ଉଚ୍ଚଶିକ୍ଷିତ ଡିଗ୍ରୀଧାରୀଙ୍କୁ ଟିକଟ ଦେବ କଳିଙ୍ଗସେନା

ଭୁବନେଶ୍ୱର : ୨୦୨୪ ର୍ନିବାଚନ ପାଇଁ କଳିଙ୍ଗ ସେନା ଜୋରଦାର ପ୍ରସ୍ତୁତି ଚଳାଇଛି । ଇତି ମଧ୍ୟରେ ନିର୍ବାଚନ ପାଇଁ ଦଳ ତାହାର ନିର୍ବାଚନୀ ରୋଡ ମ୍ୟାପ୍‍ ପ୍ରସ୍ତୁତ କରିଛି । ଏଥିପାଇଁ ଦଳୀୟ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ସାଂଗଠନିକ ସ୍ଥିତି ସଂକ୍ରାନ୍ତରେ ସେନା ସୁପ୍ରିମୋ ହେମନ୍ତ ରଥ ଜିଲ୍ଲା ଓ ବ୍ଲକ ସ୍ତରରୁ ଆସିଥିବା କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଆଲୋଚନାରେ ସରକାରଙ୍କ ବିଫଳତା ସହିତ ରାଜ୍ୟରେ ଦୁଇ ବିରୋଧିଦଳ ବିଜେପି ଓ କଂଗ୍ରେସ କିଭଳି ସ୍ଥାଣୁତା ପ୍ରକାଶ କରୁଛନ୍ତି ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କୁ ସୁହାଇଲା ଭଳି କାର୍ଯ୍ୟ କରୁଛନ୍ତି ତାହା ଉପରେ ଆଲୋଚନା ହୋଇଥିଲା ।

ଏହି ଦିନିକିଆ ଆଲୋଚନା କାଳରେ ସେନା ସୁପ୍ରିମୋ ଶ୍ରୀ ରଥ ଜିଲ୍ଲା ସଭାପତିମାନଙ୍କ ଠାରୁ ଦଳର ସ୍ଥିତି ପଚାରି ବୁଝିବା ସହିତ ନିର୍ବାଚନୀ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି । ବିଶେଷକରି ସରକାରୀ ଓ ବେସରକାରୀ କଳ କାରଖାନାରେ ଓଡିଶାର ଯୁବକ ଯୁବତୀମାନେ କିଭଳି ଅଧିକ ସଂଖ୍ୟାରେ ନିଯୁକ୍ତି ପାଇବେ ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଓଡିଆ ଯୁବକ ବ୍ୟବସାୟୀମାନଙ୍କୁ ଅଗ୍ରାଧିକାର, ଓଡିଆ ଠିକାଦାରଙ୍କୁ ସରକାରଙ୍କ ହତାଦର, ଓଡିଶାରେ ଥିବା କେନ୍ଦ୍ରୀୟ ସଂସ୍ଥାଗୁଡିକରେ ଓଡିଆଙ୍କ ବଦଳରେ ଅଣଓଡିଆଙ୍କୁ ନିଯୁକ୍ତି, କେନ୍ଦ୍ରର ବିଜେପି ସରକାରର ଓଡିଶାକୁ ଅଣଦେଖା, ଆଦି ପ୍ରସଙ୍ଗକୁ ଓଡିଶାର ଭୋଟରଙ୍କ ନିକଟରେ ପହଞ୍ଚାଇବାକୁ ସ୍ଥିର ହୋଇଛି । ରାଜ୍ୟର ଦୁଇ ପ୍ରମୁଖ ବିରୋଧି ଦଳ ସରକାରଙ୍କ ସହିତ ସଲାସୁତରାରେ ମାତି କିଭଳି ଜନପ୍ରସଙ୍ଗକୁ ଏଡାଇ ଯାଉଛନ୍ତି ତାହା ଭୋଟରମାନଙ୍କୁ ଜଣାଇବାପାଇଁ ସ୍ଥିର ହୋଇଛି ।

ସେହିଭଳି ଦୁଇ ଥର କିମ୍ବା ତାହାଠାରୁ ଅଧିକ ଥର ନିର୍ବାଚିତ ହୋଇଥିବା ବିଧାୟକ/ବିଧାୟିକାମାନେ ନିଜ ନିଜ ଅଞ୍ଚଳରେ କି ପ୍ରକାର ବିକାଶ କରିଛନ୍ତି ଓ ଏହି ସମୟ ମଧ୍ୟରେ ସେମାନଙ୍କ ସମ୍ପତ୍ତି ପରିମାଣ କେତେ ବୃଦ୍ଧି ପାଇଛି ତାହାର ଏକ ତାଲିକା ପ୍ରସ୍ତୁତ ସହିତ ଆଗାମୀ ଦିନରେ ସେମାନଙ୍କ ନିର୍ବାଚନମଣ୍ଡଳୀରେ ୨ଲକ୍ଷ କରି ଲିଫ୍‍ଲେଟ୍‍ ବାଣ୍ଟିବାକୁ ସ୍ଥିର ହୋଇଛି । ଏହାଦ୍ୱାରା ବିଧାୟକଙ୍କ କାର୍ଯ୍ୟ ସଂକ୍ରାନ୍ତରେ ସେମାନଙ୍କ ଭୋଟର ଜାଣିବେ ଓ ତାଙ୍କୁ କିମ୍ବା ତାଙ୍କ ଉତ୍ତରାଧିକାରୀଙ୍କୁ ସେହି ଅନୁଯାୟୀ ଭୋଟ ଦେବେ ।

ଏଥି ସହିତ କଳିଙ୍ଗସେନାର କର୍ମକର୍ତ୍ତାମାନେ ରାଜ୍ୟର ୬ହଜାର ପଞ୍ଚାୟତରେ ପ୍ରତ୍ୟେକ ଘରକୁ ଯାଇ ଦଳର କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଅବଗତ କରିବା ସହିତ ସେମାନଙ୍କ ବିଧାୟକ ଓ ସାଂସଦଙ୍କ କାର୍ଯ୍ୟ ସଂକ୍ରାନ୍ତରେ ମଧ୍ୟ ଲୋକଙ୍କୁ ସଚେତନ କରିବେ ।

କଳିଙ୍ଗ ସେନା ଆଗାମୀ ର୍ନିବାଚନରେ ରାଜ୍ୟର ସମସ୍ତ ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ଦେବ । ପ୍ରାର୍ଥୀ ଚୟନ କ୍ଷେତ୍ରରେ ଅଧିକରୁ ଅଧିକ ସଂଖ୍ୟାରେ ଉଚ୍ଚ ଶିକ୍ଷିତ ତଥା ବୈଷୟିକ ଡିଗ୍ରୀଧାରୀ ଯୁବକ ଯୁବତୀଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ଶ୍ରୀ ରଥ ସୂଚନା ଦେଇଛନ୍ତି । kalingaSena-ph-no-9437572230

Leave A Reply

Your email address will not be published.