ପରିକ୍ରମା କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବା ନେଇ ସମୀକ୍ଷା

ପୁରୀ : ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆଜି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ।  ନିର୍ମାଣ କାର୍ଯ୍ୟ , ପରିମଳ , ଯାନବାହନ ଚଳାଚଳ , ପାନୀୟଜଳ ଯୋଗାଣ , ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ , କାର୍ଯ୍ୟକ୍ରମ ସମ୍ପର୍କରେ ବ୍ୟାପକ ପ୍ରସାରଣ ତଥା ଭକ୍ତ ଏବଂ ସେବାୟତମାନଙ୍କର ସୁବିଧା ନିମନ୍ତେ ପଦଧିକାରୀମାନେ ବିଶେଷ ଆଲୋଚନା କରିଛନ୍ତି ।  ଆସନ୍ତା ୧୨ ତାରିଖ ସଂଧ୍ୟା  ସୁଦ୍ଧା ପରିକ୍ରମା ପ୍ରକଳ୍ପ ସମ୍ପୃକ୍ତ ସମସ୍ତ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଗୁରୁତ୍ଵପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଜେନା କହିଛନ୍ତି ଯେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତେ ୧୨ ତାରିଖରୁ ଅଙ୍କୁରାରୋପଣ ଆରମ୍ଭ ହୋଇ ୧୭ ତାରିଖ ଦିନ ଯଜ୍ଞରେ ପୂର୍ଣାହୁତି ସହିତ ପ୍ରକଳ୍ପ ଲୋକାର୍ପିତ ହେବ ।  ସେହି ଦୃଷ୍ଟିରୁ ଶ୍ରୀକ୍ଷେତ୍ରରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଗହଳି ଆଶାତୀତ ଭାବରେ ବୃଦ୍ଧି ପାଇବ ।  ତେଣୁ ଯାନବାହନ ଚଳାଚଳ ଏବଂ ନାଗରିକ ସୁବିଧାଗୁଡିକ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ  ଦେଇଛନ୍ତି ।

ପ୍ରକଳ୍ପ ନିମନ୍ତେ ଆବଶ୍ୟକୀୟ ସମସ୍ତ ମରାମତି ତଥା ଭୂମି ସମତଳ କାର୍ଯ୍ୟ ଟ୍ରକ ଆସୋସିଏସନର ସହାୟତାରେ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ  ଦିଆଯାଇଛି ।  ବାହାରୁ ଆସୁଥିବା ଭକ୍ତମାନଙ୍କ ପାଇଁ  ସମଙ୍ଗ ଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି ।  ସେଥିପାଇଁ ସହରର ବିଭିନ୍ନ ସ୍ଥାନରେ ରୁଟ ଚାର୍ଟ ମରାଯିବା ସହିତ ଜିଓ-ଲୋକେସନକୁ ସାମାଜିକ ଗଣମାଧ୍ୟମରେ ପ୍ରସାର କରାଯିବ ।  ଜଗନ୍ନାଥବଲ୍ଲଭଠାରେ ଯାନବାହନଗୁଡିକ ଭକ୍ତମାନଙ୍କୁ ଛାଡି ସମଙ୍ଗଠାରେ ରହିବେ ।  ସେଠାରେ ୧୨୦ ଟି ଅସ୍ଥାୟୀ ଶୌଚାଳୟ ନିର୍ମାଣ କରାଯିବ ।  ଅନ୍ୟ ପକ୍ଷରେ ସର୍ବସାଧାରଣଙ୍କ ଗାଡି ମାଳତୀପାଟପୁର ଷ୍ଟାଣ୍ଡରେ   ରହିବ ।  ସମଙ୍ଗଠାରୁ ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପାନୀୟ ଜଳ, ସିଂଚନ ଓ ବିଶ୍ରାମ ବ୍ୟବସ୍ଥାମଧ୍ୟ କରାଯିବ ।  ଶ୍ରୀମନ୍ଦିର ପାଖରେ ହାତପାଦ ପ୍ରକ୍ଷାଳନ ପାଇଁ ଅସ୍ଥାୟୀ ଫ୍ଲସ ବେଶିନ ରହିବ 

