ବିଧାନସଭାରେ କାମଚଳା ବଜେଟ୍‍ ଆଗତ

ଭୁବନେଶ୍ୱର : ଅର୍ଥମନ୍ତୀ ବିକ୍ରମ କେଶରୀ ଆରୁଖ ଆଜି ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧,୧୮,୦୦୦ କୋଟି ଟଙ୍କାର କାମଚଳା ବଜେଟ୍‍ ଆଗତ କରିଛନ୍ତି । ଏଥି ମଧ୍ୟରେ କାର୍ଯ୍ୟକ୍ରମ ବ୍ୟୟ ବାବଦରେ ୬୩,୪୦୦ କୋଟି ଟଙ୍କା ଥିବାବେଳେ ପ୍ରଶାସନିକ ଖର୍ଚ୍ଚ ବାବଦରେ ୪୭,୬୬୦ କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଖର୍ଚ୍ଚ ବାବଦରେ ୩୯୦୦ କୋଟି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରରା ହସ୍ତାନ୍ତରିତ ହେଉଥିବା ଅର୍ଥରୁ ଖର୍ଚ୍ଚ ବାବଦରେ ୩୦୪୦ କୋଟି ଟଙ୍କା ରହିଛି । ଏହି ଲେଖାନୁଦାନ ୨୦୨୪-୨୫ ଆର୍ଥିକ ବର୍ଷର ଏପ୍ରିଲରୁ ଜୁଲାଇ ମାସ ପର୍ଯ୍ୟନ୍ତ ଖର୍ଚ୍ଚ ବାବଦକୁ ଗୃହରେ ଆଗତ ହୋଇଛି ।

୨୦୨୪-୨୫ ଆର୍ଥିକ ବର୍ଷର ମୋଟ୍‍ ବଜେଟ୍‍ରେ କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ ୧,୪୦,୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ୧୯୯୯-୨୦୦୦ ବର୍ଷରେ ଏହି ବ୍ୟୟ ପରିମାଣ ୩୪୯୦ କୋଟି ଟଙ୍କା ଥିବାବେଳେ ୨୩ ବର୍ଷ ମଧ୍ୟରେ ତାହା ୪୦ଗୁଣ ବୃଦ୍ଧି ପାଇଛି । ସେହିଭଳି ବଜେଟ୍‍ରେ ପୁଞ୍ଜି ବ୍ୟୟ ଅଟକଳ ୬୩,୧୬୨ କୋଟି ଟଙ୍କା ରହିଛି ଯାହା କି ୨୩ ବର୍ଷ ମଧ୍ୟରେ ୭୯ ଗୁଣ ବଢିଛି ।

୧୯୯୯-୨୦୦୦ ବର୍ଷରେ ପୁଞ୍ଜି ବ୍ୟୟ ପରିମାଣ ୭୯୯ କୋଟି ଟଙ୍କା ଥିଲା । କୃଷି ପାଇଁ ୨୮,୯୪୪ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ଯାହା କି ଗତବର୍ଷର ବ୍ୟୟବରାଦ ଠାରୁ ୧୭ ପ୍ରତିଶତ ଅଧିକ । ସେହିଭଳି ଧାନ କିଣା ପାଇଁ ବଜେଟ୍‍ରେ ୨୦୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ କାଳିଆ ଯୋଜନାରେ ୧୯୩୫ କୋଟି ଟଙ୍କାର ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବ୍ୟବସ୍ଥା କରାଯାଇଛି ।
ସେହିଭଳି ୨୦୨୪-୨୫ ବଜେଟ୍‍ ଅଟକଳରେ ନିଜସ୍ୱ ରାଜସ୍ୱ ଓ ସକଳ ରାଜ୍ୟ ଘରୋଇ ଉତ୍ପାଦର ଅନୁପାତ ୧୨.୨୫ ପ୍ରତିଶତ ରହିଛି । ରାଜ୍ୟର ନିଜସ୍ୱ ରାଜସ୍ୱ ମୋଟ୍‍ ରାଜସ୍ୱର ପ୍ରାୟ ୫୬ ପ୍ରତିଶତ ଅଟେ ।

