ଭୁବନେଶ୍ୱର : ସଦ୍ୟତମ ଘରୋଇ ଉପଭୋକ୍ତା ବ୍ୟୟ ସର୍ଭେ ଫଳାଫଳ ଦର୍ଶାଉଛି ଯେ ଓଡ଼ିଶାର ଅର୍ଥନୀତି ଏକ ସଠିକ୍ ଏବଂ ପ୍ରଗତିଶୀଳ ମାର୍ଗରେ ଗତି କରୁଛି । ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ନମୂନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନଏସଏସଓ) ଅଗଷ୍ଟ ୨୦୨୨ରୁ ଜୁଲାଇ ୨୦୨୩ ମଧ୍ୟରେ ଏହି ସର୍ଭେ କରିଛି ଏବଂ ୧୧ ବର୍ଷ ପରେ ନିକଟରେ ଏହାର ରିପୋର୍ଟ ପ୍ରକାଶ କରିଛି । ଶେଷ ଥର ପାଇଁ ୨୦୧୧-୧୨ରେ ଏହି ସର୍ଭେ କରାଯାଇଥିଲା ।
ଘରୋଇ ଉପଭୋକ୍ତା ବ୍ୟୟ ଉପରେ ଏହି ସର୍ବେକ୍ଷଣର ଉଦ୍ଦେଶ୍ୟ ହେଉଛି ପରିବାରର ମାସିକ ମୁଣ୍ଡପିଛା ବ୍ୟବହାର ବ୍ୟୟ (ଏମପିସିଇ) ଏବଂ ଦେଶର ଗ୍ରାମୀଣ ଏବଂ ସହରାଞ୍ଚଳ କ୍ଷେତ୍ର, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ବିଭିନ୍ନ ସାମାଜିକ-ଅର୍ଥନୈତିକ ଗୋଷ୍ଠୀ ପାଇଁ ପୃଥକ ଭାବରେ ଏହାର ବଣ୍ଟନର ଆକଳନ ପ୍ରସ୍ତୁତ କରିବା ।
ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ଗ୍ରାମୀଣ ଲୋକଙ୍କ ହାରାହାରି ମାସିକ ବ୍ୟବହାର ଖର୍ଚ୍ଚ ୨୦୧୧-୧୨ ର ରିପୋର୍ଟରେ ଥିବା ୧୦୦୩ ଟଙ୍କାରୁ ୨୯୫୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ସହରାଞ୍ଚଳବାସୀଙ୍କ ମାସିକ ମୁଣ୍ଡପିଛା ବ୍ୟବହାର ଖର୍ଚ୍ଚ ୧୯୪୧ ଟଙ୍କାରୁ ୫୧୮୭ ଟଙ୍କାକୁ ବୃଦ୍ଧି ପାଇଛି । ଅର୍ଥାତ୍ ଓଡ଼ିଶାର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକଙ୍କ ଖର୍ଚ୍ଚ ଯଥାକ୍ରମେ ୨୯୪ ପ୍ରତିଶତ ଓ ୨୬୭ ପ୍ରତିଶତ ବୃଦ୍ଧି ହୋଇଛି ।
ସର୍ଭେ ରିପୋର୍ଟ ଅନୁଯାୟୀ, ଗ୍ରାମାଞ୍ଚଳରେ ଓଡ଼ିଶାର ଲୋକଙ୍କ ମାସିକ ହାରାହାରି ଖର୍ଚ୍ଚ ୨୯୯୬ ଟଙ୍କା ଓ ସହରାଞ୍ଚଳରେ ୫୨୨୩ ଟଙ୍କା ରହିଛି । ଉପରୋକ୍ତ ଉପସ୍ଥାପିତ ହାରାହାରି ଏମପିସିଇର ଆକଳନ ବିଭିନ୍ନ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ମାଧ୍ୟମରେ ପରିବାରଗୁଡ଼ିକୁ ମାଗଣାରେ ମିଳୁଥିବା ସାମଗ୍ରୀର ମୂଲ୍ୟ ଆକଳନ ସହିତ ଘରୋଇ ଉତ୍ପାଦରୁ ବାହାରକୁ ବ୍ୟବହାର, ମାଗଣା ସଂଗ୍ରହ, ଉପହାର, ଋଣ ଇତ୍ୟାଦିର ର୍ନିଦ୍ଧାରିତ ମୂଲ୍ୟକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ବୋଲି ରିପୋର୍ଟରେ କୁହାଯାଇଛି ।
