ଆକ୍ସନ ମୁଡକୁ ଚାଲି ଆସିଛି ସ୍ୱାସ୍ଥ୍ୟ ବିଭାଗ । ୭ ଦିନ ମଧ୍ୟରେ ଦିଅ ଦୁଷ୍କର୍ମ ପୀଡ଼ିତାଙ୍କ ଡାକ୍ତରୀ ମାଇନା ରିପୋର୍ଟ . ଏଥିସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏପରି ନିର୍ଦ୍ଦେଶାନାମା ଦିଆଯାଇଛି।
ସରକାରୀ ହସ୍ପିଟାଲ ସମେତ ଘରୋଇ ହସ୍ପିଟାଲଗୁଡ଼ିକୁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶାନାମା ଜାରି ହୋଇଛି । ଦୁଷ୍କର୍ମ ପୀଡ଼ିତାଙ୍କ ଡାକ୍ତରୀ ମାଇନା ରିପୋର୍ଟ ୭ ଦିନରେ ତଦନ୍ତକାରୀ ପୁଲିସ ଅଧିକାରୀଙ୍କୁ ହସ୍ତାନ୍ତର କରିବାକୁ କୁହାଯାଇଛି।
ସମଗ୍ର ଦେଶରେ ଲାଗୁ ହୋଇଥିବା ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ୧୮୪ ଧାରା ଅନୁସାରେ ଏହି ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ବିଜ୍ଞପ୍ତିରେ ପ୍ରକାଶ କରିଛି।
ରାଉରକେଲା ସରକାରୀ ହସ୍ପିଟାଲରେ ଜଣେ ନକଲି ଡାକ୍ତର ଧରାପଡ଼ିବା ପରେ ରାଜ୍ୟରେ ନକଲି ଡାକ୍ତରଙ୍କ ଯାଞ୍ଚ କଡ଼ାକଡ଼ି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମଓ)ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ହସ୍ପିଟାଲଗୁଡ଼ିକରେ ପିପିପି ମୋଡରେ ଚିକିତ୍ସା ସେବା ଯୋଗାଇ ଦେଉଥିବା ସଂସ୍ଥା ଦ୍ୱାରା ନିୟୋଜିତ ଡାକ୍ତରମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ।