ମୋବାଇଲ ବ୍ୟବହାର ପାଇଁ ଦୁର୍ଘଟଣା ବୃଦ୍ଧି

ଭୁବନେଶ୍ୱର : ନିଶା ଶକ୍ତି ଅବସ୍ଥାରେ ଗାଡି ନଚଳାଇବା ଏବଂ ଗାଡି ଚଳାଉଥିବା ସମୟରେ ମୋବାଇଲ ଫୋନ୍‍ ବ୍ୟବହାର ନକରିବାପାଇଁ ପରିବହନ ବିଭାଗ ଓ ପୁଲିସ୍‍ ଯେତେ ଉଦ୍ୟମ କଲେ ବି ଏହି ସମସ୍ୟା ନିୟନ୍ତ୍ରଣକୁ ଆସିବା ପରିବର୍ତ୍ତେ ବଢି ବଢି ଚାଲିଛି । ଏଥିଯୋଗୁଁ ସଡକ ଦୁର୍ଘଟଣା ବୃଦ୍ଧି ପାଇବା ସହ ଅନେକ ଧନଜୀବନ ବିପର୍ଯ୍ୟସ୍ତ ହେଉଛି ।

ନିଶାଶକ୍ତ ଗାଡିଚାଳକମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ଆଇନ୍‍ରେ କଡା ବ୍ୟବସ୍ଥା ରହିଛି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପରିବହନ ବିଭାଗ ଓ ପୁଲିସ୍‍ କର୍ତ୍ତୃପକ୍ଷ ନିଶାଶକ୍ତ ଗାଡିଚାଳକମାନଙ୍କୁ ଧରିବାପାଇଁ ଚଢଉ ଅଭିଯାନ ଜାରି ରଖିଛନ୍ତି । କେତେକ କ୍ଷେତ୍ରରେ ଏଭଳି ନିଶାଡିଚାଳକମାନଙ୍କୁ ଗିରଫ କରି ଜେଲ ପଠାଇବା ସହ ସେମାନଙ୍କର ଗାଡି ଜବତ କରାଯାଉଛି ଏବଂ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ କରାଯାଉଛି । ତେବେ ଯେତେ ସଂଖ୍ୟକ ଲୋକ ନିଶା ସେବନ କରି ଗାଡି ଚଳାଉଛନ୍ତି ତାହା ତୁଳନାରେ ଧରାପଡୁଥିବା ନିଶାଡିଙ୍କ ସଂଖ୍ୟା ଢେର କମ୍‍ ।

ଉଭୟ ଅବକାରୀ, ପୁଲିସ୍‍ ଓ ପରିବହନ ବିଭାଗ ସ୍ୱୀକାର କରୁଛନ୍ତି ଯେ ବର୍ଷକୁ ବର୍ଷ ନିଶାଡିଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଚୋରା ମଦ, ଗଞ୍ଜେଇ, ବ୍ରାଉନସୁଗାର ଓ ଅନ୍ୟାନ୍ୟ ଆପତ୍ତିଜନକ ନିଶା ସାମଗ୍ରୀ ପୁଲିସ୍‍ ଓ ଅବକାରୀ କର୍ତ୍ତୃପକ୍ଷ ଅବଶ୍ୟ କେତେକ କ୍ଷେତ୍ରରେ ଜବତ କରୁଛନ୍ତି । ତେବେ ଗ୍ରାମାଞ୍ଚଳରୁ ରାଜଧାନୀ ପର୍ଯ୍ୟନ୍ତ ଏବେ ନିଶାଡିଙ୍କ ସଂଖ୍ୟା ବଢି ବଢି ଚାଲିଛି । ଏକଥା ବିଭିନ୍ନ ସରକାରୀ ପରିସଂଖ୍ୟାନରୁ ସ୍ପଷ୍ଟ ହେଉଛି । ଚୋରା ନିଶା କାରବାର ଏଡାଇବା ବାହାନାରେ ନିଶାଡିମାନଙ୍କ ଚାହିଦା ପୂରଣ ଲାଗି ଅବକାରୀ କର୍ତ୍ତୃପକ୍ଷ ଲାଇସେନ୍ସପ୍ରାପ୍ତ ମଦଦୋକାନ ମାଧ୍ୟମରେ ଅଧିକରୁ ଅଧିକ ମଦ ଯୋଗାଉଛନ୍ତି । କେବଳ ସେତିକି ନୁହେଁ ବର୍ଷକୁ ବର୍ଷ ଏହି ମଦଦୋକାନଗୁଡିକର ମିନିମମ୍‍ ଗ୍ୟାରେଣ୍ଟି କୋଟା (ଏମଜିକ୍ୟୁ) ମଧ୍ୟ ବଢି ବଢି ଚାଲିଛି ।

ଏହାଛଡା ସକ୍ରିୟ ନାଗରିକତା, ଟ୍ରାଫିକ ସଚେତନତା ଆଦି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଓ ଯୁବକମାନଙ୍କୁ ନିଶା ସେବନ କରି ଯାନବାହାନ ଚଳାଇବାର ଭୟାବହତା ସଂକ୍ରାନ୍ତରେ ସଚେତନ କରିବାଲାଗି ମଧ୍ୟ ବିପୁଳ ଅର୍ଥ ଖର୍ଚ୍ଚ କରାଯାଉଛି । ଏହା ସତ୍ୱେ ବି ମଦୁଆ ଗାଡିଚାଳକଙ୍କ ସଂଖ୍ୟା ବଢୁଥିବା କୁହାଯାଉଛି ।

ଏବେ କେନ୍ଦ୍ର ରେଳମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ରେଳଗାଡି ଚଳାଉଥିବା ଲୋକୋ ପାଇଲଟ୍‍ ରେଳଯାତ୍ରା ସମୟରେ କାର୍ଯ୍ୟରତ ଥାଇ ସ୍ମାର୍ଟଫୋନ୍‍ରୁ କ୍ରିକେଟ ମ୍ୟାଚ୍‍ ଉପଭୋଗ କରୁଥିବାବେଳେ ରେଳ ଦୁର୍ଘଟଣା ଘଟିଛି । ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଖୋଲାଖୋଲି ଭାବେ ବସ୍‍, ଟ୍ରକ, କାର ଠାରୁ ଆରମ୍ଭକରି ଦୁଇ ଚକିଆ ଯାନ ଚାଳକ ପର୍ଯ୍ୟନ୍ତ ଅନେକ ଗାଡିଚାଳନା ସମୟରେ ମୋବାଇଲ ଫୋନ୍‍ ବ୍ୟବହାର କରୁଛନ୍ତି । ଏମିତିକି ଟ୍ରାକ୍ଟର, ଜେସିବି ଚାଳକ ମଧ୍ୟ କେତେକ କ୍ଷେତ୍ରରେ ଏଥିରୁ ବାଦ୍‍ ପଡୁନାହାନ୍ତି । ଅତି ବିପଦସଙ୍କୁଳ ଅବସ୍ଥାରେ ରାଜରାସ୍ତା ଉପରେ ଗାଡିଚାଳନା ବେଳେ ବହୁ ଦୁଇ ଚକିଆ ଯାନ ଚାଳକ ମଧ୍ୟ ସ୍ମାର୍ଟଫୋନ୍‍ ବ୍ୟବହାର କରୁଛନ୍ତି ।

ପୁଲିସ୍‍ ଓ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ ଯାନବାହାନ ଚଳାଚଳବେଳେ ମୋବାଇଲ୍‍ ଫୋନ୍‍ ବ୍ୟବହାର ଯୋଗୁଁ ଦୁର୍ଘଟଣା ଘଟୁଥିବା ସ୍ୱୀକାର କରୁଛନ୍ତି । କେବଳ ଗାଡିଚାଳକ ନୁହନ୍ତି ଅନେକ ନିରୀହ ଲୋକଙ୍କ ଜୀବନ ମଧ୍ୟ ଏଥିଯୋଗୁଁ ବିପନ୍ନ ହେଉଛି । ପୁଲିସ୍‍ ଓ ପରିବହନ ବିଭାଗ କର୍ତ୍ତୃପକ୍ଷ ଆଇନାନୁଯାୟୀ ଅବଶ୍ୟ ମଝିରେ ମଝିରେ ଯାଞ୍ଚ କରି ଏଭଳି ମୋବାଇଲ ଅପବ୍ୟହାରକାରୀମାନଙ୍କୁ ଧରି ଜୋରିମାନା ଆଦାୟ କରୁଛନ୍ତି । ଏହା ସତ୍ୱେ ପରିସ୍ଥିତିରେ ସୁଧାର ଆସୁନଥିବା କୁହାଯାଉଛି ।

Leave A Reply

Your email address will not be published.