ବଲାଙ୍ଗୀର : ( ମଳୟ ମିଶ୍ରଙ୍କ ରିପୋର୍ଟ ) ଗତ କିଛିବର୍ଷଧରି ପାଟଣାଗଡ ଲରମ୍ଭାଥାନା ଅନ୍ତର୍ଗତ ଚମ୍ପାସର ଓ ସୁକତେଲ ନଦୀ ସେପଟର ଲୋଇସିଂହା ବନାଞ୍ଚଳରେ ରହିଥିବା ମାଙ୍ଗାନିଜ୍ ଖଣିଜଦ୍ରବ୍ୟର ଆନ୍ତଃରାଜ୍ୟ ଚୋରାଚାଲାଣ ହୋଇଆସୁଛି । ମଝିରେ ମଝିରେ ଗଣମାଧ୍ୟମରେ ବିଭିନ୍ନ ସମୟରେ ଏହା ଲୋକଲୋଚନକୁ ଆସିଛି । ଏହାପଛରେ ସ୍ଥାନୀୟ ରାଜନେତା , ପୁଲିସ୍ , ପ୍ରଶାସନ ଓ ଖଣିବିଭାଗର ହାତ ରହିଥିବା ଅଭିଯୋଗ ମଧ୍ୟ ପ୍ରକାଶ ପାଇଛି । ତଥାପି କେବେ କୌଣସି ପଦକ୍ଷେପ ନିଆଯାଇନାହିଁ । ତେବେ ଗତ ୧୦ ତାରିଖ ରାତିରେ ଚମ୍ପାସର ଗ୍ରାମବାସୀଙ୍କ ହାତରେ ଧରାପଡିବାପରେ ଲରମ୍ଭାଥାନା ପୁଲିସ୍ ରାଜ୍ୟବାହାରର ଗୋଟିଏ ମାଙ୍ଗାନିଜ୍ ଭର୍ତ୍ତି ଟ୍ରକ୍ ଓ ଗୋଟିଏ ଜେସିବିକୁ ଜବତ କରିବା ସହ ରାଜ୍ୟ ଓ ଜିଲ୍ଲା ବାହାରର ୫ ଜଣଙ୍କୁ ଗିରଫ କରିକୋର୍ଟ ଚାଲାଣ କରିବାପରେ ଘଟଣାଟି ପୁଣି ଚର୍ଚ୍ଚାର ବିଷୟ ହୋଇପଡିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି , ଏହି ଖଣିଚୋରି ଓ ଚୋରାଚାଲାଣର ମାଷ୍ଟର୍ ମାଇଣ୍ଡ୍ ବ୍ର୍ଜଜରାଜନଗରର ସୁନୀଲ୍ ଶ୍ରୀବାସ୍ତବ ନାମକ ଜଣେ ଖଣିମାଫିଆ ସ୍ଥାନୀୟ ବିଧାୟକଙ୍କ ଘରେ ସେତେବେଳେ ରହିଥିବା ସହିତ ବିଧାୟକଙ୍କ ଅନୁଗତ ଲରମ୍ଭାର ରୁଷୁ ଜରିଆରେ ଏହା କରୁଥିବା ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ । ତିନିଦିନ ତଳେ ସେଠାରେ ଖଣିରୁ ଉତ୍ତୋଳନ କରାଯାଇ ମାଙ୍ଗାନିଜ୍ ଓର୍ ଗୁଡିକୁ ଗଦା କରାଯାଇଥିଲା ଓ ଉକ୍ତଦିନ ରାତିରେ ରୁଷୁ ଓ ଆଉଜଣେ ଏକ ବାଇକ୍ ରେ ଗ୍ରାମ ନିକଟରେ ଥିବା ଦୁଇଟି ବନ୍ଦଖଣିକୁ ଏହି ଗାଡି ଓ ଅଭିଯୁକ୍ତଙ୍କୁ ବାଟକଢାଇ ନେଇଥିବା ଗ୍ରାମବାସୀଙ୍କଠାରୁ ପ୍ରକାଶ । ପୁଲିସ୍ ଓ ଗଣମାଧ୍ୟମର ପ୍ରତିନିଧିଙ୍କ ଜେରାରେ ଅଭିଯୁକ୍ତମାନେ ମଧ୍ୟ ଏହା ମାନିଛନ୍ତି । ଏହାର ମୁଖ୍ୟ ଝାରସୁଗୁଡାରୁ ଆସି ସୁନୀଲ୍ ଶ୍ରୀବାସ୍ତବ ପାଟଣାଗଡରେ ଡେରା ପକାଇଥିବା ଓ ସେ ଘଟଣାସ୍ଥଳକୁ ମଧ୍ୟ ଯାଇଥିବା କୁହାଯାଇଛି । ଆହୁରିମଧ୍ୟ , ସୁନୀଲ୍ ବିଧାୟକଙ୍କ ଘରେ ରହିଥିବାର ପ୍ରମାଣ ତାଙ୍କ ହାତରେ ରହିଥିବା ଏକ ପ୍ରମୁଖ ଗଣମାଧ୍ୟମ ଦାବି କରିଛି । ତେବେ ଏଭଳି ଚର୍ଚ୍ଚାକୁ ବିଧାୟକଙ୍କ ପକ୍ଷରୁ ଅସ୍ବୀକାର କରାଯାଇଛି । ଆରମ୍ଭରୁ ଜଣେ ଜେଇଙ୍କୁ ରାସ୍ତାଉପରେ ସର୍ବସମ୍ମୁଖରେ କାନଧରି ଉଠ୍ ବସ୍ କରାଇବା ଘଟଣାରେ ଗିରଫ ହୋଇ ଜେଲ୍ ଯାଇଥିବା ଉକ୍ତ ବିଧାୟକଙ୍କ ସମ୍ପର୍କୀୟ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଭୋଟରଙ୍କୁ ଟଙ୍କା ବାଣ୍ଟିବାବେଳେ ଲୋକଙ୍କ ଦ୍ବାରା ଧରାପଡି ମାଡଖାଇବା ଆଦି ବହୁ ବିବାଦୀୟ ଘଟଣା ସତ୍ତ୍ୱେ , ଏହା ତାଙ୍କ ବିରୁଦ୍ଧରେ ଏକ ଭିତ୍ତିହୀନ ଉଦ୍ଦେଶ୍ୟମୂଳକ ଅଭିଯୋଗ ଏବଂ ଏଥିରେ ସତ୍ୟତା ନାହିଁ ବୋଲି ବିଧାୟକ ସରୋଜ କୁମାର ମେହେରଙ୍କ ସୂତ୍ରରୁ ଖଣ୍ଡନ କରାଯାଇଛି ।
ଏହି ଚର୍ଚ୍ଚା ଲୋକମୁଖରେ ଓ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ଵାରା ପ୍ରକାଶ ପାଇବାପରେ , ଏହାର ଅଧିକ ତଦନ୍ତ ଦାବି କରାଯାଇଛି ।