ଭୁବନେଶ୍ୱର : ବଜାରରେ ଏବେ ଗୋଟିଏ ଅଣ୍ଡାର ଦାମ ସ୍ଥଳ ବିଶେଷରେ ୧୦ ଟଙ୍କାରେ ପହଞ୍ଚି ଥିବାବେଳେ ଏଭଳି ଦରବୃଦ୍ଧି ମଧ୍ୟାହ୍ନଭୋଜନ ପ୍ରସ୍ତୁତ ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟତ୍ରୀ ଓ ଅଙ୍ଗନବାଡି ଦିଦିଙ୍କ ରପ୍ତଚାପ ବଢାଇବାରେ ଲାଗିଛି । କେଉଁଠୁ ପଇସା ଆଣି ସେମାନେ ପିଲାମାନଙ୍କୁ ସପ୍ତାହକୁ ଦୁଇଟି ଅଣ୍ଡା ଖୁଆଇବେ ତାହା ଜାଣିପାରୁ ନାହାନ୍ତି ।
ବଜାରରେ ଏବେ ୧୨ଟି ଅଣ୍ଡାକୁ ୯୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଗୋଟିଏ ଅଣ୍ଡା ଖରିଦ କଲେ ଦୋକାନୀମାନେ ୧୦ ଟଙ୍କା ନେଉଛନ୍ତି । କିଛି ଦିନ ମଧ୍ୟରେ ଅଣ୍ଡା ଡଜନ ଦର ୬୦/୬୫ ଟଙ୍କାରୁ ବୃଦ୍ଧି ପାଇ ଏଭଳି ସ୍ତରରେ ପହଞ୍ଚିଛି ।
ତେବେ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନରେ ପିଲାଙ୍କୁ ସପ୍ତାହରେ ଦୁଇଟି କରି କରି ଅଣ୍ଡା ଯୋଗାଣ ହେଉଥିବାବେଳେ ଅଙ୍ଗନବାଡିରେ ମଧ୍ୟ ପିଲାଙ୍କୁ ସମାନ ସଂଖ୍ୟକ ଅଣ୍ଡା ଖାଇବାକୁ ଦିଆଯାଉଛି । ଏହି ଅଣ୍ଡାକୁ ତରକାରୀ ଆକାରରେ ପିଲାଙ୍କୁ ଦିଆଯିବାର ବ୍ୟବସ୍ଥା ଅଛି । ଏଥି ସହିତ ବର୍ତ୍ତମାନ ଏବେ କିଶୋରୀମାନଙ୍କୁ ମାସକୁ ୧୨ଟି କରି ଅଣ୍ଡା ଯୋଗାଇ ଦିଆଯାଉଛି । ଏଥିଯୋଗୁଁ ରାଜ୍ୟରେ ଏବେ ହଠାତ୍ ଅଣ୍ଡାର ଚାହିଦା ବଢିଯାଇଛି ।
ବର୍ତ୍ତମାନ ମଧ୍ୟାହ୍ନଭୋଜନ ପ୍ରସ୍ତୁତ ନିମନ୍ତେ ବିଦ୍ୟାଳୟଗୁଡିକୁ ପ୍ରାଥମିକ ଶ୍ରେଣିର ପିଲାଙ୍କ ପିଛା ୫ଟଙ୍କା ୪୫ ପଇସା ଯୋଗାଇ ଦିଆଯାଉଥିବାବେଳେ ମାଧ୍ୟମିକ ଶ୍ରେଣୀର ପିଲାଙ୍କ ପାଇଁ ୮ଟଙ୍କା ୧୭ ପଇସାକରି ଦିଆଯାଉଛି । ସରକାର ମାଗଣାରେ ଚାଉଳ ଯୋଗାଇ ଦେଉଥିବାବେଳେ ଏହି ଅର୍ଥରେ ପିଲାଙ୍କୁ ଦିନ ଅନୁଯାୟୀ ଡାଲମା, ସୋୟାବଡି ତରକାରୀ ଓ ଅଣ୍ଡା ତରକାରୀ ଯୋଗାଇ ଦିଆଯାଉଛି । ସପ୍ତାହରେ ପିଲାଙ୍କୁ ଦୁଇ ଦିନ ଅଣ୍ଡା ତରକାରୀ ମିଳୁଛି । ତେବେ ଅଣ୍ଡା ଗୋଟିକର ଦର ୯ଟଙ୍କାରେ ପହଞ୍ଚି ଥିବାବେଳେ ପିଲାଙ୍କୁ ୫.୪୫ ଟଙ୍କା ଓ ୮.୧୭ ଟଙ୍କାରେ କିଭଳି ଅଣ୍ଡାକୁ ତରକାରୀ କରି ଦେବେ ତାହା ଶିକ୍ଷକ ଶିକ୍ଷୟତ୍ରୀମାନେ ଜାଣିପାରୁ ନାହାନ୍ତି ।
ଅଣ୍ଡା ତରକାରୀ ପାଇଁ ଅଣ୍ଡା ସହିତ ତେଲ, ମସଲା ଆଦି ଦରକାର । ବର୍ତ୍ତମାନ ତେଲ ଲିଟର ଅତି କମ୍ରେ ୧୨୦ ଟଙ୍କା ଉପରେ ଥିବାବେଳେ ମସଲା ପାଇଁ ଆବଶ୍ୟକ ହେଉଥିବା ରସୁଣ କିଲୋ ୪୦୦ ଟଙ୍କା ଛୁଇଁଲାଣି । ଏଥି ସହିତ ପିଆଜ, ଅଦା, ଲଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ବି ଆବଶ୍ୟକ ହେଉଛି । ତେଣୁ ପିଲାଙ୍କୁ ଅଣ୍ଡା ତରକାରୀ କିଭଳି ଦିଆଯିବ ସେଥିନେଇ କେତେକ ସ୍ଥାନରେ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପର ଅଧିକାରୀଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି ।
ଅଙ୍ଗନବାଡିଗୁଡିକରେ ବି ସମାନ ଅବସ୍ଥା । ଅବଶ୍ୟ ଏଠାରେ କୁନି କୁନି ପିଲାଙ୍କୁ ଅଣ୍ଡା ତରକାରୀ ବଦଳରେ କେତେକ ସ୍ଥାନରେ ସିଝା ଅଣ୍ଡା ଏପରିକି ସେମାନଙ୍କ ଘରକୁ କଞ୍ଚାଅଣ୍ଡା ବି ଦେଇ ଦିଆଯାଉଛି । ହେଲେ ଏହି ଅଣ୍ଡା ପାଇଁ ଆବଶ୍ୟକ ଅଧିକ ପଇସା କେଉଁଠୁ ଆସିବ ତାହା ତାହା ଅଙ୍ଗନବାଡି କର୍ମୀମାନେ ଜାଣିପାରୁ ନାହାନ୍ତି । ଗୋଟିଏ ପଟେ ଅଣ୍ଡା ଦର ସେମାନଙ୍କ ଚିନ୍ତା ବଢାଉଥିବାବେଳେ ଅନ୍ୟପଟେ ଅଣ୍ଡା ଆଶାରେ ବିଦ୍ୟାଳୟ ଓ ଅଙ୍ଗନବାଡିକୁ ଆସୁଥିବା ପିଲାମାନେ କିଭଳି ପୂର୍ବଭଳି ଆସିବେ ତାହା ଚିନ୍ତାକୁ ବହୁଗୁଣିତ କରିବାରେ ଲାଗିଛି ।