ଦୁଇ ବର୍ଷ ହେଲା ଅପହୃତ ହୋଇଥିବା ପୁଅକୁ ଖୋଜୁଛି ଦୁଃଖିନୀ ମାଁ। ପୁଅକୁ ଖୋଜି ଆଣିବାକୁ ନିଜ ବନ୍ଧୁ ବାନ୍ଧବ ପାଖ ପଡୋଶୀକୁ କରୁଛି ଆକୁଳ ନିବେଦନ। ପୁଅକୁ ଝୁରି ଝୁରି ଶୁଖିଗଲାନି ମାଁ ଆଖିର ଲୁହ। ଦିନ ରାତି ଝୁରି ମରୁଛି ନିଜର ଜନ୍ମ କରିଥିବା ପୁଅକୁ। ଦାଣ୍ଡ ଦୁଆରେ ବସି ଅନାଇ ବସିଛି ପୁଅର ଫେରିବା ବାଟକୁ।
ହଁ ଆଜ୍ଞା ଏହା କେଉଁ କାହାଣୀ ନୁହେଁ ଘଟଣାଟି ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଗୁଡେଭେଲିପଦର୍ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗମୁଣ୍ଡା ଗାଁରେ। ଡାଙ୍ଗମୁଣ୍ଡା ଗାଁର ଉର୍ମିଳା ନାଗଙ୍କ ୧୩ ବର୍ଷୀୟ ନାବାଳକ ପୁଅ ରାହୁଲ୍ ନାଗ ଗୋଟିଏ ଝିଅ ସହିତ ଫେରାର ହୋଇଯାଇଥିଲେ। ପରେ ରାହୁଲ୍ ଓ ଉକ୍ତ ଝିଅ ଉଲୁଣ୍ଡା ଥାନା ଅନ୍ତର୍ଗତ ଡାଳଡବା ଗ୍ରାମରେ ଥିବା ଖବର ପାଇ ଉକ୍ତ ଗାଁକୁ ନିଜ ପୁଅକୁ ଆଣିବା ପାଇଁ ପହଞ୍ଚିଥିଲେ ରାହୁଲ୍ ଙ୍କ ମାଁ ଉର୍ମିଳା। ହେଲେ ସେଠାରେ ଉର୍ମିଳା ଙ୍କୁ ମାଡ଼ ମାରିବା ସହ ରାହୁଲଙ୍କୁ ଏକ ବନ୍ଦ୍ କୋଠରୀ ଭିତରେ ରଖିଥିବା ଅଭିଯୋଗ କରିଛନ୍ତି ଉର୍ମିଳା।
ସେଇ ଦିନ ଠାରୁ ସେ ମନମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଆଯକୁ ଦୁଇବର୍ଷ ହେବ କୌଣସି ପଦକ୍ଷେପ ଥାନା ପକ୍ଷରୁ ନିଆଯୁନଥିବା ଅଭିଯୋଗ କରିଛନ୍ତି। କାଳେ ପୁଅକୁ ଖୋଜିଦେବେ ବୋଲି ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛି ଦୁଃଖିନୀ ଉର୍ମିଳା। ଦେଖୁ ନାହାନ୍ତି ଥାନା ସମ୍ମୁଖରେ କେମିତି ନିଜର ହଜିଲା ପୁଅର ଫଟୋକୁ ଧରି ବାହୁନି ବାହୁନି କାନ୍ଦୁଛି ଗୋଟିଏ ମାଁ। ଏ ସମ୍ପର୍କରେ ଆମେ ବୌଦ୍ଧ ଏସ ଡି ପି ଓ କୁଲଦୀପ ମିନାଙ୍କୁ ପଚାରିବାରୁ ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି।