ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା :ଆଶାୟୀ ପ୍ରାର୍ଥୀ ଓ ବ୍ୟବସାୟୀଙ୍କ ଚିନ୍ତା

ଭୁବନେଶ୍ୱର : ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ନେଇ କୌଣସି ଚୂଡାନ୍ତ ଘୋଷଣା ହୋଇପାରୁନଥିବାରୁ ନିର୍ବାଚନୀ ବ୍ୟବସାୟ ଏବେ ମାନ୍ଦା ହେବାରେ ଲାଗିଛି । ବିଶେଷକରି ଆଶାୟୀ ପ୍ରାର୍ଥୀମାନେ ବିଭିନ୍ନ ପ୍ରଚାର ସାମଗ୍ରୀ ପ୍ରସ୍ତୁତ କରିପାରୁ ନାହାନ୍ତି କି ଗାଡିମୋଟର ପାଇଁ କାହାକୁ ଆଗୁଆ ବଇନା ଦେଇପାରୁ ନାହାନ୍ତି । ଏହାକୁ ନେଇ ଉଭୟ ଆଶାୟୀ ପ୍ରାର୍ଥୀ ଓ ବ୍ୟବସାୟୀଙ୍କ ଚିନ୍ତା ବଢିବାରେ ଲାଗିଛି ।

ଆସନ୍ତା ଲୋକସଭା ନିର୍ବାଚନ ସହିତ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇସାରିଲାଣି । ତେବେ ଏହା ଭିତରେ ଶାସକ ବିଜେଡି ଓ ମୁଖ୍ୟ ବିରୋଧିଦଳ ବିଜେପି ମେଣ୍ଟ କରି ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଜୋର ଧରିଛି । ମେଣ୍ଟ ହେବ କି ନାହିଁ ତାହାକୁ ନେଇ ଆଶାୟୀମାନେ ନିଶ୍ଚିତ ହୋଇପାରୁ ନାହାନ୍ତି । ଫଳରେ ଉଭୟ ଦଳର ଆଶାୟୀମାନେ ନିର୍ବାଚନ ପାଇଁ ପ୍ରଚାର ସାମଗ୍ରୀ ପ୍ରସ୍ତୁତ କରିପାରୁ ନାହାନ୍ତି । ଏପରିକି ଗାଁ ଗହଳରେ ଫ୍ଲେକ୍ସ ବ୍ୟାନରଟିଏ ମଧ୍ୟ ଟାଙ୍ଗି ପାରୁନାହାନ୍ତି ।

ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀମାନେ ବହୁ ପୂର୍ବରୁ ନିଜ ନିଜ ପସନ୍ଦର ବ୍ୟାନର ପୋଷ୍ଟର ପ୍ରସ୍ତୁତ କରିଥାନ୍ତି । ଏଥିରେ ନିଜ ନିଜ ଦଳର ପ୍ରାର୍ଥୀଙ୍କ ଫଟୋ ନିଜର ସହିତ ଫଟୋ ଛାପିଥାନ୍ତି । ଜାତୀୟ ଦଳର ଆଶାୟୀ ପ୍ରାର୍ଥୀମାନେ ଏକାଧିକ ନେତାଙ୍କ ଫଟୋ ଦେବା ସହିତ ଦଳୀୟ ଚିହ୍ନଟ ରଖିଥାନ୍ତି । ଲୋକଙ୍କୁ ଆକର୍ଷିତ କରିବାଲାଗି ଏକାଧିକ ରଙ୍ଗ ବେରଙ୍ଗର ଫ୍ଲେକ୍ସ ଓ ପୋଷ୍ଟର ତିଆରି ହୋଇଥାଏ । ଏହାକୁ ଆଶାୟୀ ପ୍ରାର୍ଥୀମାନେ ନିୟମିତ ବ୍ୟବଧାନରେ ବିଭିନ୍ନ ସ୍ଥାନରେ ଲଗାଇଥାନ୍ତି ।

ଓଡିଶାରେ ଚାରି ପର୍ଯ୍ୟାୟରେ ମତଦାନ ତାରିଖ ଘୋଷଣା ହୋଇଥିବେଳେ ଏହା ମଧ୍ୟରେ ଦୋଳ, ହୋଲି, ମହାବିଷୁବ ସଂକ୍ରାନ୍ତି, ଓଡିଆ ନବବର୍ଷ, ରମଜାନ୍‍ ଭଳି କେତେକ ଉତ୍ସବ ପଡୁଛି । ଆଶାୟୀ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ଏହି ଆଳରେ ବିଭିନ୍ନ ସ୍ଥାନରେ ଅଭିନନ୍ଦନ ତୋରଣ ପ୍ରତିଷ୍ଠା କରିଥାନ୍ତି । ଏଥିରେ ମଧ୍ୟରେ ନିଜ ନିଜ ଦଳର ନେତାଙ୍କ ଫଟୋ ସହିତ ଦଳୀୟ ରଙ୍ଗ ପ୍ରଦର୍ଶିତ ହୋଇଥାଏ ।

