ଭୁବନେଶ୍ୱର : ଚାକିରି ଖଣ୍ଡେ ପାଇଁ ଏବେ ବି ସାଢେ ୩ଲକ୍ଷରୁ ଅଧିକ ଯୁବକ ଯୁବତୀ ସରକାରଙ୍କ ନିକଟରେ ନିଜ ନାମ ପଞ୍ଜିକରଣ କରି ଅପେକ୍ଷାରେ ରହିଛନ୍ତି । ତେବେ ଯେଉଁ ହାରରେ ପଞ୍ଜିକୃତ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳୁଛି ସେଥିରୁ ଏମାନଙ୍କ ମଧ୍ୟରୁ ସଂଖ୍ୟାଧିକଙ୍କ ପାଳି ପଡିବ କି ନାହିଁ ତାହା ସନ୍ଦେହରେ ।
ସରକାରୀ, ଅର୍ଦ୍ଧ ସରକାରୀ ଓ ବିଭିନ୍ନ ଘରୋଇ ସଂସ୍ଥାରେ ଚାକିରି ଖଣ୍ଡେ ପାଇବାପାଇଁ ନିଜ ନିଜ ଯୋଗ୍ୟତା ଆଧାରରେ ଯୁବକ ଯୁବତୀମାନେ ନିୟୋଜନ ନିର୍ଦ୍ଦେଶାଳୟରେ ନାମ ପଞ୍ଜିକରଣ କରିଥାନ୍ତି । ଗତବର୍ଷ ଶେଷ ସୁଦ୍ଧା ଏମାନଙ୍କ ସଂଖ୍ୟା ସାଢେ ୩ଲକ୍ଷରୁ ଅଧିକ ରହିଥିଲା । ତେବେ ଏହି ପଞ୍ଜିକୃତଙ୍କ ମଧ୍ୟରେ ସର୍ବାଧିକ ହେଉଛନ୍ତି ସ୍ନାତକ ଡିଗ୍ରୀଧାରୀ । ଏମାନଙ୍କ ମଧ୍ୟରେ କଳା, ବିଜ୍ଞାନ, ବାଣିଜ୍ୟ ସମେତ ବିବିଏ, ବିସିଏ, କୃଷି, ପଶୁଚିକିତ୍ସା, ଡାକ୍ତରୀ, ଯନ୍ତ୍ରୀ ଓ ଆଇନ୍ ଡିଗ୍ରୀଧାରୀମାନେ ରହିଛନ୍ତି ।
ତାଲିକାରେ କଳା ଡିଗ୍ରୀଧାରୀଙ୍କ ସଂଖ୍ୟା ପ୍ରାୟ ୭୮ହଜାର ଥିବାବେଳେ ୫୫ହଜାରରୁ ଅଧିକ ବିଜ୍ଞାନ ଡିଗ୍ରୀଧାରୀ, ୧୪ହଜାରରୁ ଅଧିକ ବାଣିଜ୍ୟ, ୧୨ହଜାରରୁ ଅଧିକ ଇଞ୍ଜିନିୟରିଂ ଡିଗ୍ରୀଧାରୀ ରହିଛନ୍ତି । ସେହିଭଳି ଯୁକ୍ତ ଦୁଇ ଉତ୍ତୀର୍ଣ୍ଣଙ୍କ ସଂଖ୍ୟା ୧ଲକ୍ଷ ୧୮ହଜାରରୁ ଅଧିକ ଥିବାବେଳେ ମାଟ୍ରିକ ଉତ୍ତୀର୍ଣ୍ଣଙ୍କ ସଂଖ୍ୟା ୧୯ହଜାର ରହିଛି ।
ସେହିଭଳି ସ୍ନାତକୋତ୍ତର ଡିଗ୍ରୀଙ୍କ ସଂଖ୍ୟା ୧୧ହଜାରରୁ ଅଧିକ ଥିବାବେଳେ ଏମାନଙ୍କ ମଧ୍ୟରେ କଳା ବିଷୟର ସର୍ବାଧିକ ୬ହଜାରରୁ ଅଧିକ ରହିଛନ୍ତି । ସେହିଭଳି ବିଜ୍ଞାନର ୩୩୦୦ରୁ ଅଧିକ ଥିବାବେଳେ ବାଣିଜ୍ୟରେ ହଜାରେରୁ ଅଧିକ ସ୍ନାତକୋତ୍ତର ଡିଗ୍ରୀଧାରୀ ନାମ ପଞ୍ଜିକରଣ କରି