ଭୁବନେଶ୍ୱର : ସମଗ୍ର ଦେଶରେ ସ୍ତନ କର୍କଟ ଘାତକ ସାବ୍ୟସ୍ତ ହେଉଥିବାବେଳେ ଓଡିଶାରେ ମଧ୍ୟ ଏହାର ପ୍ରାର୍ଦୁଭାବ ଦେଖିବାକୁ ମିଳୁଛି । ଗତବର୍ଷ ଦେଶରେ ୨ଲକ୍ଷରୁ ଅଧିକ ମହିଳା ସ୍ତନକର୍କଟରେ ପୀଡିତ ହୋଇଥିବାବେଳେ ଓଡିଶାରେ ଏହି ସଂଖ୍ୟା ୮ହଜାରରୁ ଅଧିକ ଥିଲା ଏବଂ ପ୍ରତିବର୍ଷ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।
କେନ୍ଦ୍ରୀୟ ରେରାଗ ସୂଚନା ଓ ଗବେଷଣା କେନ୍ଦ୍ରର ତଥ୍ୟ ଅନୁଯାୟୀ ୨୦୧୯ ମସିହାରେ ଓଡିଶାରେ ୪୮୮୦ ଜଣ ମହିଳାଙ୍କ ଠାରେ ସ୍ତନକର୍କଟ ଚିହ୍ନଟ ହୋଇଥିବାବେଳେ ୨୦୨୦ରେ ଏହା ୭୫୦୮କୁ ବୃଦ୍ଧି ପାଇଥିଲା । ୨୦୨୧ରେ ଏହା ୭୬୮୧କୁ ବୃଦ୍ଧି ପାଇଥିବାବେଳେ ୨୦୨୨ରେ ୭୮୫୭ ଏବଂ ୨୦୨୩ରେ ଏହା ୮୦୩୫ରେ ପହଞ୍ଚିଛି । ସମଗ୍ର ଦେଶରେ ବର୍ଷକୁ ବର୍ଷ ଏହା ବଢିବାରେ ଲାଗିଛି । ୨୦୧୯ ରେ ଭାରତରେ ୨ଲକ୍ଷରୁ ସାମାନ୍ୟ ଅଧିକ ସ୍ତନକର୍କଟ ରୋଗୀ ଚିହ୍ନଟ ହୋଇଥିବାବେଳେ ୨୦୧୩ରେ ଏହା ୨ଲକ୍ଷ ୨୧ ହଜାରକୁ ଅତିକ୍ରମ କରିଯାଇଛି ।
ସ୍ତନ କର୍କଟରେ ଆକ୍ରାନ୍ତଙ୍କ ସହିତ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ୨୦୧୯ରେ ରାଜ୍ୟରେ ଏହି ରୋଗରେ ୨୭୩୦ ଜଣ ମୃତ୍ୟୁମୁଖରେ ପଡିଥିବାବେଳେ ୨୦୨୩ରେ ମୃତ୍ୟୁ ସଂଖ୍ୟା ୨୯୮୯ ରେକର୍ଡ କରାଯାଇଛି । ଜାତୀୟ ସ୍ତରରେ ମଧ୍ୟରେ ଏହି କର୍କଟରେ ପୀଡିତ ହୋଇ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି । ୨୦୧୯ରେ ସମଗ୍ର ଦେଶରେ ସ୍ତନକର୍କଟ ରୋଗରେ ୭୪,୪୮୧ ଜଣ ମୃତ୍ୟୁବରଣ କରିଥିବାବେଳେ ୨୦୨୩ରେ ଏହି ସଂଖ୍ୟା ୮୨,୪୨୯ ରେ ପହଞ୍ଚିଥିଲା ।
ତେବେ କେନ୍ଦ୍ର ସରକାର କ୍ୟାନସର ଭଳି ଅଣସଂକ୍ରାମକ ରୋଗର ମୁକାବିଲା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନର ଅଂଶ ଭାବେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ସେମାନେ ଭିତ୍ତିଭୂମି ବିକାଶ ସହିତ ଲୋକଙ୍କ ମଧ୍ୟରେ ସଚେତନତା, ରୋଗ ପ୍ରତିରୋଧ, ଆଗୁଆ ରୋଗ ଚିହ୍ନଟ ଆଦି କାର୍ଯ୍ୟକ୍ରମ ଚଳାଇ ପାରୁଚନ୍ତି । ଏହି ଧରଣର ରୋଗର ଚିକିତ୍ସା ଲୋକେ ଜିଲ୍ଲା ସ୍ତରୀୟ ଡାକ୍ତରଖାନା, ମେଡିକାଲ କଲେଜ ଓ ଏମ୍ସ ଭଳି କେନ୍ଦ୍ରୀୟ ଅନୁଷ୍ଠାନଗୁଡିକରେ ପାଉଛନ୍ତି ।
କେନ୍ଦ୍ର ସରକାର କର୍କଟ ରୋଗର ତ୍ରିସ୍ତରୀୟ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ କରୁଛନ୍ତିା ୧୯ଟି ରାଜ୍ୟ କର୍କଟ ପ୍ରତିଷ୍ଠାନ ଏବଂ ୨୦ଟି ଟେରଟିଆରୀ କେୟାର କ୍ୟାନର ସେଣ୍ଟରର୍ସ (ଟିସିସିସିଏସ୍)କୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ହରିଆନାର ଝାଜର ଠାରେ ଜାତୀୟ କର୍କଟ ପ୍ରତିଷ୍ଠାନ ଏବଂ ଚିତ୍ତରଞ୍ଜନ ଜାତୀୟ କର୍କଟ ପ୍ରତିଷ୍ଠାନର ଦ୍ୱିତୀୟ କ୍ୟାମ୍ପସ ପ୍ରତିଷ୍ଠା କରାଯାଇଛି । ନୂତନ ଭାବେ ଖୋଲୁଥିବା ସମସ୍ତ ଏମ୍ସ ଏବଂ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ଉନ୍ନୀତ ହୋଇଥିବା ୧୩ଟି ମେଡିକାଲ କଲେଜ ଓ ପ୍ରତିଷ୍ଠାନରେ କର୍କଟ ରୋଗର ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯାଉଛି ।