ରାଜ୍ୟ ଚଳଚିତ୍ର ପୁରସ୍କାର ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ମନରେ ସାହାସ ରଖି ନୂତନତ୍ୱକୁ ଆଧାର କରି ସିନେମା ନିର୍ମାଣ ପାଇଁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଜଣାଇଛନ୍ତି । ଓଡ଼ିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଆୟୋଜିତ ୩୨, ୩୩ ଓ ୩୪ ତମ ରାଜ୍ୟ ଚଳଚିତ୍ର ପୁରସ୍କାର ପ୍ରଦାନ ଉତ୍ସବକୁ ଉଦ୍‌ଘାଟନ କରି ରାଜ୍ୟପାଳ ରଘୁବର ଦାସ ଓଡିଶାର ସିନେମା ଇଣ୍ଡଷ୍ଟ୍ରିକୁ ଏହି ଆହ୍ୱାନ ଜଣାଇଛନ୍ତି ।

ଉଦ୍‌ବୋଧନ ଛଳରେ ରାଜ୍ୟପାଳ ଶ୍ରୀ ଦାସ କହିଥିଲେ ଯେ ଓଡିଶାକୁ ପ୍ରକୃତି ଅପାର ବିଭବ ଦେଇଛି । ଏହାର ପ୍ରାକୃତିକ ଶୋଭାରାଜି ବହୁତ ସୁନ୍ଦର । ସିନେମା ଉଦ୍ୟୋଗ ଅକୁହା କାହାଣୀଗୁଡ଼ିକୁ ସିନେମା ମାଧ୍ୟମରେ ବୟାନ କରନ୍ତୁ । ଭଲ ସିନେମା ନିର୍ମାଣ ପାଇଁ ବଡ଼ ସ୍ୱପ୍ନ ଦେଖନ୍ତୁ ଏବଂ ଏହି ସ୍ୱପ୍ନକୁ ସାକାର କରିବାକୁ ସମସ୍ତେ ସହଯୋଗ କରିବାକୁ ରାଜ୍ୟପାଳ କହିଥିଲେ । ନିଜ ଅଭିଭାଷଣରେ ରାଜ୍ୟପାଳ କହିଥିଲେ ଯେ ଚଳଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ କେବଳ ଏକ ଅନନ୍ୟ ମୁହୂର୍ତ ନୁହେଁ ବରଂ ଏହା

ଓଡିଆ ସିନେମାର ଗୌରବମୟ ପରଂପରାର ଏକ ଉଲ୍ଲେଖନୀୟ କିର୍ତୀମାନ ଯାହାକି ଆଠ ଦଶନ୍ଧି ଧରି ଓଡିଆ ସିନେମା ଯାତ୍ରାର କଳାତ୍ମକ ଉତ୍କର୍ଷ, ସାଂସ୍କୃତିକ ଗୌରବ ଏବଂ ସାମାଜିକ ପ୍ରତିବିମ୍ବର ପ୍ରତୀକ । ଓଡିଶାର ସମ୍ମୁଜ୍ଜଳ କଳା, ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ଜୀବନ୍ତ ଲୋକକଳା ଏବଂ ମୂଲ୍ୟବୋଧର ମହତ୍ୱ ସହିତ ଓଡିଆ ସିନେମା ଜଡିତ ରହିଛି । ୧୯୩୬ ମସିହାରେ ପ୍ରଥମ ଓଡିଆ ଚଳଚିତ୍ର ‘ସୀତା ବିବାହ’ର ଏଯାବତ୍ ଚଳଚିତ୍ର ନିର୍ମାତା ଏବଂ କଳାକାରମାନେ ନିଜର ନିଷ୍ଠା, ସୃଜନଶୀଳତା ବଳରେ କେବଳ ଓଡିଆ ସିନେମା ନୁହେଁ ସମଗ୍ର ଭାରତୀୟ ସିନେମାକୁ ସମୃଦ୍ଧ କରିବାରେ ଲାଗିଛନ୍ତି ।

ରାଜ୍ୟର ଦୂରଦୃଷ୍ଟି ସଂପନ୍ନ କଳାକାର ଓ ଟେକ୍‌ନିସିଆନ୍ ଯେଉଁମାନେ ଓଡିଆ ସିନେମାର ବିକାଶରେ ବହୁମୂଲ୍ୟ ଅବଦାନ ରଖିଛନ୍ତି ସେମାନଙ୍କୁ ସମ୍ମାନ ଜଣାଇ ତାଙ୍କର କାର୍ଯ୍ୟ କେବଳ ଦର୍ଶକଙ୍କୁ ମନୋରଞ୍ଜନ ଦେଇ ନାହିଁ ବରଂ ସମାଜକୁ ଶିକ୍ଷିତ ଏକଜୁଟ୍ ଓ ସଶକ୍ତ କରିଛି । ଚଳଚିତ୍ର ସମ୍ମାନ ପ୍ରଦାନ ଉତ୍ସବ ସେମାନଙ୍କର ସଫଳତା ଓ ଉପଲବ୍ଧିର ମହୋତ୍ସବ ବୋଲି ରାଜ୍ୟପାଳ କହିଥିଲେ ।

ଉକ୍ତ ଚଳଚିତ୍ର ସମ୍ମାନ ପ୍ରଦାନ ସମାରୋହରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂହ ବକ୍ତବ୍ୟ ପ୍ରଦାନ କରି କହିଥିଲେ ଯେ ସମାଜ ପରିବର୍ତନରେ ଚଳଚିତ୍ରର ସୁଦୂରପ୍ରସାରୀ ପ୍ରଭାବ ରହିଛି । ଚଳଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ‘ପୂଜ୍ୟ ପୂଜାର’ ପ୍ରତୀକ ଏବଂ ଏହା ଓଡିଆ ଚଳଚିତ୍ରର ପୂର୍ବ ଗାରିମା ଫେରାଇ ଆଣିବା ସହ ଓଡିଆ ସିନେମା ଇଣ୍ଡଷ୍ଟ୍ରିକୁ ଆଗେଇ ନେବା ପାଇଁ ପ୍ରେରଣା ଯୋଗାଇବ । ଏ ଦିଗରେ ସମସ୍ତେ ସହଯୋଗ କରିବାକୁ ନିବେଦନ କରିଥିଲେ ।

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଶେଷରେ ବିଭାଗୀୟ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜୀବନବ୍ୟାପୀ ସାଧନାର ସ୍ୱୀକୃତିସ୍ୱରୁପ ୨୦୨୦ ମସିହା ପାଇଁ ବିଶିଷ୍ଟ ଲେଖକ, ନିର୍ଦ୍ଦେଶକ ଓ ନାଟ୍ୟକାର ଅନନ୍ତ ମହାପାତ୍ର, ୨୦୨୧ ମସିହା ପାଇଁ ବିଶିଷ୍ଟ ଚିତ୍ର ଉତୋଳନକାରୀ ଶ୍ରୀନିବାସ ମହାପାତ୍ର ଏବଂ ୨୦୨୨ ମସିହା ପାଇଁ ବିଶିଷ୍ଟ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ‘ମୋହନ ସୁନ୍ଦରଦେବ ଗୋସ୍ୱାମୀ’ ପୁରସ୍କାର ପ୍ରଦାନ କରାଯାଇଥିଲା । ଏତଦ୍‌ବ୍ୟତୀତ ଅନ୍ୟ ୩୨ଟି ବର୍ଗରେ ୨୦୨୦, ୨୦୨୧ ଓ ୨୦୨୨ ମସିହା ପାଇଁ କୃତୀ ବ୍ୟକ୍ତିତ୍ୱଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.