୫୦ ଦିନ ଖାଲି ପଡିଛି ରାଜ୍ୟସଭା ଆସନ 

ଭୁବନେଶ୍ୱର : ରାଜ୍ୟସଭା ସଦସ୍ୟ ପଦରୁ ସୁଜିତ କୁମାର ଇସ୍ତଫା ଦେବାର ୫୦ ଦିନରୁ ଅଧିକ ସମୟ ବିତି ଯାଇଥିବାବେଳେ ଏଯାବତ୍‍ ଏହି ଆସନ ଲାଗି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ଫଳରେ ଓଡିଶାର ୧୦ଟି ରାଜ୍ୟସଭା ଆସନରୁ ଗୋଟିଏ ଦୀର୍ଘଦିନ ଧରି ଖାଲି ପଡିଛି ।

ଏଠାରେ ଉଲ୍ଲେଖନୀୟ ଯେ ସୁଜିତ କୁମାର ବିଜେଡି ଟିକଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସେ ଉଭୟ ବିଜେଡି ଓ ରାଜ୍ୟସଭାରୁ ଇସ୍ତଫା ଦେଇ ବିଧିବଦ୍ଧ ଭାବେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି ଏବଂ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳୁଛି ।

ରାଜ୍ୟସଭାର ୧୦ଟି ଆସନ ଭିତରୁ ମାତ୍ର ଗୋଟିଏ ଆସନ ବିଜେପି ଖାତାରେ ଥିଲା । ଅଶ୍ୱିନୀ ବୈଷ୍ଣବ ବିଜେଡି ସମର୍ଥନରେ ବିଜେପି ପ୍ରାର୍ଥୀଭାବେ ରାଜ୍ୟସଭାକୁ ଯାଇ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ଅନ୍ୟ ୯ଟି ଯାକ ଆସନ ବିଜେଡି ପାଖରେ ରହିଥିଲା । ତେବେ ବିଜେଡିର ଅନ୍ୟତମ ରାଜ୍ୟସଭା ସଦସ୍ୟା ଶ୍ରୀମତୀ ମମତା ମହାନ୍ତ ଉଭୟ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇ ସାଧାରଣ ନିର୍ବାଚନ ପରେ ବିଜେଡିରେ ଯୋଗ ଦେଇଥିଲେ ଏବଂ ତାହା ପରେ ପରେ ଖାଲିଥିବା ଆସନ ପାଇଁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାରୁ ଶ୍ରୀମତୀ ମହାନ୍ତଙ୍କୁ ବିଜେପି ତାହାର ପ୍ରାର୍ଥୀଭାବେ ଛିଡା କରାଇ ର୍ନିଦ୍ୱନ୍ଦରେ ନିର୍ବାଚିତ କରିବାରେ ସଫଳ ହୋଇଛି ।

ମମତାଙ୍କ ଭଳି ସୁଜିତଙ୍କୁ ବିଜେପି ରାଜ୍ୟସଭାକୁ ପଠାଇବ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଏହି ଆସନ ପାଇଁ ବିଜେପିର ଆଉ କେତେକ ନେତା ମଧ୍ୟ ଆଶାୟୀ ରହିଛନ୍ତି । ଗତ ସେପ୍ଟେମ୍ବର ୬ତାରିଖରେ ରାଜ୍ୟସଭାର ଉପାଧ୍ୟକ୍ଷ ଜଗଦୀପ ଧନଖଡଙ୍କୁ ଭେଟି ସୁଜିତ କୁମାର ଇସ୍ତଫାପତ୍ର ପ୍ରଦାନ କରିଥିଲେ । ଏହାପରେ ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରିଥିବାବେଳେ ସେ ବିଜେଡିରୁ ଇସ୍ତଫା ଦେଇ ଦିଲ୍ଲୀ ସ୍ଥିତ ବିଜେପିର ମୁଖ୍ୟ ଦପ୍ତରରେ ବିଜେପିରେ ସାମିଲ ହୋଇଥିଲେ ।

ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା ଦେବାପରେ ଜାମ୍ମୁ-କାଶ୍ମୀର ଓ ହରିଆନା ବିଧାନସଭା ନିର୍ବାଚନ ହୋଇ ସାରିଛି । ଏବେ ଝାଡଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ୱାଏନାଡ ଲୋକସଭା ସମେତ ଦେଶର ବିଭିନ୍ନ ରାଜ୍ୟରେ ଥିବା ଆଉ କେତେକ ବିଧାନସଭା ଆସନପାଇଁ ମଧ୍ୟ ଉପନିର୍ବାଚନ ହେବାକୁ ଯାଉଛି । ଏ ପରିପ୍ରେକ୍ଷୀରେ ରାଜ୍ୟସଭାରେ ଖାଲି ପଡିଥିବା ଓଡିଶାର ଗୋଟିଏ ଆସନ ପାଇଁ କାହିଁକି ଯେ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରୁନାହାନ୍ତି ତାହା ଜଣା ପଡୁନାହିଁ ।

ରାଜ୍ୟସଭା ସାଂସଦଙ୍କ ହାତପାଣ୍ଠି ବାବଦରେ ସୁଜିତ କୁମାରଙ୍କ ପାଇଁ ଯେଉଁ ଅର୍ଥ ମିଳିବାକଥା ସେ ସାଂସଦ ପଦରୁ ଇସ୍ତଫା ଦେଇ ସାରିଥିବାରୁ ଏହି ଅର୍ଥ ଆଉ ମିଳୁନାହିଁ । ଫଳରେ ରାଜ୍ୟର ୯ଜଣ ରାଜ୍ୟସଭା ସାଂସଦଙ୍କ ପାଣ୍ଠି ବିନିଯୁକ୍ତ ହେଉଥିବାବେଳେ ଗୋଟିଏ ଆସନର ପାଣ୍ଠି ମଞ୍ଜୁର ହୋଇପାରୁ ନାହିଁ । ବିଧାନସଭାରେ ଏବେ ବିଜେପିର ଯେଉଁ ସ୍ଥିତି ରହିଛି ସେଥିରେ ସୁଜିତ୍‍ କୁମାରଙ୍କ ଇସ୍ତଫା ପରେ ଖାଲି ହୋଇଥିବା ଆସନଟି ବିଜେପି ତାହାର ପ୍ରାର୍ଥୀଙ୍କୁ ସହଜରେ ମମତାଙ୍କ ଭଳି ଜିଣାଇପାରିବ ।

ବିଜେପି ନେତାମାନେ କହୁଛନ୍ତି ଯେ ଉପନିର୍ବାଚନ ପାଇଁ ତାଙ୍କ ଦଳ ପ୍ରସ୍ତୁତ ରହିଛି ଏବଂ ନିର୍ବାଚନ କମିଶନ ଏ ସଂକ୍ରାନ୍ତରେ ଯେତେବେଳେ ବି ବିଜ୍ଞପ୍ତି ଜାରି କରିବେ ଦଳର କେନ୍ଦ୍ରୀୟ ପାର୍ଲାମେଣ୍ଟାରୀ ବୋର୍ଡ ଏହି ଆସନରେ କିଏ ପ୍ରାର୍ଥୀ ହେବ ସେଥିଘେନି ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବେ ।

Leave A Reply

Your email address will not be published.