ଚାକିରି ଅପେକ୍ଷାରେ ରହିଛନ୍ତି । ଏମାନଙ୍କ ବ୍ୟତିତ ଡିପ୍ଲୋମା, ଆଇଟିଆଇ ଏବଂ ବିଭିନ୍ନ ବର୍ଗର ତାଲିମପ୍ରାପ୍ତ ଶିକ୍ଷକ ରହିଛନ୍ତି । ଏହି ତାଲିମପ୍ରାପ୍ତ ଶିକ୍ଷକଙ୍କ ମଧ୍ୟରେ ୯ହଜାରରୁ ଅଧିକ ବିଏଡ୍ ଡିଗ୍ରୀଧାରୀ ରହିଥିବାବେଳେ ସିଟି ଉତ୍ତୀର୍ଣ୍ଣଙ୍କ ସଂଖ୍ୟା ୪ହଜାରରୁ ଅଧିକ ରହିଛି । ତେବେ ଏମଏଡ୍ ଡିଗ୍ରୀଧାରୀଙ୍କ ସଂଖ୍ୟା ମାତ୍ର ୧୧ରେ ସୀମିତ ଅଛି ।
ନିୟୋଜନ ନିର୍ଦ୍ଦେଶାଳୟରେ ନାମ ପଞ୍ଜିକରଣ କରି ଶିକ୍ଷିତ ଯୁବକ ଯୁବତୀମାନେ ଚାକିରିକୁ ଚାତକ ଭଳି ଚାହିଁ ରହିଥିବାବେଳେ ନିଯୁକ୍ତି ହାର କିନ୍ତୁ ଅତ୍ୟନ୍ତ କମ୍ ରହିଛି । ଏମାନଙ୍କ ମଧ୍ୟରୁ ୨୦୧୯ରେ ସର୍ବାଧିକ ୧୦୫୩ ଜଣ ବିଭିନ୍ନ ସରକାରୀ ଓ ଘରୋଇ ସଂସ୍ଥାରେ ନିଯୁକ୍ତି ପାଇଥିବାବେଳେ ୨୦୨୦ରେ ୮୩, ୨୦୨୧ରେ ୧୭୨, ୨୦୨୨ରେ ୫୯ ଜଣ ନିଯୁକ୍ତି ପାଇଥିବାବେଳେ ଗତବର୍ଷ ଜୁନ୍ ଶେଷ ସୁଦ୍ଧା ୪୯୯ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିଥିଲା । ପାଞ୍ଚ ବର୍ଷରେ ନିୟୋଜନ ନିର୍ଦ୍ଦେଶାଳୟ ଜରିଆରେ ୨ହଜାରରୁ କମ୍ ସଂଖ୍ୟକ ଯୁବକ ଯୁବତୀ ନିଯୁକ୍ତି ପାଇଥିବାରୁ ଲକ୍ଷାଧିକ ପଞ୍ଜିକୃତଙ୍କ ପାଳି କେବେ ପଡିବ ତାହାକୁ ନେଇ ସମସ୍ତେ ସନ୍ଦେହରେ । କାରଣ ବୟସ ବୃଦ୍ଧି ହେଲେ ଅନେକ ଛାଏଁ ଛାଏଁ ଚାକିରି ଦୌଡରୁ ବାଦ୍ ପଡିଯିବେ ।
ନିୟୋଜନ ନିର୍ଦ୍ଦେଶାଳୟର ଏଭଳି ସ୍ଥିତି ଯୋଗୁଁ ଅନେକ ଶିକ୍ଷିତ ଯୁବକ ଯୁବତୀ ଆଉ ଏଠାରେ ନାମ ପଞ୍ଜିକରଣ ପାଇଁ ଆଗ୍ରହ ପ୍ରକାଶ କରୁନଥିବାବେଳେ ବିଭିନ୍ନ ଘରୋଇ ସଂସ୍ଥା ମଧ୍ୟରୁ ପଞ୍ଜିକୃତ ଯୁବକ ଯୁବତୀଙ୍କୁ ନେବା ବଦଳରେ ନିଜସ୍ୱ ଉଦ୍ୟମରେ ନିଯୁକ୍ତି ଦେଉନଥିବାରୁ ସରକାରୀ ସ୍ତରରେ ପଞ୍ଜିକୃତ ବେକାରଙ୍କ ସଂଖ୍ୟା ଯେଭଳି ହ୍ରାସ ପାଇବାକଥା ତାହା ହୋଇପାରୁ ନାହିଁ ।