ଅନାଥ ଛାତ୍ରଛାତ୍ରୀଙ୍କୁ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ସାମିଲ

ଭୁବନେଶ୍ୱର : ଉଚ୍ଚତର ଶିକ୍ଷା ପାଇଁ ଅନାଥ ଛାତ୍ରଛାତ୍ରୀଙ୍କୁ ସହାୟତାର ହାତ ବଢାଇଛନ୍ତି ରାଜ୍ୟ ସରକାର । ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ପାଇଁ ସେମାନଙ୍କୁ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ସାମିଲ କରାଯାଇଛି । ୨୦୨୩-୨୪ ଶିକ୍ଷାବର୍ଷରୁ ସେମାନଙ୍କୁ ଏହି ସୁବିଧା ମିଳିବ ।

୨୦୧୮-୧୯ ବର୍ଷରୁ ରାଜ୍ୟରେ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଏଥିରେ ଅସହାୟ ଓ ଆର୍ଥିକ ଅନଗ୍ରସର ବର୍ଗର ଶିଶୁମାନଙ୍କୁ ଉଚ୍ଚଶିକ୍ଷା ପାଇଁ ସରକାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ଚଳିତ ଶିକ୍ଷାବର୍ଷରୁ ଏହି ତାଲିକାରେ ଅନାଥ ଶିଶୁ, ବାଲ୍ୟ ବିବାହ ସମୟରେ ଉଦ୍ଧାର ହେଉଥିବା ବାଳିକା ଏବଂ କିନ୍ନର ଶିଶୁମାନଙ୍କୁ ଏହି ତାଲିକାରେ ସରକାର ସାମିଲ କରିଛନ୍ତି । ସେମାନଙ୍କୁ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ପାଇଁ ଏହି ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।

ଉଲ୍ଲେଖନୀୟ ଯେ ଗୋପବନ୍ଧୁ ଶିକ୍ଷା ଯୋଜନା କାର୍ଯ୍ୟକାରୀ ହେବା ପରେ ଏଥିରେ ବାସହୀନ ପରିବାରର ଶିଶୁ, ଏଚଆଇଭି/ଏଡ୍‍ସ ଆକ୍ରାନ୍ତ ବ୍ୟକ୍ତିଙ୍କ ଶିଶୁ, ସମ୍ବେଦନଶୀଳ ଆଦିବାସୀ ପରିବାର, ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତିଙ୍କ ପିଲା, ଛାଡପତ୍ର ପାଇଥିବା ମହିଳା, ବିଧବା କିମ୍ବା ଭିକ୍ଷାବୃତ୍ତି କରୁଥିବା ଅବିବାହିତା ମହିଳାଙ୍କ ପିଲାମାନେ ସାମିଲ ହୋଇଥିଲେ । ବର୍ତ୍ତମାନ ରାଜ୍ୟ ସରକାର ଉଚ୍ଚଶିକ୍ଷା ପାଇଁ ଏଥିରେ ଆଉ ତିନି ବର୍ଗଙ୍କୁ ସାମିଲ କରିଛନ୍ତି । ଏମାନଙ୍କୁ ରାଜ୍ୟ ସରକାର ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବେ ।

ଯୋଜନାକୁ କାର୍ଯ୍ୟକାରୀ କରୁଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ମର୍ମରେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗକୁ ପତ୍ର ଲେଖାଯାଇଛି । କାରଣ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଅନାଥ ଶିଶୁମାନଙ୍କୁ ଏହି ଯୋଜନାରେ ସାମିଲ ପାଇଁ ପଦକ୍ଷେପ ନିଆଯାଉଥିବାବେଳେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବାଲ୍ୟ ବିବାହ ସମୟରେ ଉଦ୍ଧାର ହେଉଥିବା ଶିଶୁଙ୍କୁ ଏଥିରେ ସାମିଲ କରାଯାଇଥାଏ ।

ଉଲ୍ଲେଖନୀୟ ଯେ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ପାଇଁ ଏହି ଯୋଜନାରେ ଛାତ୍ରଛାତ୍ରୀମାନଙ୍କୁ ବାର୍ଷିକ ୨୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ଏହି ସହାୟତା ପାଇବାପାଇଁ ଛାତ୍ରଛାତ୍ରୀମାନେ ଶିକ୍ଷାଗ୍ରହଣ କରୁଥିବା ଅନୁଷ୍ଠାନ ଜରିଆରେ ଆବେଦନ କରିଥାନ୍ତି । ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଆବେଦନପତ୍ରଗୁଡିକ ଯାଞ୍ଚକରି ଉଚ୍ଚଶିକ୍ଷା ବିଭାଗକୁ ପଠାଇଥାନ୍ତି । ଏହାକୁ ପାଇବାପରେ ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିକଟକୁ ଏହା ପଠାଇଥାନ୍ତି । କମିଟି ଟିକିନିଖି ଯାଞ୍ଚ କରିବାପରେ ସଠିକ ହିତାଧିକାରୀଙ୍କ ପାଇଁ ସୁପାରିଶ୍‍ କରିଥାନ୍ତି ଓ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ସହାୟତା ରାଶି ପଠାଯାଇଥାଏ । ଏହି ସମସ୍ତ ପ୍ରକ୍ରିୟା ଅନ୍‍ଲାଇନ୍‍ ଜରିଆରେ ହେଉଥିବାବେଳେ ଯଦି କୌଣସି କ୍ଷେତ୍ରରେ ଛାତ୍ରଛାତ୍ରୀ ଜାଲ୍‍ କାଗଜପତ୍ର ଦେଇ ସହାୟତା ହାତେଇଥିବା ଜଣାପଡେ ତେବେ ସେ ନେଇଥିବା ସମସ୍ତ ସହାୟତା ରାଶି ଉଚ୍ଚଶିକ୍ଷା ବିଭାଗକୁ ଫେରସ୍ତ କରିବାର ବ୍ୟବସ୍ଥା ରହିଛି ।

Leave A Reply

Your email address will not be published.