ହେଲେ ବର୍ତ୍ତମାନ ସୁଦ୍ଧା ଦୁଇ ଦଳର ମେଣ୍ଟ ନେଇ କୌଣସି ସ୍ପଷ୍ଟ ସୂଚନା ପ୍ରକାଶ ପାଉନଥିବାରୁ ଆଶାୟୀମାନେ ଏକ ପ୍ରକାର ହାତବାନ୍ଧି ବସିଯାଇଛନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳରେ ଏହିସବୁ ସାମଗ୍ରୀ ପ୍ରସ୍ତୁତ କରୁଥିବା ବ୍ୟବସାୟୀଙ୍କ ବେପାର ମାନ୍ଦା ପଡିଛି । କାରଣ ଏହିସବୁ ଛୋଟ ଛୋଟ ବ୍ୟବସାୟୀମାନେ ନିର୍ବାଚନ ସମୟରେ ବଡ କାମ ପ୍ରାୟତଃ ପାଇନଥାନ୍ତି ।

ସେହିଭଳି ମେଣ୍ଟ ଅନିଶ୍ଚିତତାରେ ଦୁଇଦଳ ଥିବାବେଳେ କଂଗ୍ରେସ ମଧ୍ୟ ଏହାକୁ ଦୃଷ୍ଟିରେ ରଖି ତାହାର ପ୍ରାର୍ଥୀ ତାଲିକା ପ୍ରକାଶ କରୁନାହିଁ । ତେଣୁ କଂଗ୍ରେସ ଦଳରୁ ଟିକଟ ପାଇବାପାଇଁ ଯେଉଁମାନେ ଆଶାୟୀ ଥିଲେ ସେମାନେ ମଧ୍ୟ ନିଜ ନିଜର ପ୍ରଚାର ସାମଗ୍ରୀ ପ୍ରସ୍ତୁତ କରିପାରୁ ନାହାନ୍ତି । କାରଣ ଏମାନେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପ୍ରସ୍ତୁତ ସହିତ ତାହାକୁ ବିଭିନ୍ନ ସ୍ଥାନରେ ଲଗାଇବା ପରେ ଯଦି ଟିକଟ ପାଇବାରୁ ବଞ୍ଚିତ ହୁଅନ୍ତି ତେବେ କେବଳ ଟଙ୍କାତକ ପାଣିରେ ପଡିବ ନାହିଁ, ମାନ ସମ୍ମାନ ମଧ୍ୟ ଯିବ । ତେଣୁ ତିନି ଦଳର ଶହ ଶହ ଆଶାୟୀ ଏବେ ମୌନବ୍ରତରେ ଥିବାବେଳେ ନିର୍ବାଚନ ପ୍ରଚାର ସାମଗ୍ରୀ ପ୍ରସ୍ତୁତକାରୀମାନେ ଏକ ପ୍ରକାର ହାତବାନ୍ଧି ବସିଛନ୍ତି ।

କେବଳ ନିର୍ବାଚନ ପାଇଁ ପୋଷ୍ଟର ବ୍ୟାନର ଭଳି ପ୍ରଚାର ସାମଗ୍ରୀ ନୁହେଁ ପ୍ରାର୍ଥୀମାନେ ଏକାଧିକ ଗାଡିମୋଟର ବିଭିନ୍ନ ବ୍ୟକ୍ତିଙ୍କ ନାମରେ ଆଗୁଆ ସଂରକ୍ଷିତ କରିଥାନ୍ତି । ସେହିଭଳି ମନଲୋଭା ଦଳୀୟ ସଙ୍ଗୀତ, ଭାଷଣ, ସ୍ଲୋଗାନ ଆଦିର ସିଡି ପ୍ରସ୍ତୁତ ହୋଇଥାଏ । ଏଥିପାଇଁ ସମୟ ସାପେକ୍ଷ ହେଉଥିବାରୁ ବହୁ ପୂର୍ବରୁ ଅଗ୍ରୀମ ଦେବାକୁ ପଡିଥାଏ । ହେଲେ ମେଣ୍ଟ ଅନିଶ୍ଚିତତା ମଧ୍ୟରେ ଏହି ବେପାର ମଧ୍ୟ ରାଜ୍ୟରେ ଏକ ପ୍ରକାର ମାନ୍ଦା ଅବସ୍ଥାରେ ।

Leave A Reply

Your email address will not be published.