ଜାତୀୟ ସ୍ତରରେ ଏହି ସର୍ବେକ୍ଷଣରୁ ଜଣାପଡିଛି ଯେ ଗ୍ରାମାଞ୍ଚଳରେ ହାରାହାରି ମାସିକ ମୁଣ୍ଡପିଛା ବ୍ୟବହାର (ବର୍ତ୍ତମାନର ମୂଲ୍ୟରେ) ଗ୍ରାମାଞ୍ଚଳରେ ୩୭୭୩ ଟଙ୍କା ଏବଂ ସହରାଞ୍ଚଳରେ ୬୪୫୯ ଟଙ୍କା ଥିଲା, ଯାହା କି ୨୦୧୧-୧୨ରେ ରେକର୍ଡ କରାଯାଇଥିବା ମାସିକ ବ୍ୟବହାରର ପ୍ରାୟ ୨.୫ ଗୁଣ । ସହରାଞ୍ଚଳ ତୁଳନାରେ ଗ୍ରାମୀଣ ବ୍ୟବହାର (୨୦୧୨ ଆର୍ଥିକ ବର୍ଷରେ ମାସିକ ୧୪୩୦ ଟଙ୍କା) ସାମାନ୍ୟ ଅଧିକ ଗତିରେ ବୃଦ୍ଧି ପାଇଛି (ଆର୍ଥିକ ବର୍ଷ ୨୦୨୩ରେ ୨୬୩୦ ଟଙ୍କା) । ଏନ୍ ଏସ୍ ଏସ୍ ଓ ଏହାର ରାଉଣ୍ଡର ଏକ ଅଂଶ ଭାବରେ ନିୟମିତ ବ୍ୟବଧାନରେ, ସାଧାରଣତଃ ଏକ ବର୍ଷ ର ଅବଧି ରେ ବ୍ୟବହାର / ଉପଭୋକ୍ତା ଖର୍ଚ୍ଚ ଉପରେ ଘରୋଇ ସର୍ଭେ କରୁଛି ।
୧୯୫୦-୫୧ରୁ ୧୯୭୩-୭୪ ପର୍ଯ୍ୟନ୍ତ ପ୍ରତିବର୍ଷ ଥରେ ସର୍ଭେ କରାଯାଉଥିଲା । ପରବର୍ତ୍ତୀ ସମୟରେ ଏନଏସଏସଓ ପ୍ରତି ପାଞ୍ଚ ବର୍ଷରେ ଥରେ ଉପଭୋକ୍ତା ଖର୍ଚ୍ଚ ଏବଂ ରୋଜଗାର-ବେରୋଜଗାର ଉପରେ ମିଳିତ ଭାବେ ସର୍ଭେ କରିବାକୁ ନିଷ୍ପତ୍ତି ନେଇଥିଲା । ୨୦୧୭-୧୮ରେ ଏହି ପାଞ୍ଚ ବର୍ଷର ଶୃଙ୍ଖଳା ଭାଙ୍ଗିଯାଇଥିଲା, ଯେତେବେଳେ ସରକାର ଅନେକ ତ୍ରୁଟି ଦର୍ଶାଇ ସର୍ଭେ ରିପୋର୍ଟ ପ୍ରକାଶ ନକରିବାକୁ ନିଷ୍ପତ୍ତି ନେଇଥିଲେ ।
ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର କିଛି ଦୁର୍ଗମ ଗାଁକୁ ବାଦ୍ ଦେଲେ ସମଗ୍ର ଭାରତୀୟ ସଂଘକୁ ଏହି ସର୍ଭେରେ ସାମିଲ କରାଯାଇଛି । ସମଗ୍ର ଦେଶରେ ୮୭୨୩ଟି ଗାଁ ଓ ୬୧୧୫ଟି ସହରାଞ୍ଚଳ ବ୍ଲକରୁ ୨,୬୧,୭୪୬ ପରିବାର (ଗ୍ରାମାଞ୍ଚଳରେ ୧,୫୫,୦୧୪ ଓ ସହରାଞ୍ଚଳରେ ୧,୦୬,୭୩୨) ରୁ ଏହି ସର୍ଭେରେ ତଥ୍ୟ ସଂଗ୍ରହ କରାଯାଇଛି ।
ବିଭିନ୍ନ ଅର୍ଥନୈତିକ ବର୍ଗର ପରିବାରଗୁଡ଼ିକର ଉପଯୁକ୍ତ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ପାଇଁ, ସର୍ଭେ ତାରିଖ ଅନୁଯାୟୀ ର୍ନିଦ୍ଦିଷ୍ଟ ଗ୍ରାମ/ସହରାଞ୍ଚଳ ବ୍ଲକର ସମସ୍ତ ପରିବାରକୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଥିଲା । ଗ୍ରାମାଞ୍ଚଳରେ ଥିବା ଜମିବାଡି ଏବଂ ସହରାଞ୍ଚଳରେ କାର ଆଦି ରଖିବାକୁ ଏକ ମାନଦଣ୍ଡ ଆଧାରରେ ରିପୋର୍ଟ ପ୍ରସ୍ତୁତ ହୋଇଛି ।