ବଲାଙ୍ଗିର ୨୩/୦୧ ବଲାଙ୍ଗିର ଜିଲ୍ଲା ଭୀମଭୋଇ ମେଡ଼ିକାଲ କଲେଜର ହସ୍ପିଟାଲ ନିକଟସ୍ଥ ଏକ ଔଷଧ ଦୋକାନ’ ଅବନୀଶ ମେଡ଼ିକାଲ୍ସରେ କାମ କରୁଥିବା ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଓ ଯୁବ ଧନୀ ଔଷଧ ଦୋକାନୀ ଟଙ୍କା ବଳରେ ଏହାକୁ ଚପାଇ ଦେଇଥିବା ଚର୍ଚ୍ଚା ହେଉଛି । ଗତମାସ ୯ ତାରିଖରେ ଉକ୍ତ ଯୁବତୀଟିକୁ ଏସିଡ଼ ପିଇ ଦେବାରୁ ଗୁରୁତ୍ତର ଅବସ୍ଥାରେ ଭୀମଭୋଇ ମେଡ଼ିକାଲ କଲେଜର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କୁ ଉଆର୍ଡରେ ଭର୍ତ୍ତି କରାଯିବାକୁ ପଠାଯାଇଥିଲେ ହେଁ, ଔଷଧ ଦୋକାନ ମାଲିକଙ୍କ ପରିଚାଳନାରେ ଘରଲୋକଙ୍କ ଦ୍ବାରା ତାଙ୍କୁ ସେଠାରୁ ଡ଼ାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅଜାଣତରେ ବରଗଡ଼ର ଏକ ଘରୋଇ ହସ୍ପିଟାଲ ‘ବିକାଶ’ କୁ ନିଆଯାଇ ଚିକିତ୍ସା କରାଯାଉଥିଲା । ଶେଷରେ ଗତ ଡ଼ିସେମ୍ବର ୧୨ ତାରିଖରେ ସେଠାରେ ଯୁବତୀଟିର ମୃତ୍ୟୁ ଘଟିଥିଲା । ସଇଁନ୍ତଳା ଅଞ୍ଚଳର ମଅଗାଁର ଏହି ଗରିବ ଅବିବାହିତା ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଯୁବତୀ ଶିଉଳି ବାଘଙ୍କ ବାପମାଆ ଗରିବ ଥିବାରୁ ବିନା ପୁଲିସ ଏତଲା ଓ ଶବ-ବ୍ୟବଚ୍ଛେଦରେ ଟଙ୍କାବଳରେ ସମସ୍ତଙ୍କ ମୁହଁ ବନ୍ଦ କରି ଦୀର୍ଘଦିନ ଧରି ତାଙ୍କୁ ଏକ ଭଡ଼ାଘରେ ରଖି ଯୌନଶୋଷଣ କରିଆସୁଥିବା ବିବାହିତ ଔଷଧ ଦୋକାନ ମାଲିକଙ୍କ ତିନିମାସ ଗର୍ଭବତୀ ହୋଇପଡ଼ିବା ପରେ ପ୍ରତାରଣାର ଶିକାର ହୋଇ ଯୁବତୀ ଜଣକ ଏପରି ଚରମ ନିଷ୍ପତ୍ତି ଗ୍ରହଣ କରିଥିବା କୁହାଯାଉଛି । ଏ ସମ୍ପର୍କରେ ଲୋକଲଜ୍ଜା ଭୟରେ ଗାଁ’ର ଘରେ ତାଲାଦେଇ ପଳାଇଆସି ବଲାଙ୍ଗିର ସହରରେ ସମ୍ପର୍କୀୟଙ୍କ ଘରେ ରହୁଥିବା ଯୁବତୀଟିର ବାପ ମା ଅସହାୟ ହୋଇପଡିଥିବା ବେଳେ ଯୁବତୀର ଭାଇ ଏତେଦିନପରେ ମୁହଁ ଖୋଲିଛି ।
ଔଷଧ ଦୋକାନ ମାଲିକ ତାଙ୍କ ଭଉଣୀର ମୋବାଇଲରୁ ସିମ କାର୍ଡ଼ ଖୋଲି ଫିଙ୍ଗି ଦେଇଥିବା ଓ ମାଡ ମାରୁଥିବା ସହ ସେ ରୀତିମତ ନିର୍ଯାତନା ଦେଉଥିବା ପ୍ରକାଶ କରିଛନ୍ତି । ଉଲ୍ଲେଖନୀୟ ଯୋଗ୍ୟ ଯେ ପାଟଣାଗଡ଼ ଅଞ୍ଚଳର ଉକ୍ତ ଯୁବ ଔଷଧ ଦୋକାନର ମାଲିକ ଜଣକ ପୂର୍ବରୁ ବାହାହେବା ସହିତ ପ୍ରଥମ ପତ୍ନୀଙ୍କ ସହ ଡିଭୋର୍ସ ହେଲାପରେ ଦ୍ବିତୀୟ ବିବାହ କରିଛନ୍ତି । ତଥାପି ତାଙ୍କର ଏଭଳି ବହୁଯୁବତୀଙ୍କ ସହିତ ସମ୍ପର୍କ ସ୍ଥାପନ ରହିଥିବା ସହ କିଛି-ଦିନତଳେ ଲୋଇସିଂହା ଅଞ୍ଚଳର ଜଣେ ଯୁବତୀଙ୍କ ସହ ଅବୈଧ ସମ୍ପର୍କ ନିମନ୍ତେ ଯୁବତୀର ଭାଇ ଓ ଘରଲୋକେ ଆସି ତାଙ୍କୁ ରାସ୍ତାରେ ନିସ୍ତୁକ ମାଡମାରିଥିବାର ମଧ୍ୟ ଚର୍ଚ୍ଚାରୁ ପ୍ରକାଶ । ଦୀର୍ଘ ପ୍ରାୟ ଦେଢ଼ବର୍ଷ ଧରି ଉକ୍ତ ମହିଳା କର୍ମଚାରୀଙ୍କ ସହ ତାଙ୍କର ସମ୍ପର୍କ ରହିଥିବା ଓ ଉକ୍ତଦିନ ସେ ରାତି ପ୍ରାୟ ୯ଟାରେ ଦୋକାନ ବନ୍ଦ ହେବାପରେ ଭଡାଘରକୁ ନ ଯାଇ ନିକଟସ୍ଥ ସୁଦ ପଡା ରେଳଲାଇନ ଆଡକୁ ଦୁଇଥର ଆତ୍ମହତ୍ୟା କରିବାକୁ ଯାଉଥିବା ଓ ଉକ୍ତ ମାଲିକ ଅଟକାଉଥିବା ଦେଖି ସ୍ଥାନୀୟ ଅସାମାଜିକ ଯୁବକଙ୍କ ଦ୍ୱାରା ଗଣ୍ଡଗୋଳ ହୋଇଥିଲା । ଏ ସମ୍ପର୍କରେ ସାମ୍ବାଦିକମାନେ ଉକ୍ତ ଔଷଧ ଦୋକାନ ମାଲିକ ବିପିନ ମେହେରଙ୍କୁ ପଚାରିବାରୁ ସେ ଦୋଷ ସ୍ବୀକାର କରିଥିବା ପ୍ରକାଶ । ଏହା ମଧ୍ୟ କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି । ଭୀମଭୋଇ ମେଡ଼ିକାଲ କଲେଜର ହସ୍ପିଟାଲ ଅଧିକ୍ଷକ ମଧ୍ୟ ଶିଉଳି ବାଗ ନାମ୍ନୀ ଏଭଳି ଜଣେ ଏସିଡ଼ ପିଇ ଗୁରୁତ୍ତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଓ ପରେ ତାଙ୍କୁ କାହାକୁ ନ ଜଣାଇ ପଳାଇଯାଇଥିବା ଏମଏଲସି କେସ୍ ସମ୍ପର୍କରେ ସ୍ଥାନୀୟ ପୁଲିସକୁ ଅବଗତ କରାଯାଇଥିବା ପ୍ରକାଶ କରିଛନ୍ତି । ତେଣୁ ଏହି ଚର୍ଚ୍ଚିତ ଆପରାଧିକ ଘଟଣାର ପୁଲିସ ତଦନ୍ତ କରିବାକୁ ଲୋକେ ଦାବି କରିଛନ୍ତି । ଆଶ୍ଚର୍ଯ୍ୟର ବିଷୟ ଯେ, ଏଭଳି ଏକ ଏମଏଲସି ମାମଲାକୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜର ସରକାରୀ ହସ୍ପିଟାଲ ପକ୍ଷରୁ ଏଯାବତ ପୁଲିସକୁ ସୂଚନା ଦିଆ ଯାଇଥିବା କୁହାଯାଉଥିବା ସତ୍ତ୍ୱେ, ବଲାଙ୍ଗିର ଟାଉନ୍ ଥାନା ପକ୍ଷରୁ କୌଣସି ତଦନ୍ତ ସୁଦ୍ଧା କରାଯାଇ ନଥିବା ସହ ଏଭଳି ଏକ ଆତ୍ମହତ୍ୟା ଘଟଣାରେ ଯାଇ ମୃତ୍ଯୁବରଣ କରିଥିବା ଏକ ଆପରାଧିକ ମାମଲାଟିର ବିନା ଶବ-ବ୍ୟବଚ୍ଛେଦରେ ବରଗଡ଼ର ବିକାଶ ଘରୋଇ ହସ୍ପିଟାଲ ପକ୍ଷରୁ ଛାଡ଼ି ଦିଆଯାଇଥିବା ସନ୍ଦେହ ସୃଷ୍ଟି କରିଛି । ଏ ସମ୍ପର୍କରେ ସମ୍ପୃକ୍ତ ଅଭିଯୁକ୍ତ ଔଷଧ ଦୋକାନୀ ଜଣକ ସଫେଇ ଦେଇଛନ୍ତି ଯେ, ମୃତାଯୁବତୀଟିର ବାପାମାଆ ନ ଚାହିଁବାରୁ ଉକ୍ତ ହସ୍ପିଟାଲ ପକ୍ଷରୁ ଶବ-ବ୍ୟବଚ୍ଛେଦ କରାଯାଇ ନଥିଲା ବୋଲି ସେ ସଫେଇ ଦେଇଥିଲେ । ବର୍ତମାନ ଏହା କିପରି ସମ୍ଭବ ହୋଇ ପାରିଲା ତାକୁ ନେଇ ଜିଲ୍ଲା ବ୍ୟାପି ପ୍ରଶ୍ନବାଚୀ ସୃଷ୍ଟି କରିଛି..? ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ଏହି ଘଟଣାକୁ ହସ୍ତକ୍ଷେପ କରି ଘଟଣାର ତଦନ୍ତ ଦାୟିତ୍ବ ନିଜେ କଲେ ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ଆସିପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି