ଜଙ୍ଗଲ ନିଆଁରେ ୯୭୧୧ ହେକ୍ଟର ଜଙ୍ଗଲ ପ୍ରଭାବିତ

ଭୁବନେଶ୍ୱର : ରାଜ୍ୟର ଜଙ୍ଗଲଗୁଡିକରେ ବଢି ଚାଲିଥିବା ଅଗ୍ନିକାଣ୍ଡ ଉପରେ ୨୦୨୨ ରେ ବ୍ରେକ୍‍ ଲାଗିଥିବାବେଳେ ଗତବର୍ଷ ପୁଣି ସେଥିରେ କିଛିଟା ବୃଦ୍ଧି ପରିଲକ୍ଷିତ ହୋଇଛି । ତେବେ ୨୦୨୧ ବର୍ଷରେ ବନାଗ୍ନିରେ ୨୮ହଜାର ହେକ୍ଟରରୁ ଅଧିକ ଜଙ୍ଗଲ ପ୍ରଭାବିତ ହୋଇଥିବା ଜଣାଯାଇଛି ।

ରାଜ୍ୟର ଜଙ୍ଗଲ ଅଞ୍ଚଳରେ ଗ୍ରୀଷ୍ମଋତୁରେ ଅଗ୍ନିକାଣ୍ଡ ଘଟିଥାଏ । ଶୁଖିଲାପତ୍ରରେ କେତେକ ସ୍ଥାନରେ ଛାଏଁ ଛାଏଁ ନିଆଁ ଲାଗି ଯାଉଥିବାବେଳେ ଆଉ କେତେକ ସ୍ଥାନରେ ଶିକାରୀ ଓ ମାଫିଅମାନେ ନିଆଁ ଲଗାଇ ଦେଇଥାନ୍ତି । ସେହିଭଳି ପୋଡୁଚାଷ ପାଇଁ ମଧ୍ୟ କେତେକ ସ୍ଥାନରେ ଜଙ୍ଗଲରେ ନିଆଁ ଲଗାଇ ଦିଆଯାଇଥାଏ ।

ସରକାରୀ ହିସାବ ଅନୁଯାୟୀ ୨୦୧୪ ମସିହାରେ ରାଜ୍ୟର ୫୨ଟି ଜଙ୍ଗଲ ଡିଭିଜନରେ ୧୮୯୧ ବନାଗ୍ନି ପରିଲକ୍ଷିତ ହୋଇଥିବାବେଳେ ସେଥିରେ ୮୮୧ ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଥିଲା । ତେବେ ଏହା ପରଠାରୁ ପ୍ରତିବର୍ଷ ଜଙ୍ଗଲରେ ଅଗ୍ନକାଣ୍ଡ ବଢିବାରେ ଲାଗିଛି । ୨୦୧୬ ମସିହାରେ ରାଜ୍ୟର ବିଭିନ୍ନ ଜଙ୍ଗଲ ଡିଭିଜନରେ ୨୫୭୨ଟି ଅଗ୍ନିକାଣ୍ଡ ପରିଲକ୍ଷିତ ହୋଇଥିବାବେଳେ ପ୍ରାୟ ୨ହଜାର ହେକ୍ଟର ଜମି ଏଥିରେ ପ୍ରଭାବିତ ହୋଇଥିଲା ।

୨୦୧୭ ମସିହାରେ ଉଭୟ ଅଗ୍ନକାଣ୍ଡର ସଂଖ୍ୟା ଓ ପ୍ରଭାବିତ ଜଙ୍ଗଲ ଅଞ୍ଚଳର ପରିସୀମା ବଢିବାରେ ଲାଗିଥିଲା ।ଏହିବର୍ଷ ବନାଗ୍ନିରେ ୧୪ହଜର ହେକ୍ଟରରୁ ଅଧିକ ଜଙ୍ଗଲ ପ୍ରଭାବିତ ହୋଇଥିବା ସରକାରୀ ଭାବେ କୁହାଯାଇଥିଲା । ତେବେ ୨୦୨୧ ମସିହାରେ ରାଜ୍ୟର ଜଙ୍ଗଲଗୁଡିକରେ ୫୭୦୯ଟି ଅଗ୍ନିକାଣ୍ଡ ପରିଲକ୍ଷିତ ହୋଇଥିବାବେଳେ ଏଥିରେ ୨୮ହଜାର ହେକ୍ଟରରୁ ଅଧିକ ଜଙ୍ଗଲ ଅଞ୍ଚଳ ପ୍ରଭାବିତ ହୋଇଥିଲା ।

ତେବେ ରାଜ୍ୟ ଜଙ୍ଗଲ ବିଭାଗର ସକରାତ୍ମକ ପଦକ୍ଷେପ ଯୋଗୁଁ ୨୦୨୨ ମସିହାରେ କର୍ତ୍ତୃପକ୍ଷ ବନାଗ୍ନିକୁ ଆୟତ କରିବାରେ ସଫଳ ହୋଇଥିଲେ । ସେହିବର୍ଷ ନିଆଁ ଯୋଗୁଁ ପ୍ରଭାବିତ ଜଙ୍ଗଲ ପରିମାଣ ୮୪୩୮କୁ ହ୍ରାସ ପାଇଥିଲା । କିନ୍ତୁ ୨୦୨୩ରେ ପୁଣିଥରେ ଜଙ୍ଗଲ ନିଆଁରେ ୯୭୧୧ ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଥିଲା ।

ଚଳିତବର୍ଷ ଗ୍ରୀଷ୍ମ ଆରମ୍ଭ ସହିତ ରାଜ୍ୟର କେତେକ ଜଙ୍ଗଲରେ ବନାଗ୍ନି ପରିଲକ୍ଷିତ ହେଲାଣି । ତେବେ କର୍ତ୍ତୃପକ୍ଷ ଏହା ଉପରେ ସତର୍କ ଦୃଷ୍ଟି ରଖିବା ସହିତ ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଉପଗ୍ରହରୁ ବନାଗ୍ନିର ସୂଚନା ପାଇବା ମାତ୍ରେ ତାହାକୁ ତୁରନ୍ତ ବନଖଣ୍ଡର ବିଟ୍‍ ସ୍ତର ପର୍ଯ୍ୟନ୍ତ ପଞ୍ଜିକୃତ ମୋବାଇଲ ନମ୍ବରକୁ ସିଧାସଳଖ ପଠାଯାଇ ଅହୋରାତ୍ର ନଜର ରଖାଯାଉଛି । ଏଥିପାଇଁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କ ଦପ୍ତରରେ ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ସ୍ଥାପନ ହୋଇଛି ।

ସେହିଭଳି ସ୍ଥାନୀୟ ଯୁବକମାନଙ୍କୁ ନେଇ ଜଙ୍ଗଲକୁ ସୁରକ୍ଷିତ କରିବାପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆବଶ୍ୟକୀୟ ପଦକ୍ଷେପ ସ୍ୱରୂପ ବିଭାଗୀୟ କର୍ମଚାରୀଙ୍କୁ ସାହାଯ୍ୟ କରିବା ନିମନ୍ତେ ପାରା ଫରେଷ୍ଟ ଷ୍ଟାଫ୍‍, ବନ୍ୟପ୍ରାଣୀ ସୁରକ୍ଷା ବାହିନୀ ଏବଂ ଜଙ୍ଗଲ ନିଆଁ ସୁରକ୍ଷା ସ୍କ୍ୱାଡ୍‍ ନିୟୋଜିତ କରାଯାଇଛି । ଅଗ୍ନି ପ୍ରଶମିତ କରିବାପାଇଁ ବହୁଳ ଭାବରେ ଅଗ୍ନି ନିର୍ବାପକ ଯନ୍ତ୍ର ଯୋଗାଇ ଦିଆଯାଉଛି । 

Leave A Reply

Your email address will not be published.