ପାର୍ଶଲ୍ ବୋମାରୁ ପରୀମାମଲା ଓ ମମିତାରୁ ଲଳିତସାହୁ ଆତ୍ମହତ୍ୟା ( ? ) ପର୍ଯ୍ୟନ୍ତ : ସବୁଠି ବଡମୁଣ୍ଡିଆଙ୍କ ମୁଣ୍ଡରେ ଅଠା !
ବଲାଙ୍ଗୀର : ( ମଳୟ ମିଶ୍ରଙ୍କ ରିପୋର୍ଟ ) ଲକ୍ଷ୍ୟକରାଯାଇଆସୁଛି , ଗତ କିଛିବର୍ଷ ଧରି ରାଜ୍ୟରେ ଘଟିଥିବା ବହୁଚର୍ଚ୍ଚିତ ଚାଞ୍ଚଲ୍ୟକର ନରହତ୍ୟାମାମଲା ଅପରାଧର ତଦନ୍ତ କ୍ଷେତ୍ରରେ ଗୁରୁତର ବିଭ୍ରାଟ ଓ ସନ୍ଦେହ ସୃଷ୍ଟି ହୋଇଆସୁଛି । ଆଗର ଅନେକ କଥାକୁ ଛାଡିଦେଲେ , ଏଇ କିଛିଦିନର ପାଟଣାଗଡ ପାର୍ଶଲବୋମାରେ ଡବଲମର୍ଡର ମାମଲା , ଅନୁଗୁଳର ପରୀଅପହରଣ ବା ନିଖୋଜ୍ ପରେ ହତ୍ୟାଅଭିଯୋଗ ମାମଲା , ବଲାଙ୍ଗୀର ସର୍ଗିପାଲି ଦଳିତ ଯୁବତୀ ସ୍ନେହଲତା ଛତ୍ରିଆ ଗଣଦୁଷ୍କର୍ମ ଓ ହତ୍ୟା , ପାରଳାଖେମୁଣ୍ଡି ଏସିଏଫ୍ ଅପମୃତ୍ଯୁ ମିଷ୍ଟ୍ରି , ଫଟୋଗ୍ରାଫର ମାନସ ସ୍ବାଇଁ ହତ୍ୟାକାଣ୍ଡ , ମମିତାମେହେର ହତ୍ୟାକାଣ୍ଡ ଓ ଏବେ ବିବାଦ ଆଡକୁ ଟାଣିହୋଇ ଯାଉଥିବା ଝାରସୁଗୁଡା ମନ୍ତ୍ରୀ ନବଦାସଙ୍କ ରୋଷେୟା ଲଳିତସାହୁ ଆତ୍ମହତ୍ୟା ଘଟଣା । ଏଥିସହ ଚିଟ୍ ଫଣ୍ଡ୍ ଠକେଇ , ଚାଉଳ ଦୁର୍ନୀତି , ଖଣିଚୋରି , ରାଜନୈତିକ ହତ୍ୟାକାଣ୍ଡ , ସନ୍ଦିଗ୍ଧ ହତ୍ୟା ଅଭିଯୋଗ , ଅନ୍ୟାନ୍ୟ ଅପରାଧମାମଲାର ତଦନ୍ତ ଇତ୍ୟାଦିରେ ଜନଅସନ୍ତୋଷ ରହିଛି । ଏହି ବିଭାଗଟି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଛି ଓ ଏପରିକି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଉପରେ ମଧ୍ୟ ମମିତାମେହେର ହତ୍ୟା ମାମଲାର ଷଡଯନ୍ତ୍ର ଅଭିଯୋଗ ରାଜ୍ୟବ୍ୟାପି ତୁମୁଳ ପ୍ରତିକ୍ରିୟା ସୃଷ୍ଟି କରିଆସିଛି । ଏସବୁକୁ ନେଇ ବିରୋଧୀଦଳ ତ ରାଜନୀତି କରିବା ସ୍ବାଭାବିକ କଥା । ଗଣମାଧ୍ୟମ ବା ମିଡିଆରେ ମଧ୍ୟ ଏସବୁ ଅପରାଧଘଟଣା ବହୁଚର୍ଚ୍ଚିତ ହୋଇ ଆସୁଛି । ତେବେ ଯଦି ଏସବୁର ତଦନ୍ତର ଯେଉଁସବୁ ବିଷୟ ଗଣମାଧ୍ୟମରେ ଲୋକଲୋଚନକୁ ଅଣାଯାଇଆସୁଛି ଏବଂ ତାହାକୁ ଯଦି ଜନମାନସର ପ୍ରତିଫଳନ ବୋଲି ଧରିନିଆଯାଏ ; ଏହା ସାଙ୍ଘାତିକ୍ ! ଆଗରୁ ଏଭଳି ବିଶୃଙ୍ଖଳା ବା ବିହ୍ରାଟ ଘଟି ନଥିଲା । ଏହାର ସମସ୍ତ ଦୋଷ ଦୁର୍ବଳତା ସରକାରଙ୍କ ମୁଣ୍ଡରେ ପଡୁଛି । ଏକ ଗାଣତାନ୍ତ୍ରିକ ବ୍ୟବସ୍ଥାରେ ଏସବୁ ଘଟଣାରେ ଉଠୁଥିବା ଜନପ୍ରତିକ୍ରିୟାକୁ ସରକାର ଏଭଳି ଆଡେଇଯିବା ଠିକ୍ ହେଉନାହିଁ । ବିଡମ୍ବନାର ବିଷୟ ଯେ , ଏସବୁ ମାମଲାରେ ବଡବଡ ମନ୍ତ୍ରୀ , ବିଧାୟକ , ପୁଲିସ୍ ତ ଅପରାଧଶାଖାର ବରିଷ୍ଠ ପୁଲିସ୍ ଅଧିକାରୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ବା ସଚିବସ୍ତଳୀୟ ଅମଲାଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି ।
ଏହି ବହୁଚର୍ଚ୍ଚିତ ଅପରାଧମାମଲାଗୁଡିକର ତଦନ୍ତରେ ଏଭଳି ବ୍ୟତିକ୍ରମ ଦେଖାଯାଇଛି , ଯାହା ସାଧାରଣ ଜନତାଙ୍କ ଚକ୍ଷୁରେ ସନ୍ଦେହ ସୃଷ୍ଟି କରିଛି । ଲୋକେ ଆଦୌ ଏତେ ବୋକା ନୁହଁନ୍ତି ଯେ , ସବୁକଥାକୁ ବିରୋଧୀଙ୍କ ଆରୋପ ବା ରାଜନୈତିକ ଅତିରଞ୍ଜନ କୁହାଯାଇ ଅଭିଯୋଗଫାଶରୁ ବେକ ଖସାଇନେଇ ହେବ ! ଲୋକେ ସବୁ ଦେଖୁଛନ୍ତି ଓ ବୁଝୁଛନ୍ତି । ଠିକଣା ସମୟରେ ତାହାର ଉଗ୍ରରୂପ ଲେଲିହାନ୍ ନିଆଁ ପରି ଜଳିଉଠିବ ଓ ତାହାକୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇପଡିବ । କିଏ ରାଜନୀତି କରୁଛି , ବିରୋଧୀଦଳ ନା ସରକାର ନିଜେ , ଧରାପଡିଯିବ ।
ଅନୁଗୁଳର ପରୀକାଣ୍ଡ , ପାର୍ଶଲବୋମା ବିସ୍ଫୋରଣରେ ଦୁଇଟି ହତ୍ୟାଘଟଣା , ସର୍ଗିପାଲିର ଦଳିତ ଯୁବତୀ ସ୍ନେହଲତା ଛତ୍ରିଆ ଗଣଦୁଷ୍କର୍ମ ଓ ହତ୍ୟା ଓ ପାରଳାଖେମୁଣ୍ଡି ଏସିଏଫ୍ ପୋଡିମରିବା ମାମଲାର ତଦନ୍ତରେ କ୍ରାଇମବ୍ରାଞ୍ଚର ବିଚକ୍ଷଣ ବା ବିଲକ୍ଷଣ ତଦନ୍ତର ଗପଗଢା ଚତୁରତାକୁ ଲୋକେ ଠିକ୍ ଧରିପାରିଛନ୍ତି । ଅଦ୍ୟାବଧି ବର୍ଷ ବର୍ଷ ଧରି ଏସବୁ ବହୁଚର୍ଚ୍ଚିତ ଅପରାଧମାମଲାର ଅଭିଯୋଗ ତିଷ୍ଠି ପାରୁନାହିଁ । ଅଦାଲତକୁ ବିଭ୍ରାନ୍ତ କରି ମିଡିଆରେ ଟ୍ରାଏଲ୍ କରାଇ ତଦନ୍ତକାରୀ ସଂସ୍ଥା ବା ଅଧିକାରୀ ସରକାରଙ୍କୁ ମଧ୍ୟ ଦିଗ୍ ଭ୍ରାନ୍ତ କରିପକାଇଛନ୍ତି । ଏବଂ ସରକାର ଏହି ଧୂର୍ତ୍ତ ତଦନ୍ତକାରୀ ଅଧିକାରୀଙ୍କୁ ସହ୍ୟ କରିଛନ୍ତି ! ପ୍ରକାରାନ୍ତରେ ସରକାର ସେମାନଙ୍କ ପାଇଁ ବଦନାମ ହେଉଛନ୍ତି । ଗୃହବିଭାଗର ପରିଚାଳନା ଓ ଅପାରଗ , ଅସାଧୁ ଅଧିକାରୀଙ୍କ ପାଇଁ କିଏ ଦାୟୀ ହେବ ?
