ଘୂର୍ଣ୍ଣିବଳୟ ପ୍ରଭାବ; ୪ ଦିନ ବର୍ଷିବ

ଭୁବନେଶ୍ୱର, ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ନୟାଗଡ଼ରେ ୧୧୦ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଉତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ଅଂଚଳରେ ଅବସ୍ଥିତ ରହିଛି । ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଲାଗି ରହିଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି । ଆଜି ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଗଞ୍ଜାମ, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିଭଳି ମାଲକାନଗିରି ଏବଂ କୋରାପୁଟ ଜିଲାରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି ।

ସେହିପରି ବାଲେଶ୍ୱର, କେନ୍ଦୁଝର, ମୟୂରଭଂଜ, ଯାଜପୁର, କଟକ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହୋଇପାରେ । ଆଜିଠାରୁ ୩୦ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲା ସମେତ ସଂଲଗ୍ନ ଜିଲ୍ଲା ଗୁଡ଼ିକରେ କାଳବୈଶାଖୀ ପ୍ରଭାବ ଲାଗିରହିବ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସହ କିଛି ଜାଗାରେ ଘଂଟାପ୍ରତି ୩୦ରୁ ୪୦ କି.ମି ବେଗରେ ପବନ ବହିପାରେ ।

Leave A Reply

Your email address will not be published.