ଆଜି ପବିତ୍ର ରାମ ନବମୀ। ଏହି ପବିତ୍ର ଦିନରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କର ସବୁଠି ଚାଲିଛି ପୂଜା ଆରାଧନା। ପଲ୍ଲୀଠୁ ସହର ସବୁଠି ହୋଇପଡିଛି ଉତ୍ସବ ମୁଖର।
ରାମ ନବମୀ ଲାଗି ସଜେଇ ହୋଇଛି ଅଯୋଧ୍ୟା। ୫ଶହ ବର୍ଷର ପ୍ରତୀକ୍ଷା ପରେ, ଭବ୍ୟ ହେବ ରାମ ଲଲାଙ୍କ ଜନ୍ମୋତ୍ସବ। ନବନିର୍ମିତ ରାମମନ୍ଦିରରେ ପ୍ରଥମ ଥର ପାଇଁ ପାଳନ ହେଉଛି ରାମନବମୀ। ଗର୍ଭଗୃହରେ ଦିବ୍ୟ ରୂପରେ ଝଲସିବେ ବାଲକ୍ ରାମ।
ରାମ ନବମୀରେ ମନ୍ଦିର ଗର୍ଭଗୃହକୁ ଉଦ୍ଭାସିତ କରିବ ଆସ୍ଥା, କଳ୍ପନା ଓ ବିଜ୍ଞାନର ଅଭୂତପୂର୍ବ ସମ୍ମିଶ୍ରଣ। ଆଜି ମଧ୍ୟାହ୍ନ ୧୨ଟା ସମୟରେ ବାଲକ୍ ରାମ ସୂର୍ଯ୍ୟ ତିଲକରେ ଅଭିଷିକ୍ତ ହେବେ। ୪ ମିନିଟି ଯାଏ ସୂର୍ଯ୍ୟ କିରଣରେ ଝଲସିବ ଶ୍ରୀବିଗ୍ରହର ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ ଖଚିତ ସ୍ୱର୍ଣ୍ଣ ତିଳକ।
ମଧ୍ୟାହ୍ନ ଆକାଶରେ ସୂର୍ଯ୍ୟ ଯେତେବେଳେ ଠିକ୍ ମୁଣ୍ଡ ଉପରେ ଥିବେ, ସେତେବେଳେ ଦିବ୍ୟ ଆଭା ପ୍ରତିଫଳିତ ହେବ ବାଲକ ରାମଙ୍କ ଲଲାଟ ମଧ୍ୟସ୍ଥଳରେ।
ଏହା ଦେଖିବାକୁ ସାରା ଦେଶ ଅପେକ୍ଷା କରିଥିବା ବେଳେ, ଅଗଣିତ ଶ୍ରଦ୍ଧାଳୁଙ୍କର ସମାଗମ ହେଲାଣି ଅଯୋଧ୍ୟା ନଗରୀରେ। ମନ୍ଦିରକୁ ବି ଆଲୋକମାଳାରେ ସୁସଜ୍ଜିତ କରାଯାଇଛି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମଗ୍ର ଦେଶବାସୀଙ୍କୁ ରାମ ନବମୀର ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ ସୋଶାଲ ମିଡିଆରେ ପୋଷ୍ଟ କରି କହିଛନ୍ତି, ଏହି ପବିତ୍ର ପର୍ବ ସତ୍ୟ ଓ ଧର୍ମ ମାର୍ଗରେ ଚାଲିବାର ବାର୍ତ୍ତା ଦେଇଥାଏ । ପ୍ରଭୁ ଶ୍ରୀରାମଙ୍କ ସମ୍ପୂର୍ଣ୍ଣ ଜୀବନ ମାନବ ଜାତି ପାଇଁ ପ୍ରେରଣାର ସ୍ରୋତ । ଆଜିର ଦିନରେ ରାଷ୍ଟ୍ର ନିର୍ମାଣର ସଂକଳ୍ପ ନେବା ଉଚିତ। ସମସ୍ତଙ୍କ ଜୀବନ ଗାରିମାପୂର୍ଣ୍ଣ ହେବା ସହ ସର୍ବତ୍ର ସମୃଦ୍ଧିର ସଂକଳ୍ପ ନେବା ଉଚିତ ବୋଲି କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସମଗ୍ର ଦେଶବାସୀଙ୍କୁ ରାମ ନବମୀର ଶୁଭେଚ୍ଛା ଜଣାଇଛନ୍ତି।
ରାମ ନବମୀ ପାଇଁ ଚଳଚଞ୍ଚଳ ଭଦ୍ରକ। ସଂପୂର୍ଣ୍ଣ ଗେରୁଆମୟ ହୋଇଉଠିଛି ଅଞ୍ଚଳ, ଜୟ ଶ୍ରୀରାମ ଧ୍ୱନୀରେ କମ୍ପୁଛି ଗାଁ ଦାଣ୍ଡ। ସହର ଠାରୁ ପୁରପଲ୍ଲୀ ଯାଏ ସବୁଆଡେ ଉତ୍ସବମୁଖର ପରିବେଶ। ଗାନ୍ଧି ପଡିଆରେ ପୂଜା ପାଠ ସହ ଯଜ୍ଞ ଓ ହନୁମାନ ଚାଳିଶା ପାଠ ହେଉଛି। ଆଜି ଅପରାହ୍ନ ୪ଟାରେ ବାହାରିବ ନଗରସଂକୀର୍ତ୍ତନ। ୮୨ଟିରୁ ଅଧିକ ପ୍ରଜ୍ଞାପନ ମେଢ ସାହିବସ୍ତିରୁ ବାହାରିବ। ଏଥିପାଇଁ ଭଦ୍ରକ ସହରର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ପେଟ୍ରୋଲିଂକୁ ଜୋରଦାର କରାଯାଇଛି।