାହାଁନ୍ତି। ବିଜ୍ଞାନରୁ ମିଳୁଥିବା ହେତୁବାଦୀ ଚେତନା ତାଙ୍କୁ ତାଙ୍କର ବ୍ୟକ୍ତିତ୍ଵର ବିକାଶ ଦିଗରେ ସହାୟକ ହୋଇଛି। ହେତୁବାଦୀ ସାମାଜିକ ଦୃଷ୍ଟିଭାଙ୍ଗି ଅନେକଗୁଡ଼ିଏ ଅନାବଶ୍ୟକ କାର୍ଯ୍ୟକ୍ରମରୁ ନିବୃତ ରଖିଛି। ଦୈନନ୍ଦିନ ଜୀବନରେ ତଥାକଥିତ ଧର୍ମର ଆବଶ୍ୟକତାକୁ ସୀମିତ କରିଛି। ତେଣୁ ସମସ୍ତ ସମୟ, ଶ୍ରମ ଓ ଅର୍ଥକୁ ପ୍ରଗତିପାଇଁ ବିନିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଯେଉଁ ରାଷ୍ଟ୍ରମାନଙ୍କରେ ଶିକ୍ଷାର ବିକାଶ ଠିକ୍ ଭାବରେ ହୋଇନାହିଁ ଓ ବୈଜ୍ଞାନିକ ଶିକ୍ଷା ଉପରେ ଗୁରୁତ୍ବ ଦିଆଯାଇ ନାହିଁ ସେହି ରାଷ୍ଟ୍ରମାନଙ୍କରେ ଅନ୍ଧବିଶ୍ଵାସର ପ୍ରଭାବ ଅଧିକ ଓ ଏହି ରାଷ୍ଟ୍ରମାନେ ବିକାଶର ଦୌଡରେ ବହୁ ପଛରେ ପଡିଯାଇଛନ୍ତି। ଯେଉଁଠାରେ ଅନ୍ଧବିଶ୍ୱାସ ଅଛି ସେଠାରେ ନାନା କର୍ମକାଣ୍ଡ ଅଛି। ଏ ଦିଗରେ ଅନାବଶ୍ୟକଭାବେ ସମୟ, ଅର୍ଥ ଓ ଶ୍ରମର ବିନିଯୋଗ ମଧ୍ୟ ଅଛି। ଅନ୍ଧବିଶ୍ୱାସର ମୁଖ୍ୟ ପୃଷ୍ଠପୋଷକ ହେଉଛି ଧାର୍ମିକ ମୌଳବାଦ। ଏମାନେ ସଦାସର୍ବଦା ଧର୍ମଭିତ୍ତିକ ହିଂସା ସୃଷ୍ଟି ଓ ମାତ୍ରାଧିକଭାବେ ଧାର୍ମିକ ରୀତିନୀତି ସମ୍ପାଦନରେ ନିଜର ଶ୍ରେଷ୍ଠ ଉଦ୍ୟମକୁ ବିନିଯୋଗ କରନ୍ତି। ଫଳରେ ନିଜର ବ୍ୟକ୍ତିତ୍ଵର ବିକାଶ ଓ ଆର୍ଥିକ ବିକାଶ ଦିଗଟି ପ୍ରତି ପୂର୍ଣ୍ଣ ଧ୍ୟାନ ଦେଇପାରନ୍ତି ନାହିଁ। ଏମାନଙ୍କ ସାମଗ୍ରୀକ ସାମାଜିକ ଚେତନା ମଧ୍ୟ ଅନ୍ଧବିଶ୍ୱାସ ଉପରେ ପ୍ରତିଷ୍ଠିତ ହୋଇଥାଏ।