ରାଜସ୍ୱ ବଳକା ଜିଏସ୍‍ଡିପିର ୪ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି । ବିତ୍ତୀୟ ନିଅଣ୍ଟକୁ ଜିଏସ୍‍ଡିପିର ୩ ପ୍ରତିଶତ ନିର୍ଦ୍ଧାରିତ ସୀମା ମଧ୍ୟରେ ରଖାଯାଇଛି ।

ବଜେଟରେ ସ୍ୱାସ୍ଥ୍ୟସେବା ପାଇଁ ଗତବର୍ଷ ତୁଳନାରେ ୨୪ ପ୍ରତିଶତ ଅଧିକ ଅର୍ଥ ବରାଦ ହୋଇଛି । ବଜେଯ୍‍ରେ ମୋଟ୍‍ ୧୯,୯୫୯ କୋଟି ଟଙ୍କାର ବ୍ୟୟବରାଦ ରହିଛି ଯାହାକି ମୋଟ୍‍ ବଜେଟ୍‍ର ୮ ପ୍ରତିଶତ । ଏଥି ମଧ୍ୟରେ ଆମ ହସ୍ପିଟାଲ ପାଇଁ ୧୩୧୪ କୋଟି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୫୪୫୦ କୋଟି, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ପାଇଁ ୨୯୯୨ କୋଟି ଟଙ୍କାର ବ୍ୟୟବରାଦ ରହିଛି ।
ମିଶନ ଶକ୍ତି କାର୍ଯ୍ୟକ୍ରମ ପାଇଁ ବଜେଟ୍‍ରେ ୨୭୬୧ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏଥି ମଧ୍ୟରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୪୧୭ କୋଟି ଟଙ୍କା ଅର୍ନ୍ତଭୁକ୍ତ ।

ଶିକ୍ଷା କ୍ଷେତ୍ର ପାଇଁ ବଜେଟ୍‍ରେ ୩୩,୮୬୫ କୋଟି ଟଙ୍କାର ବ୍ୟୟବରାଦ ଥିବାବେଳେ ଉଚ୍ଚଶିକ୍ଷା ବିଭାଗ ପାଇଁ ୩୪୭୦ କୋଟି ଟଙ୍କା ଦିଆଯାଇଛି । ଦକ୍ଷତା ଓ ବୈଷୟିକ ଶିକ୍ଷା ପାଇଁ ୧୫୮୩ କୋଟି ଟଙ୍କା ରହିଛି ।

କ୍ରୀଡା ଓ ଯୁବସେବା ବିଭାଗ ପାଇଁ ୧୩୦୫ କୋଟି ଟଙ୍କା, ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ ୫୦୧୫ କୋଟି, ସାମାଜିକ ସୁରକ୍ଷା ପାଇଁ ୪୬୯୯ କୋଟି, ଅନୁସୂଚିତ ଜାତି, ଜନଜାତି, ଓବିସି ଓ ସଂଖ୍ୟାଲଘୁଙ୍କ ବିକାଶ ପାଇଁ ୫୮,୫୭୫ କୋଟି ଟଙ୍କା ରହିଛି । ବଜେଟ୍‍ରେ ନଗର ଉନ୍ନୟନ ବିଭାଗ ଅଧିନରେ ସହରାଞ୍ଚଳ ରୂପାନ୍ତରଣ ପାଇଁ ୧୦,୭୮୧ କୋଟି ଟଙ୍କାର ବ୍ୟୟବରଦ ହୋଇଛି ।

ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ଋଣଭାରଗ ୯୨,୭୫୪ କୋଟି ଟଙ୍କାରେ ପହଞ୍ଚିଥିବାବେଳେ ଏଥି ମଧ୍ୟରେ ଭାରତ ସରକାରଙ୍କ ଠାରୁ ୭୯୫୮ କୋଯି, ସ୍ୱଳ୍ପ ସଞ୍ଚୟ ଯୋଜନାରୁ ୮୬୯୪ କୋଟି, ନାବାର୍ଡରୁ ୧୩,୫୯୮ କୋଟି, ଜିପିଏଫ୍‍ରୁ ୨୨,୭୬୨ କୋଟି ଟଙ୍କାର ଋଣ ଅଣାଯାଇଥିବା ମନ୍ତ୍ରୀ ଶ୍ରୀ ଆରୁଖ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.