ଆୟୁଷ୍ମାନ ଯୋଜନାରେ ଓଡିଶାର ୨୬ ଡାକ୍ତରଖାନା

ଭୁବନେଶ୍ୱର : ଓଡିଶାରେ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ- ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) କାର୍ଯ୍ୟକାରୀ ହୋଇନଥିବାବେଳେ ରାଜ୍ୟର ୨ଟି ଘରୋଇ ହସ୍ପିଟାଲ ସହିତ ମୋଟ୍‍ ୨୬ ଡାକ୍ତରଖାନା ଏହି ଯୋଜନାରେ ତାଲିକାଭୁକ୍ତ ହୋଇଛନ୍ତି । ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଲୋକସଭାରେ ଏହି ସୂଚନା ପ୍ରଦାନ କରିଛନ୍ତି ।

ସାଂସଦ ଶ୍ରୀ ସାହୁ ଏବଂ ସାଂସଦ ରାହୁଳ ରମେଶ ସିୱାଲେ ପଚାରିଥିଲେ ଯେ ଏହି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଯୋଜନା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବିଶେଷକରି ଓଡିଶାର କେତେ ହିତାଧିକାରୀ ଉପକୃତ ହୋଇଛନ୍ତି । ଏଥି ସହିତ କେତେ ସଂଖ୍ୟାରେ ଘରୋଇ ଡାକ୍ତରଖାନା ଏହି ଯୋଜନାରେ ତାଲିକାଭୁକ୍ତ ତାହା ଜଣାଇବାକୁ କହିଥିଲେ ।

ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡଭ୍ୟ କହିଛନ୍ତି ଯେ ଆୟୁଷ୍ମାନ ଭାରତ ଯୋଜନାରେ ପ୍ରତି ପରିବାରକୁ ବାର୍ଷିକ ୫ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବାବେଳେ ବର୍ତ୍ତମାନ ସୁଦ୍ଧା ଏଥିରେ ୧୨ କୋଟି ପରିବାର ଏହି ସୁବିଧାରେ ସାମିଲ ହୋଇଛନ୍ତି । ତେବେ ଦିଲ୍ଲୀ, ଓଡିଶା ଓ ପଶ୍ଚିମବଙ୍ଗ ଏହି ତାଲିକାରେ ନାହାନ୍ତି ।

ସେହିଭଳି ଚଳିତବର୍ଷ ଜାନୁୟାରୀ ୧୫ତାରିଖ ସୁଦ୍ଧା ପ୍ରାୟ ୬.୨୨ କୋଟି ଲୋକ ଡାକ୍ତରଖାନାରେ ଦାଖଲ ହୋଇଥିବାବେଳେ ଏହି ଯୋଜନାରେ ୭୯,୧୭୪ କୋଟି ଟଙ୍କା ବରାଦ ହୋଇଛି । ଏଥି ମଧ୍ୟରେ ୨୦୧୮-୧୯ ରୁ ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୪.୮୬ କୋଟି ଲୋକଙ୍କ ପାଇଁ ୫୯,୭୮୫ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ସେହିଭଳି ଚଳିତବର୍ଷ ଜାନୁଆରୀ ୧୫ ତାରିଖ ସୁଦ୍ଧା ୧୧,୯୭୩ଟି ଘରୋଇ ଡାକ୍ତରଖାନା ସହିତ ମୋଟ୍‍ ୨୭,୪୭୨ଟି ଡାକ୍ତରଖାନା ଆୟୁଭାରତ ଭାରତ ଯୋଜନାରେ ତାଲିକାଭୁକ୍ତ ହୋଇଛି । ଓଡିଶାରେ ୨ଟି ଘରେଇ ଡାକ୍ତରଖାନା ସହିତ ମୋଟ୍‍ ୨୬ଟି ଡାକ୍ତରଖାନା ଏହି ତାଲିକାରେ ଅଛି । ଓଡିଶାରେ ଏହି କେନ୍ଦ୍ରୀୟ ଯୋଜନା ଲାଗୁ ହୋଇନଥିବାବେଳେ ରାଜ୍ୟ ବାହାରର ହିତାଧିକାରୀମାନେ ରାଜ୍ୟର ଏହି ତାଲିକାଭୁକ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ଏହି କେନ୍ଦ୍ରୀୟ ଯୋଜନାର ହିତାଧିକାରୀମାନଙ୍କ ମଧ୍ୟରେ ଡାକ୍ତରଖାନରେ ଭର୍ତ୍ତି ହେଉଥିବା ଲୋକଙ୍କ ସଂଖ୍ୟା ପ୍ରତିବର୍ଷ ବଢି ବଢି ଚାଲିଥିବାବେଳେ ସେମାନଙ୍କ ସ୍ୱାସ୍ଥ୍ୟ ଖର୍ଚ୍ଚ ମଧ୍ୟ ଅଧିକ ରହୁଛି । ୨୦୧୮-୧୯ ବର୍ଷରେ ୨୦.୬୪ ଲକ୍ଷ ଲୋକଙ୍କ ପାଇଁ ୩୦୫୮ କୋଟିରୁ ଅଧିକ ଟଙ୍କା ବ୍ୟୟ ହୋଇଥିବାବେଳେ ୨୦୨୩-୨୪ ବର୍ଷରେ ଜାନୁୟାରୀ ୧୫ତାରିଖ ସୁଦ୍ଧା ପ୍ରାୟ ୧.୩୬ କୋଟି ଲୋକଙ୍କ ଚିକିତ୍ସା ବାବଦରେ ୧୮,୩୮୮ କୋଟି ରୁ ଅଧିକ ଟଙ୍କା ବ୍ୟୟ ହୋଇ ସାରିଲାଣି ।

Leave A Reply

Your email address will not be published.