      ସଭ୍ୟତା ବୌଦ୍ଧିକତା ଉପରେ ପ୍ରତିଷ୍ଠିତ ଏକ ପ୍ରକାର ଉନ୍ନତ ସମାଜ ବ୍ୟବସ୍ଥାକୁ ବୁଝାଏ। ହେତୁବାଦୀ ଚେତନାର ବିକାଶ ବିନା ଏହା ସମ୍ଭବ ନୁହେଁ। ଗୋଟିଏ ହେତୁବାଦୀ ସମାଜର ପ୍ରତିଷ୍ଠା ଦୀର୍ଘ ଶତାବ୍ଦୀର ବୌଦ୍ଧିକ ସଂଘର୍ଷର ପରିଣାମ ସୂତ୍ରରେ ମିଳେ। ପାଶ୍ଚାତ୍ୟ ବିକଶିତ ରାଷ୍ଟ୍ରମାନଙ୍କରେ ହେତୁବାଦର ଭିତ୍ତିଭୂମି ଆପେ ତିଆରି ହୋଇନାହିଁ। ଏଥିପାଇଁ ତାଙ୍କୁ ଦୀର୍ଘ ସଂର୍ଘଷ କରିବାକୁ ପଡିଛି। ବିଶେଷକରି ଇଉରୋପରେ ଏ ସଂର୍ଘଷ ରେନାସା ନାମରେ ସୁପ୍ରସିଦ୍ଧ। ଏହା ଏକ ବୌଦ୍ଧିକ ସଂଘର୍ଷ ଥିଲା। ହେତୁବାଦ ଓ ପରମ୍ପରାବାଦ ମଧ୍ୟରେ ସଂଘର୍ଷ, ବିଜ୍ଞାନ ଓ ଅନ୍ଧବିଶ୍ୱାସ ମଧ୍ୟରେ ସଂଘର୍ଷ, ମାନବବାଦ ଓ ଧାର୍ମିକ ମୌଳବାଦ ମଧ୍ୟରେ ସଂଘର୍ଷ, ସଂସ୍କାର ଓ କୁସଂସ୍କାର ମଧ୍ୟରେ ସଂଘର୍ଷ ତଥା ନୀରବତା ଓ ପ୍ରତିକ୍ରିୟାଶୀଳତା ମଧ୍ୟରେ ଏ ସଂଘର୍ଷ ଥିଲା। ଏ ସଂଘର୍ଷ ଥିଲା ଶାନ୍ତିପୂର୍ଣ୍ଣ ବିଚାରମନ୍ଥନ। ଏହା ରକ୍ତାକ୍ତ ସଂଘର୍ଷ ନଥିଲା। ଗୋଡାଗୋଡି, ମାଡ଼ଗୋଳ, ପଥର ଫିଙ୍ଗାଫିଙ୍ଗି, ହଣାକଟାର ସଂଘର୍ଷ ଏହା ନଥିଲା। ସଂର୍ଘଷ ଭିତରେବି ସହନଶୀଳତା ଥିଲା।
      ସଭ୍ୟତା ଏକ ପ୍ରବାହମାନ ପ୍ରକ୍ରୀୟା। ଏହା ଶ୍ରେଷ୍ଠରୁ ଶ୍ରେଷ୍ଠତମକୁ ଖୋଜେ। ଯାହା ଅନ୍ଧବିଶ୍ବାସ, ଯାହା ଅହେତୁକ, ଯାହା କୁସଂସ୍କାର ତାକୁ ମନୁଷ୍ଯର ବୁଦ୍ଧିମତ୍ତା କିପରି ଶ୍ରେଷ୍ଠ ବୋଲି ମାନିନେବ। ମନୁଷ୍ଯର ବୌଦ୍ଧିକତାର ବିକାଶ ଯେତେ ହେବ ଏଗୁଡ଼ିକ ଉପରୁ ଆସ୍ଥା ସେତେ କମି କମି ଯିବ। ପରିବର୍ତ୍ତନ ଅବସମ୍ଭାବୀ। ରେନାଁସା ଆସିବହିଁ ଆସିବ। ତେବେ ସମାଜରେ ହେତୁବାଦୀ ଧାରଣା ଯେତେ ପ୍ରଖର ହେବ ପରିବର୍ତ୍ତନର କ୍ଷୀପ୍ରତା ସେତେ ଅଧିକ ହେବ। ଏ ପରିବର୍ତ୍ତନ ଆନ୍ଦୋଳନର ନେତୃତ୍ୱ ନେବ ବିଜ୍ଞାନ। ମନେ ରଖିବାକୁ ହେବ ବିଜ୍ଞାନ ହିଁ ହେତୁବାଦ।

      ବାରିପଦା, ମୟୁରଭଞ୍ଜ, ମୋ. ୭୦୦୮୯୭୬୧୮୦ 

Leave A Reply

Your email address will not be published.