ଶିଳ୍ପ ସଂସ୍ଥାକୁ ଛାଡ଼, ଘରୋଇ ଗ୍ରାହକ ଉପରେ ଜୁଲମ

ଭୁବନେଶ୍ୱର : ଶିଳ୍ପସଂସ୍ଥା ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ବିଜୁଳି ସଂଯୋଗ ନେଇ ନିଜ ନିଜର ବେପାର ଚଳାଇଲେ । ହେଲେ ବିଜୁଳି ଦେୟ ଦେଲେ ନାହିଁ । ଯେତେବେଳେ ବିଜୁଳି ବୋଝ ଅଧିକ ହେଲା ସେତେବେଳେ ବିଭିନ୍ନ ବାହାନା କରି ଟଙ୍କା ଦେଲେ ନାହିଁ । ପରେ ସେମାନଙ୍କ ପାଇଁ ଓଟିଏସ୍‍ ବା ଏକକାଳୀନ ଦେୟ ବ୍ୟବସ୍ଥା କାର୍ଯ୍ୟକାରୀ ହେଲା । ଏହି ବ୍ୟବସ୍ଥାରେ ବିଜୁଳି ବିଲ୍‍ ପଇଠ କରି ସମ୍ପୃକ୍ତ ସଂସ୍ଥାମାନେ ପ୍ରାୟ ୩୦କୋଟି ଟଙ୍କାର ଲାଭ ପାଇଥିବା ଜଣାଯାଇଛି ।

ଟିପିସିଓଡିଏଲ୍‍ ଅଧିନରେ ଥିବା ଏହି କିସମର ବିଜୁଳି ଉପଭୋକ୍ତାଙ୍କୁ ପ୍ରାୟ ୭ କୋଟି ଟଙ୍କାର ବିଜୁଳି ବିଲ୍‍ ଛାଡ କରାଯାଇଛି । ଓଡିଶା ବିଦ୍ୟୁତ୍‍ ନିୟାମକ ଆୟୋଗ (ଓଇଆରସି) ସେମାନଙ୍କ ପାଇଁ ଲାଗୁ ଥିବା ଓଟିଏସ୍‍ରେ ଏହି ଲାଭ ପାଇଛନ୍ତି । ଏହି ଛାଡ ଡିସେମ୍ବର ୨୨ରୁ ଜୁଲାଇ ୨୦୨୩ ମଧ୍ୟରେ ହୋଇଥିବା ଜଣାଯାଇଛି ।

ସେହିଭଳି ଟିପିଏସଓଡିଏଲ୍‍ ଅଧିନରେ ଗତବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ଶିଳ୍ପାନୁଷ୍ଠାନର ବିଦ୍ୟୁତ୍‍ ଦେୟ ବାବଦକୁ ୧୧.୫୫ କୋଟି ଏବଂ ବ୍ୟବସାୟ ପ୍ରତିଷ୍ଠାନ ଉପରେ ୨୪.୯୮ କୋଟି ଟଙ୍କା ବକେୟା ଥିଲା । ଏମାନେ ଓଟିଏସ୍‍ରେ ଅର୍ଥ ପଇଠ କରିବା ଯୋଗୁଁ ସାଢେ ୪କୋଟିରୁ ଅଧିକ ଟଙ୍କା ଛାଡ ପାଇଛନ୍ତି ।

ଟିପିଡବ୍ଲୁଓଡିଏଲ୍‍ରେ ଏହି ଛାଡର ପରିମାଣ ୮.୫୨ କୋଟି ଟଙ୍କା ରହିଛି । ଏଠାରେ ଗତବର୍ଷ ଶେଷ ସୁଦ୍ଧା ବିଭିନ୍ନ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ୧୩୦କୋଟି ଟଙ୍କାରୁ ଅଧିକ ବାକି ପଡିଥିଲା । ସେଥି ମଧ୍ୟରେ ବିଜୁଳି ବିଚ୍ଛିନ୍ନ ହୋଇଥିବା ସଂସ୍ଥା ଉପରେ ୧୦୬ କୋଟି ଟଙ୍କା ପଡିଥିବାବେଳେ ୨୩.୭୪ କୋଟି ଟଙ୍କା ବାକି ରଖିଥିବା ସଂସ୍ଥାଗୁଡିକୁ ବିଜୁଳି ସଂଯୋଗ ଥିଲା । ଏହିସବୁ ସଂସ୍ଥାମାନେ ଓଟିଏସ୍‍ ଅର୍ଥ ପଇଠ କରି ୨୦୨୨ ମସିହାରେ ସାଢେ ୮କୋଟିରୁ ଅଧିକ ଟଙ୍କାର ଲାଭ କରିଥିବା ଜଣାଯାଇଛି ।

ତେବେ ସର୍ବାଧିକ ଅର୍ଥ ଛାଡ ହୋଇଛି ଟିପିଏନ୍‍ଓଡିଏଲ୍‍ ଅଧିନରେ ୫ଟି ଜିଲ୍ଲା ବାଲେଶ୍ୱର ଭଦ୍ରକ, ଯାଜପୁର, କେନ୍ଦୁଝର ଓ ମୟୁରଭଞ୍ଜରେ ଥିବା ଶିଳ୍ପସଂସ୍ଥା ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ । ଏଠାରେ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ଉପରେ ୨୭୪ କୋଟି ଟଙ୍କାରୁ ଅଧିକ ବକେୟା ଥିବାବେଳେ ଶିଳ୍ପସଂସ୍ଥାଗୁଡିକ ଉପରେ ୬୫୩ କୋଟି ଟଙ୍କାରୁ ଅଧିକ ରହିଥିଲା । ଏଠାରେ ଓଟିଏସ୍‍ ସ୍କିମ୍‍ରେ ପଇଠ ହୋଇଥିବା ଅର୍ଥ ବାବଦରେ ୯ କୋଟି ଟଙ୍କାରୁ ଅଧିକ ଅର୍ଥ ଛାଡ କରାଯାଇଛି । ସମ୍ପୃକ୍ତ ସଂସ୍ଥାମାନେ ଏହି ଲାଭ ପାଇଛନ୍ତି ।

ସାଧାରଣ ଘରୋଇ ଗ୍ରାହକଟିଏ ଗୋଟିଏ ମାସର ବିଜୁଳି ବିଲ୍‍ ବାକି ରଖିଲେ ପରମାସକୁ ତାକୁ ନୋଟିସ୍‍ ପରେ ନୋଟିସ୍‍ ସହିତ କିଛିଦିନ ପରେ ବିଦ୍ୟୁତ୍‍ ବିଚ୍ଛିନ୍ନ ଚିଠି ଧରାଇ ଦିଆଯାଉଥିବାବେଳେ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ କିଭଳି କୋଟି କୋଟି ଟଙ୍କା ବାକି ରଖୁଛନ୍ତି ଓ ବିଭିନ୍ନ ବାହାନା ଦେଖାଇ ଶୁଝୁନାହାନ୍ତି ଏବଂ ଓଟିଏସ୍‍ ଯୋଜନାରେ ଅର୍ଥ ପଇଠ କରି କୋଟି କୋଟି ଟଙ୍କା ଲାଭ କରୁଛନ୍ତି ତାହା ଏବେ ଅନେକ ବିଜୁଳି ଉପଭୋକ୍ତାଙ୍କୁ ଆଶ୍ଚର୍ଯ୍ୟ କରୁଛି ।

Leave A Reply

Your email address will not be published.