ଆଜି ଶ୍ରୀଜିଉଙ୍କ ସୁନାବେଶ

ଆଜି ଶ୍ରୀଜିଉଙ୍କ ସୁନାବେଶ। ମହଣ ମହଣ ସୁନାରେ ବିଭୂଷିତ ହୋଇ ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତ୍ତି। ୩ ରଥ ଉପରେ ଦୈନନ୍ଦିନ ନୀତିକାନ୍ତି ପରେ ଅପରାହ୍ନରେ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଦର୍ଶନ ଦେବେ ରଥାରୂଢ଼ ୩ ଠାକୁର। ସକାଳ ୬ଟାରୁ ମଙ୍ଗଳ ଆଳତି ନୀତି ହୋଇଥିବା ବେଳେ ଦିନ ୧୦ଟା ୩୦ ସୁଦ୍ଧା ଗୋପାଳ ବଲ୍ଲଭ ଭୋଗ ନୀତି ହେବ। ଦିନ ୨ଟାରୁ ୩ଟା ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି ହେବ। ଆଉ ସନ୍ଧ୍ୟା ୫ଟାରୁ ସାଢେ ୬ଟା ମଧ୍ୟରେ ହେବ ସୁନାବେଶ।

ରାତି ୧୦ଟା କିମ୍ବା ୧୧ଟା ଯାଏଁ ଏହି ଦୁର୍ଲଭ ବେଶ ଦର୍ଶନର ସୁଯୋଗ ପାଇବେ ଶ୍ରଦ୍ଧାଳୁ। ମହାପ୍ରଭୁଙ୍କ ସୁନା ବେଶରେ ବ୍ୟବହୃତ ଅଳଙ୍କାର ସବୁ ଗତ ୧୪ ତାରିଖରେ ଅସ୍ଥାୟୀ ବାହାର ରତ୍ନ ଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି। ତେଣୁ ସେଠାରୁ ହିଁ ଆଜି ଅଳଙ୍କାର ଅଣାଯାଇ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ସଂପନ୍ନ ହେବ।

ରଥରେ ଚତୁର୍ଦ୍ଧା ବିଗ୍ରହଙ୍କ ସୁନାବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଛୁଟି ଆସିବେ ଲକ୍ଷଲକ୍ଷ ଭକ୍ତ। ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ। ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି। ପୂର୍ବଭଳି ମେଡିକାଲ ଛକରୁ ଚାଲି ଚାଲି ଯିବେ ଭକ୍ତ। ଏଥିପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ମେଡିକାଲ ଛକରୁ ଶ୍ରୀମନ୍ଦିର ମଧ୍ୟରେ ବଡଦାଣ୍ଡକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ କରାଯାଇଛି। ଆବଶ୍ୟକ ପଡିଲେ ଶ୍ରୀମାର୍ଗକୁ ବ୍ୟବହାର କରାଯିବ। ଅଧିକ ଭିଡ଼ ହେଲେ, ଆବଶ୍ୟକସ୍ଥଳେ ଲୋକଙ୍କୁ ବାହାର କରିବା ପାଇଁ ସିଲ ହୋଇଥିବା ରାସ୍ତାକୁ ଖୋଲାଯାଇପାରେ ବୋଲି କହିଛନ୍ତି ପୁରୀ ଏସପି ପିନାକ ମିଶ୍ର ।

Leave A Reply

Your email address will not be published.