ଓଡିଶା ରାଜ୍ୟ ସେତୁ ନିଗମ ଦ୍ଵାରା ନିର୍ମିତ ସବୁ ପାର୍କିଂ ୮ ତାରିଖ ସୁଦ୍ଧା ପୁଲିସକୁ ହସ୍ତାନ୍ତର କରାଯିବ । ମନ୍ଦିର ନିକଟରେ ଥିବା ୨୦ଟି  ମଠକୁ ଦୈନିକ ୨ କେଭିର ଡିଜି ସେଟ ଯୋଗାଇ ଦିଆଯିବ ।  ମନ୍ଦିର ପାଖରେ ସେବାୟତମାନଙ୍କ ପାଇଁ ସ୍ଵତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ ।  ଶ୍ରୀସେତୁରେ ଏକ ସ୍ଵାଗତ ତୋରଣ ନିର୍ମିତ ହେବ 

ପୁଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଯାନବାହନ ନିୟନ୍ତ୍ରଣ କକ୍ଷ ଖୋଲାଯିବ ।  ପ୍ରରିକ୍ରମା ପ୍ରକଳ୍ପ ଆଗରେ ମଣ୍ଡପ ନିର୍ମାଣ , ଜଗନ୍ନାଥବଲ୍ଲଭ ପାଖରେ ସ୍ଵତନ୍ତ୍ର ପ୍ରଦର୍ଶନୀ ଆୟୋଜନ ସାଙ୍ଗକୁ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷିତ ହେବ ।  ରାଜ୍ୟର ବିଭିନ୍ନ ପଞ୍ଚାଯତରୁ ମହାପ୍ରଭୁଙ୍କ କାର୍ଯ୍ୟ ନିମନ୍ତେ ଚାଉଳ ସଂଗ୍ରହ କରାଯିବ ଓ ସେସବୁର ଭଣ୍ଡାରଣ ପାଇଁ ମନ୍ଦିର କତ୍ତୃପକ୍ଷ ବନ୍ଦୋବସ୍ତ କରିବେ ।  

ସାତଟି ସୁସଜ୍ଜିତ ରଥ ସହିତ ସଂକୀତ୍ତନ ମଣ୍ଡଳୀ ବଡଦାଣ୍ଡ ପରିକ୍ରମା କରିବେ ।  ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମଗୁଡିକର ପ୍ରସାରଣ ସାଟେଲାଇଟ ମାଧ୍ୟମରେ କରାଯିବ ।   ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ମିଡିଆ ଲାଉଞ୍ଜ ଖୋଲାଯିବ ।  ସେହିପରି ଜରୁରୀକାଳୀନ ଚିକିତ୍ସା ସେବା, ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ଓ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି 

ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ , ପଞ୍ଚାୟତିରାଜ ଓ ପାନୀଯ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ , ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ ଦେବ , ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ , ଗ୍ରାମ୍ୟ ଉନ୍ନୟନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ , ମିଶନ ଶକ୍ତି ଓ ଓଡିଆ ଭାଷା , ସାହିତ୍ୟ ଓ  ସଂସ୍କୃତି ବିଭାଗ ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ ,ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ଆର. ଯାଦବ ,ବରିଷ୍ଠ ପୁଲିସ ପ୍ରଶାସକ ଶ୍ରୀ ଅମିତାଭ ଠାକୁର , ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ  ଶ୍ରୀ ସରୋଜ କୁମାର ସାମଲ ,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ରଞ୍ଜନ କୁମାର ଦାସ , ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା , ଆରକ୍ଷୀ ଅଧିକ୍ଷକ  ଡ଼ କନୱର ବିଶାଳ ସିଂ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକ ପୂର୍ବରୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ପଦାଧିକାରୀମାନଙ୍କ ସହିତ ସମଙ୍ଗ ଓ ଜଗନ୍ନାଥବଲ୍ଲଭ ପାର୍କିଂ ସ୍ଥଳ , ଶ୍ରୀଦାଣ୍ଡ , ଶ୍ରୀସେତୁ ଓ ପରିକ୍ରମା ପଥ ଯାଇ କ୍ଷେତ୍ର ପରିଦର୍ଶନ କ୍ରମେ ବିଭିନ୍ନ ତଥ୍ୟ ପଚାରି ବୁଝିଥିଲେ 

Leave A Reply

Your email address will not be published.