ଗୃହରାଷ୍ଟ୍ରମନ୍ତ୍ରୀଙ୍କ ପ୍ରତି ଉଠିଆସୁଥିବା ମମିତାମେହେର ହତ୍ୟା ଷଡଯନ୍ତ୍ର ଅଭିଯୋଗର ନ୍ୟାୟିକ ବିଚାର ପ୍ରକ୍ରିୟାରେ ରାଜନୀତି ବା ହଟଚମଟ ଜଳଜଳ ଦିଶୁଛି । ଯେଉଁମାନେ ଏଥିରୁ ଫାଇଦାହାସଲର ଅପଚେଷ୍ଟା କରୁଛନ୍ତି , ସେମାନଙ୍କ ଭ୍ରାତାବଦନକୁ ଲୋକେ ଚିହ୍ନିସାରିଲେଣି । ସଦ୍ୟତମ ଘଟଣା ଅନୁଯାୟୀ , ନରସିଂହ ମିଶ୍ରଙ୍କ ଦ୍ବାରା ଅଦାଲତରେ ତଦନ୍ତରେ ଆଭାସୀ ଅଭିଯୋଗ ଉଠାଇବା ବା ତାଙ୍କ ପୁଅଙ୍କୁ ଏହି ମାମଲାରେ ସ୍ପେଶାଲ୍ ପିପି ନିଯୁକ୍ତି ବିବାଦୀୟ ହେବା ମୂଳରେ ସରକାରଙ୍କର କି ଆଭିମୁଖ୍ଯ ରହିଛି , ଏସମ୍ପର୍କରେ ବିବିଧକଥା ଚର୍ଚ୍ଚା ହେଉଛି ।
ସେହିପରି ଝାରସୁଗୁଡାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ତାଙ୍କ ରୋଷେୟା ଯୁବକର ତଥାକଥିତ ଆତ୍ମହତ୍ୟା ମାମଲାରେ ବିରୋଧୀଙ୍କ ଅଭିଯୋଗକୁ ବାଦ୍ ଦେଲେ ମଧ୍ୟ ଯାହାସବୁ ଘଟିଆସୁଛି ଓ ଯାହା ଗଣମାଧ୍ୟମରେ ପ୍ରକାଶ ପାଇ ଆସୁଛି , ଏହାକୁ ଲୋକେ କେତେଦୂର ବିଶ୍ବାସ କରୁଛନ୍ତି , ସମସ୍ତେ ଜାଣନ୍ତି । ସବୁ ବ୍ୟତିକ୍ରମ , ସଫେଇ , ଯୋଜନା , ମରାମତି ଓ ତଦନ୍ତରେ ତ୍ରୁଟିବିଚ୍ୟୁତି ଇତ୍ୟାଦି ସତ୍ତ୍ୱେ , ସତ୍ୟ ଫୁଟି ଦିଶୁଛି । ଏହା ଆତ୍ମହତ୍ୟା ହେଉ ବା ହତ୍ୟା ବା ଅନ୍ୟକିଛି , ଘଟଣାଟି ମନ୍ତ୍ରୀଙ୍କ ଘରେ ଘଟିଛି । ଏଥିପାଇଁ କିଏ ଦାୟୀ ହେବେ ? ମୃତ ଲଳିତ ସାହୁଙ୍କ ବୃଦ୍ଧପିତାଙ୍କର ସଦ୍ୟତମ ଏତଲା ବା ଚିଠି ବା ସଫେଇର ଅନ୍ତରାଳରେ କ’ଣ ଅଛି , ନକହିଲେ ବି ଜଣାପଡୁନି କି ? କାମଧନ୍ଦା ମିଳୁ ନଥିବା ତାଙ୍କ ପୁଅକୁ ମନ୍ତ୍ରୀଙ୍କ ଘରେ ରୋଷେଇଆ ଚାକିରୀ ମିଳିଲାରୁ ସେ ଭଲରେ ଥିବା , ଅବାଟରେ ଯିବାରୁ ମାନସିକ ଚାପରେ ରହି ଆତ୍ମହତ୍ୟା କରି ମଲା , ତାଙ୍କର ଏହି ଲିଖିତ ସଫେଇକୁ ସୁଇସାଇଡ୍ ନୋଟ୍ ଭାବେ ଗ୍ରହଣ କରାଯାଉ ଇତ୍ୟାଦିର ପ୍ରକୃତ ଅର୍ଥ କ’ଣ ? ଏହା ଜଣେ ପୁତ୍ରହରାବାପ ସତରେ କହିପାରେ କି ? ମନ୍ତ୍ରୀଙ୍କ ଝିଅ ଦୀପାଲୀ ଦାସ ଉକ୍ତ ଯୁବକଙ୍କ ଆକାଉଣ୍ଟ୍ କୁ ଯଦି ସତରେ ୭ ଲକ୍ଷ ଟଙ୍କା ପଠାଇଥିବା କଥା ସତ ନୁହେଁ , ଏହାର ସ୍ପଷ୍ଟୀକରଣ କୁଆଡେ ଗଲା ? ଏପରି ବହୁ ପ୍ରଶ୍ନର ଉତ୍ତର ଏଯାବତ୍ ମିଳିପାରି ନାହିଁ । ତେବେ ଯେଉଁଠି ମମିତାମେହେର ହତ୍ୟାମାମଲାରେ ଖୋଦ୍ ପୁଲିସ୍ ଥାନାରୁ ମୁଖ୍ୟଅଭିଯୁକ୍ତକୁ ପ୍ରମାଣନଷ୍ଟ ପାଇଁ ସୁଯୋଗଦେବାକୁ ଛାଡିଦିଏ ଓ ପ୍ରମାଣ ନଷ୍ଟ କରିବାର ଦିନକ ପରେ ପୁଣି ଧରେ , ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ରାଜ୍ୟବ୍ୟାପି ଜନପ୍ରତିକ୍ରିୟା ପରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଅଞ୍ଚଳର ସଭାରେ ପାଖରେ ବସାଇ କ୍ଲିନ୍ ଚିଟ୍ ଦିଅନ୍ତି , ତଦନ୍ତାଧିକାରୀ ଡିଆଇଜି ସାମ୍ବାଦିକସମ୍ମିଳନୀରେ ଆମେ ମନ୍ତ୍ରୀଙ୍କ ଉପରେ ଆଙ୍ଗୁଠି ଉଠାଯାଉଥିବା ହତ୍ୟାକାଣ୍ଡର ମୁଖ୍ୟ ଉଦ୍ଦେଶ୍ୟ ସେକ୍ସକାରବାରର ତଦନ୍ତ ଆମେ କରୁନାହୁଁ ବୋଲି ବିବୃତିରେ କହନ୍ତି ; ସେଠି ବା ସେ ରାଜ୍ୟରେ ନିରପେକ୍ଷ ତଦନ୍ତ ବା ନ୍ୟାୟ କୋଉଠି ରହିଲା ?
ସର୍ବୋପରି ପୁଲିସ୍ , କ୍ରାଇମବ୍ରାଞ୍ଚ ଇତ୍ୟାଦି ସଂସ୍ଥା ଗୃହବିଭାଗର ଓ ଏହାର ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଛି । ଦୀର୍ଘଦିନର ଶାସନ ବା ସଂଖ୍ୟାଗରିଷ୍ଠ ଶାସକଦଳର କ୍ଷମତାଅହଂରେ ଯାଚ୍ଛା’ତା କରିଚାଲିବା ଏକ ଗାଣତାନ୍ତ୍ରିକ ବ୍ୟବସ୍ଥାରେ ଆଦୌ ସ୍ପୃହଣୀୟ ନୁହେଁ , ଏହା ଜନସାଧାରଣଙ୍କ ଚର୍ଚ୍ଚାରୁ ପ୍ରକାଶ । ତେବେ ଗୃହବିଭାଗର ବିଶ୍ବସନୀୟତା ଉପରେ ଯେ ପ୍ରଶ୍ନବାଚୀ ସୃଷ୍ଟି ହୋଉଛି , ଏହା ନିଃସନ୍ଦେହରେ କୁହାଯାଇପାରେ ।