ଆମ୍ବଟାକୁଆ ଜନିତ ମୃତ୍ୟୁ ଘଟଣା;ଆରଡିସି ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର : କନ୍ଧମାଳ ଜିଲ୍ଲାରେ ଆମ୍ବଟାକୁଆରୁ ପ୍ରସ୍ତୁତ ଖାଦ୍ୟ ଖାଇ ଦୁଇ ଜଣ ମୃତ୍ୟୁବରଣ କରିବାର ଅଭିଯୋଗ ଆସିଥିବାବେଳେ ତାହାର ତଦନ୍ତ ଦକ୍ଷିଣାଞ୍ଚଳ ଆରଡିସି ରୁପା ରୋଶନ ସାହୁ କରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ।

କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡିର ମାଣ୍ଡିପଡା ଗାଁରେ ଦୁଇଜଣଙ୍କ ମୃତ୍ୟୁ ଆମ୍ବଟାକୁଆରୁ ପ୍ରସ୍ତୁତ ଜାଉ ଖାଇବା ପରେ ହୋଇଛି । ଏହାକୁ ଖାଇଥିବା ଆଉ ଚାରିଜଣ ଗୁରୁତର ହେବାକୁ ସେମାନଙ୍କୁ ଏମଜେସିଜିରେ ଭର୍ତ୍ତି କରାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ଏହି ଦୁଇ ଗୁରୁତର ଆଇସିୟୁରେ ଅଛନ୍ତି ।

ଆମ୍ବଟାକୁଆ ଖାଇବା ଜନିତ ମୃତ୍ୟୁ ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଥିବାବେଳେ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଏହାକୁ ନେଇ ବାକ୍‍ଯୁଦ୍ଧ ଆରମ୍ଭ ହୋଇଯାଇଛି । ସମ୍ପୃକ୍ତ ଅଞ୍ଚଳରେ ତିନି ମାସ ଧରି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମିଳୁଥିବା ମାଗଣା ଚାଉଳ ଲୋକେ ପାଇନଥିବାରୁ ଭୋକ ବିକଳରେ ଆମ୍ବଟାକୁଆ ଖାଇଥିବା ବିଜେଡି ଅଭିଯୋଗ କରିବା ସହିତ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ।

ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶରୀରରେ ଖାଦ୍ୟ ବିଷକ୍ରିୟା ଯୋଗୁଁ ଏଭଳି ଘଟିଥିବା ସରକାରୀକଳ କହୁଛନ୍ତି । ଏପରିକି ମାଣ୍ଡିପଙ୍କା ଗାଁ ଲୋକେ ନିୟମିତ ଚାଉଳ ଉଠାଉଥିବା ମଧ୍ୟ କୁହାଯାଇଛି ।

ତେବେ ଏଭଳି ବାଦ ବିବାଦ ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ଏହି ଘଟଣାର ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆରଡିସି ସ୍ତରୀୟ ତଦନ୍ତ ଆରମ୍ଭ ହେଲେ ଘଟଣାର ବାସ୍ତବ ସତ୍ୟ ପଦାକୁ ଆସିବ ବୋଲି କୁହାଯାଉଛି ।

Leave A Reply

Your email address will not be published.