♻️ ‘ବଢ଼ିବ ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଦରମା’
♻️ ‘ପାଚିକାଙ୍କ ଦରମା ବୃଦ୍ଧି ପାଇବ’
♻️ ‘ବଢ଼ିବ ମଧୁବାବୁ ଭତ୍ତା ରାଶି’
♻️ ‘ଏମବିକେ, ସିଆରପିଙ୍କ ଦରମା ବି ବଢ଼ିବ’
♻️ ‘କମ୍ୟୁନିଟି ସେଣ୍ଟର କର୍ମଚାରୀଙ୍କ ଦରମା ବୃଦ୍ଧି ପାଇବ’
ଆଜି ଉପାନ୍ତ ନବରଙ୍ଗପୁରରେ ଏମିତି ଏକ ଘୋଷଣା ହୋଇଛି, ଯାହା ରାଜ୍ୟର ବିଭିନ୍ନ କୋଣରେ ଆଶା ଓ ଉତ୍ସାହ ବଢାଇଛି । ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଦରମା ବଢିବ । ବୟସ୍କ ଓ ଅସହାୟମାନେ ପାଉଥିବା ମଧୁବାବୁ ପେନସନର ଭତ୍ତା ରାଶି ବି ବୃଦ୍ଧି ପାଇବ । ତେବେ କେବେ ବଢିବ, କେତେ ବଢିବ, ଯଦିଓ ଜଣାନାହିଁ, ହେଲେ ଖୋଦ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ମୁହଁରୁ ଯେହେତୁ ଏ ଘୋଷଣା ହୋଇଛି, ତେଣୁ ବିଭିନ୍ନ କ୍ଷେତ୍ରର ଲୋକ ଉତ୍ସାହିତ ଅଛନ୍ତି ।
ନବରଙ୍ଗପୁର ଗସ୍ତରେ ଯାଇଥିବାବେଳେ ରାଇଘରରେ ଆୟୋଜିତ କାର୍ଯ୍ୟକ୍ରମରେ ମଞ୍ଚ ଉପରୁ ବଡ ଘୋଷଣା କରିଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ । ଜନସଭାକୁ ସମ୍ବୋଧିତ କରି କହିଛନ୍ତି, ଏନେଇ ବିଚାର ଚାଲିଛି । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିବେ ଆଉ ଖୁସି ଖବର ପାଇବେ । କେବଳ ଏତିକି ନୁହେଁ ସରକାର ସେମାନଙ୍କୁ ଦେଇଥିବା ଦାୟିତ୍ୱକୁ ସୂଚାରୁ ରୂପେ ସମ୍ପାଦନ କରିବାକୁ ଆହ୍ୱାନ ଦେଇଛନ୍ତି ପାଣ୍ଡିଆନ୍ । ଏଥିସହ ପୂର୍ବ ଗସ୍ତ ସମୟରେ ସେ ଗ୍ରହଣ କରିଥିବା ଅଭିଯୋଗରୁ କେତେ ସମାଧାନ ହୋଇଛି, ଆଉ କେତେ ବାକି ରହିଛି ତାର ହିସାବ ଦେଇଛନ୍ତି । ଏଥିସହିତ ନବରଙ୍ଗପୁର କେମିତି ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ରହିଛି ତାହା ବଖାଣିଛନ୍ତି ଭି.କେ.ପାଣ୍ଡିଆନ ।
ତେବେ ପାଣ୍ଡିଆନଙ୍କ ଏହି ଘୋଷଣା ପରେ ତେଜିଛି ରାଜନୈତିକ ବୟାନବାଜି । ବିରୋଧୀ ଏହାକୁ ନିର୍ବାଚନୀ ଚାଲ ବୋଲି କହି ସମାଲୋଚନା କରିଛନ୍ତି । ତେବେ ବଡ କଥା ହେଉଛି, ଯେଉଁମାନଙ୍କ ଦରମା ବୃଦ୍ଧି ଓ ଭତ୍ତା ବୃଦ୍ଧି ନେଇ ପାଣ୍ଡିଆନ ନବରଙ୍ଗପୁରରେ ଘୋଷଣା କରିଛନ୍ତି, ବିଧାନସଭା ଅଧିବେଶନ ଆରମ୍ଭ ହେଲେ, ସେମାନେ ଲୋୟର ପିଏମଜିରେ ଡେରା ପକାନ୍ତି, ଆନ୍ଦୋଳନ କରନ୍ତି । ଦରମା ବୃଦ୍ଧି ସହ ଅନ୍ୟାନ୍ୟ ଦାବି ନେଇ ବିକ୍ଷୋଭ କରନ୍ତି । ସେମାନଙ୍କ ଦାବି ପୂରଣ ନେଇ ସରକାର ସେମାନଙ୍କୁ ପ୍ରତିଶ୍ରୁତି ଦିଅନ୍ତି । ହେଲେ, ଆଜି ପର୍ଯ୍ୟନ୍ତ ପୂରଣ ହୋଇନଥିଲା । କିନ୍ତୁ ପାଣ୍ଡିଆନଙ୍କ ଘୋଷଣା ସେମାନଙ୍କ ଭିତରେ ନୂଆ ଆଶା ସଞ୍ଚାର କରିଛି ।