ଓଡ଼ିଶାରେ ୩୯୪୬ଟି ବିଦ୍ୟାଳୟ ବନ୍ଦ

ଭୁବନେଶ୍ୱର : ଓଡ଼ିଶାରେ ପ୍ରାଥମିକ ବିଦ୍ୟାଳୟ ଓ ହାଇସ୍କୁଲ ସଂଖ୍ୟା କମୁଥିବାବେଳେ ଯୁକ୍ତ ଦୁଇ ସ୍ତରର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସଂଖ୍ୟା କିନ୍ତୁ ବଢିବାରେ ଲାଗିଛି । ବିଶେଷ କରି ଯେଉଁସବୁ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ହେଉନାହାନ୍ତି ସେଗୁଡିକୁ ନିକଟବର୍ତ୍ତୀ ବିଦ୍ୟାଳୟ ସହିତ ମିଶାଇ ଦିଆଯିବା ଫଳରେ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା କମିଛି । ବନ୍ଦ କରିଦିଆଯାଇଥିବା ବିଦ୍ୟାଳୟଗୁଡିକର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅନ୍ୟ ବିଦ୍ୟାଳୟରେ ପାଠପଢା କାମରେ ଲଗା ଯାଉଥିବା ସରକାରୀ ତଥ୍ୟରୁ ଜଣାପଡିଛି ।

୨୦୦୯-୧୦ ବର୍ଷ ବେଳକୁ ରାଜ୍ୟରେ ପ୍ରାଥମିକସ୍ତରର ୫୩, ୩୩୫ଟି ବିଦ୍ୟାଳୟ ଥିବାବେଳେ ୨୦୨୩-୨୪ ଶିକ୍ଷାବର୍ଷ ବେଳକୁ ଏହି ସଂଖ୍ୟା ୪୯, ୪୮୯କୁ ହ୍ରାସ ପାଇଛି । ଅର୍ଥାତ୍‍ ପ୍ରାଥମିକ ସ୍ତରରେ ୩୯୪୬ଟି ବିଦ୍ୟାଳୟ ବନ୍ଦ ହୋଇଯାଇଛି । ତେବେ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା ହ୍ରାସ ପାଉଥିବାବେଳେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା କିନ୍ତୁ ବଢିଛି । ସରକାରୀ ହିସାବ ମୁତାବକ ଗତ ୧୪ବର୍ଷ ମଧ୍ୟରେ ୨୨ଟି ଜିଲ୍ଲାରେ ବିଦ୍ୟାଳୟ ସଂଖ୍ୟା କମିଥିବାବେଳେ ୮ଟି ଜିଲ୍ଲାରେ କିନ୍ତୁ ଏହା ବୃଦ୍ଧି ପାଇଥିବା ଜଣାପଡିଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାଣ୍ଡ୍ରି ଅନ୍ୟତମ ବିଧାୟକ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଦେଇଥିବା ତଥ୍ୟ ମୁତାବକ ପ୍ରାଥମିକ ସ୍ତରରେ ବିଦ୍ୟାଳୟଗୁଡିକ ପାଇଁ ୧,୩୫,୬୫୬ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବାବେଳେ ମାଧ୍ୟମିକ ସ୍ତରରେ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ସଂଖ୍ୟା ୪୦, ୧୬୬ ରହିଛି ।

ମନ୍ତ୍ରୀଙ୍କ ପ୍ରଦତ୍ତ ପରିସଂଖ୍ୟାନ ମୁତାବକ ୨୦୦୯-୧୦ ସୁଦ୍ଧା ରାଜ୍ୟରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍ତରର ୬୪, ୫୪୯ଟି ବିଦ୍ୟାଳୟ ଥିବାବେଳେ ୨୦୨୩-୨୪ ବର୍ଷରେ ଏହି ସଂଖ୍ୟା ୬୧, ୬୦୩କୁ ହ୍ରାସ ପାଇଥିବା ପ୍ରାଥମିକ ଅଟକଳରୁ ଜଣାପଡିଛି । ଅର୍ଥାତ୍‍ ମୋଟାମୋଟି ଭାବେ ଏହି ୧୪ବର୍ଷ ମଧ୍ୟରେ ଓଡ଼ିଶାରେ ବିଭିନ୍ନ କିସମର ବିଦ୍ୟାଳୟ ସଂଖ୍ୟା ୨୯୪୬ କମିଛି ।

ଏହି ତଥ୍ୟ ମୁତାବକ ୨୦୦୯-୧୦ ବେଳକୁ ଓଡ଼ିଶାରେ ୩୫ହଜାର ୯୨୮ଟି ପ୍ରାଥମିକ ବିଦ୍ୟାଳୟ ଥିବାବେଳେ ୨୦୨୩-୨୪ବେଳକୁ ଏହି ସଂଖ୍ୟା ୨୮, ୬୩୮କୁ ହ୍ରାସ ପାଇଛି । ଅର୍ଥାତ୍‍ ପ୍ରାଥମିକ ସ୍ତରର ୭୨୯୦ଟି ବିଦ୍ୟାଳୟ ବନ୍ଦ ହୋଇଯାଇଛି । ଅନ୍ୟପକ୍ଷରେ ଏହି ବର୍ଷଗୁଡିକ ମଧ୍ୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା କିନ୍ତୁ ୧୭, ୪୦୭ରୁ ୨୦, ୮୫୧କୁ ବୃଦ୍ଧି ପାଇଛି । ଏଥିରୁ ଅନ୍ୟୁନ ୩, ୪୪୪ଟି ପ୍ରାଥମିକ ବିଦ୍ୟାଳୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟସ୍ତରକୁ ଉର୍ଣ୍ଣିତ ହୋଇଛି କିମ୍ବା ସେଥିରେ ମିଶିଥିବା କୁହାଯାଉଛି ।

ଏହି ୧୪ବର୍ଷ ମଧ୍ୟରେ ଓଡ଼ିଶାର ହାଇସ୍କୁଲ ସଂଖ୍ୟା ବଢିବା ପରିବର୍ତ୍ତେ ୯,୪୩୨ରୁ ୯,୩୯୯କୁ ହ୍ରାସ ପାଇଛି । ତେବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଂଖ୍ୟା ଏହି ସମୟ ମଧ୍ୟରେ ୧୭୮୨ରୁ ୨୭୧୫କୁ ବୃଦ୍ଧି ପାଇଥିବା ଜଣାପଡିଛି । ମୋଟାମୋଟି ଭାବେ ହାଇସ୍କୁଲ ସଂଖ୍ୟା ୩୩ଟି କମିଥିବାବେଳେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଂଖ୍ୟା କିନ୍ତୁ ୯୩୩ଟି ବଢିଛି ।

ଅନ୍ୟସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ ରାଜ୍ୟରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଓ ଏଥିରେ ଛାତ୍ରଛାତ୍ରୀ ସଂଖ୍ୟା ଆନୁପାତିକ ହାରରେ ଅଧିକ ବଢିଛି । ତେବେ ୧୪ବର୍ଷ ତଳେ ଓଡ଼ିଶାରେ ପ୍ରାଥମିକ ସ୍ତରରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ମୋଟାମୋଟି ଭାବେ ଯାହା ଥିଲା ଏବେ ସେହି ସଂଖ୍ୟା ଢେର୍‍ ଅଧିକ ବୃଦ୍ଧି ପାଇଛି ।

Leave A Reply

Your email address will not be published.