ପରଜଙ୍ଗ : ପରଜଙ୍ଗ ବ୍ଲକ କୁମୁସି ପଞ୍ଚାୟତ ବସନ୍ତପଡ଼ା ଗ୍ରାମର ବିଭୁତି ଖିଲାର ନିଜ ପରିବାର ପ୍ରତିପୋଷଣ ପାଇଁ ରୋଜଗାର ନିମନ୍ତେ ଗତ ଦୁଇ ମାସ ତଳେ ରାଜ୍ୟ ବାହାର ସୁଦୁର ଗୋଆ ସହରକୁ ଚାଲି ଯାଇଥିଲେ। ସେ ପେସାରେ ଜଣେ ଡ୍ରାଇଭର କାର୍ଯ୍ୟ କରୁଥିଲେ । ଦାଦନ ଖଟିବାକୁ ଗୋଆ ର ପଣ୍ଡା ସ୍ଥିତ ସୁଭିଦ୍ରା ବକ୍ସ ମାନୁଫାକଚୁରୁଙ୍ଗି ନାମକ ଏକ ଘରୋଇ କମ୍ପାନୀରେ ଗାଡ଼ି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ ।
ତେବେ ଗତ ରବିବାର ଦିନ ତାଙ୍କ ଦେହ ଅସୁସ୍ଥ ହୋଇପଡିଥିଲା । ସେଠାରେ ସେ ରହୁଥିବା ସାଙ୍ଗ ସାଥି ମାନଙ୍କ ସହାୟତା ରେ ଚିକିତ୍ସିତ ହୋଇ ସେଠାରେ ରହୁଥିବା ଗୃହକୁ ଫେରି ଆସିଥିଲେ । ଏବଂ ନିଜ ସ୍ତ୍ରୀଙ୍କୁ ଦେହ ଅସୁସ୍ଥ କଥା ଫୋନ ଯୋଗେ ଜଣାଇଥିଲେ। ସୋମବାର ଦରମା ଟଙ୍କା ପାଇଲେ ବୁଧବାର ଦିନ ନିଜ ଗ୍ରାମରେ ପହଞ୍ଚି ଏଠାରେ ଚିକିତ୍ସା କରାଇବା ବୋଲି ଉଭୟେ ସ୍ୱାମୀ ସ୍ତ୍ରୀ କଥା ହୋଇଥିଲେ। କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା।
ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।ଶ୍ରମିକଙ୍କ ଦାଦନ ଦୁଃଖ ଠାରୁ ବଳି ଗଲା ସ୍ତ୍ରୀ କୁ ଦେଇ ଥିବା କଥାର ଦୁଃଖ। ଦେହ ଅସୁସ୍ଥ ଥିବାରୁ ବୁଧବାର ଦିନ ଘରକୁ ଫେରିବେ ବୋଲି କଥା ଦେଇଥିଲେ।କିନ୍ତୁ ସେହି ବୁଧବାର ଦିନ ନିଜ ଘରକୁ ଫେରିଛି ଶ୍ରମିକଙ୍କ ମୃତ ଦେହ।ତେବେ ସୋମବାର ସକାଳେ ବିଭୁତିଙ୍କ ମୃତ୍ୟୁ ହୋଇଥିବା ଖବର ସାଙ୍ଗରେ ରହୁଥିବା ସାଥି ମାନେ ତାଙ୍କ ସ୍ତ୍ରୀଙ୍କୁ ଜଣାଇବା ପରେ ସତେ ଯେମିତି ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା।ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ସ୍ୱାମୀଙ୍କ ମର ଶରୀର ଗ୍ରାମକୁ ଆଣିବା ପାଇଁ ତାଙ୍କ ପକ୍ଷେ ସମ୍ଭବ ନଥିଲା।
ତେଣୁ ପରିବାର ଲୋକେ ସ୍ଥାନୀୟ ପରଜଙ୍ଗ ବିଧାୟକଙ୍କୁ ଜଣାଇବା ପରେ ଜିଲା ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ।ସେପଟେ କିପରି ବିଭୁତିଙ୍କ ମୃତ ଶରୀରକୁ ନିଜ ଜନ୍ମ ମାଟିକୁ ଅଣାଯିବ ଏନେଇ ବିଧାୟକ ଜିଲା ପ୍ରଶାସନ ସହ ଆଲୋଚନା କରିବା ପରେ ପ୍ରଶାସନ ସହଯୋଗରେ ବୁଧବାର ରାତିରେ ମରଶରୀର ନିଜ ଜନ୍ମ ମାଟିରେ ପହଞ୍ଚି ଥିଲା।ତେବେ ଗୁରୁବାର ସକାଳେ ଗାଁ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି।
ଯେଉଁ ଦିନ ଗାଁରେ ପହଞ୍ଚି ନିଜର ଚିକିତ୍ସା କରାଇବେ ବୋଲି କଥା ହୋଇଥିଲେ ସେହିଦିନ ତାଙ୍କର ମର ଶରୀର ଗାଁରେ ପହଞ୍ଚିବ କଥାକୁ କେହି ସହଜରେ ହଜମ କରି ପାରୁ ନାହାଁନ୍ତି। ତେବେ ଗାଁରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପରିବାର ଲୋକ ଓ ଗ୍ରାମବାସୀ ମାନେ ଜିଲା ପ୍ରଶାସନ ଏବଂ ବିଧାୟକଙ୍କୁ ଧନ୍ୟବାଦ ଜଣାଇବା ସହିତ ବିଭୂତି ଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ।