ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ବେଡିଗୋବା ଗ୍ରାମରେ ଶନିବାର ଅପରାହ୍ନ ରେ ଜଣେ ମହିଳାଙ୍କୁ ଗୁଳିମାଡ ହୋଇଛି। ଗୁଳିମାଡରେ କାନବିନ୍ଧା ଗାଁ ର ସପନା ସାହୁ (୩୮) ଗୁରୁତର ହୋଇଛନ୍ତି। ଗୁରୁତର ମହିଳା ଙ୍କ ଶରୀରର ପଛ ଭାଗ ପିଠି ଓ ଅଣ୍ଟାର ମଧ୍ୟ ଭାଗରେ ଗଭୀର କ୍ଷତ ଚିହ୍ନ ରହିଛି।ତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା ରୁ ଭଞ୍ଜନଗର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଛନ୍ତି।
ସୂଚନାନୁସାରେ,ଗୁଳିମାଡର ଶିକାର ହୋଇଥିବା ମହିଳା ସପନା ସାହୁଙ୍କ ବାପଘର ବେଡିଗୋବା ହୋଇଥିବା ବେଳେ ନିକଟସ୍ଥ କାନବିନ୍ଧା ଗାଁରେ ବାହା ହୋଇଥିଲେ।ସ୍ବାମୀ ଗୁରୁବା ସାହୁ ବାହାରକୁ କାମ କରିବାକୁ ଯାଇଥିବା ରୁ ସେ ବାପା ଘର ବେଡିଗୋବା ରେ ରହୁଥିଲେ। ଗତକାଲି ଅର୍ଥାତ ଶନିବାର ମଧ୍ୟାହ୍ନ ସମୟରେ ସେ ତାଙ୍କ ମାଙ୍କ ସହ ନିକଟସ୍ଥ ଜଙ୍ଗଲକୁ ଶିଆଳି (ଖଲି ପତ୍ର) ସଂଗ୍ରହ କରିବାକୁ ଯାଇଥିଲେ। ଘଞ୍ଚ ଜଙ୍ଗଲ ଭିତରେ ପତ୍ର ସଂଗ୍ରହ କରୁଥିବା ବେଳେ ଅପରାହ୍ନ ସମୟରେ ତାଙ୍କ ପଛପଟୁ ଗୁଳି ଆସି ବାଜିଥିଲା। ଅଣ୍ଟା ନିକଟରେ ଗଭୀର କ୍ଷତ ହୋଇଥିଲା। ପ୍ରବଳ ରକ୍ତଶ୍ରାବ ହେବାରୁ ସେ ମାଙ୍କ ସହ ଜଙ୍ଗଲରୁ ଘରକୁ ଫେରିଥିଲେ। ହେଲେ ଚିକିତ୍ସା ପାଇଁ ମେଡିକାଲ କୁ ଆସିନଥିଲେ। ରବିବାର ସକାଳୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ପରିବାର ଲୋକେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଗୁରୁତର ମହିଳା ଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରିଛନ୍ତି।ତେବେ ଗୁଳିମାଡର କାରଣ ଜଣାପଡିନାହିଁ। ଭଞ୍ଜନଗର ପୁଲିସ ଘଟଣାର ତଦନ୍ତ କରୁଛି।