୨୪ ବର୍ଷପରେ ଟିଟିଲାଗଡରେ ବିକାଶ ଲାଠ ଘଟଣାର ପୁନରାବୃତ୍ତି !

ବଲାଙ୍ଗୀର  :  ( ମଳୟ ମିଶ୍ରଙ୍କ ରିପୋର୍ଟ ) ଘରେ ଆସି ରହୁଥିବା ଅଭିଯୁକ୍ତ ସମ୍ପର୍କୀୟ ଭାଇ ନବମଶ୍ରେଣୀର ଛାତ୍ରକୁ ଭୁଲାଇନେଇ ହତ୍ୟା କରିଛି । ମାରିବାପରେ ମୃତଦେହକୁ ଏକ ନିର୍ମାଣ ଚାଲିଥିବା ମାଟିଗଦା ପାଖରେ ଫିଙ୍ଗିଦେବା ସହ ପଥର ଛେଚି ମୁହଁକୁ ବିବର୍ଣ କରିପକାଇଥିଲା । ଏହାପରେ ଘରକୁ ଯାଇ ଫୋନ୍ ରେ ମୃତ ପରିବାରକୁ ନକଲି ମାଓବାଦୀ ନାଁ’ରେ ୧୦ ଲକ୍ଷ ଟଙ୍କା ମାଗିଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ , ସେ ମଧ୍ୟ ଘରଲୋକଙ୍କ ସାଙ୍ଗରେ ମିଶି ନିଖୋଜ୍ ବାଳକଟିକୁ ଖୋଜାଖୋଜି କରୁଥିଲା । ଏହି ନାରକୀୟ ଅପହରଣ ଓ ହତ୍ୟାକାଣ୍ଡ ଘଟିଛି ଟିଟିଲାଗଡ ସହରର ସିରଭଟାପଡାରେ ଗତ ୨୩ ତାରିଖରେ ।  ରେଳବାଇ କର୍ମଚାରୀ ଦିଲିପ କୁମାରଙୂକ ପୁଅ ନବମଶ୍ରେଣୀର ଛାତ୍ର ମୋହନ କୁମାର ଟିଉସନ ପଢିବାକୁ ଯାଇ ନିଖୋଜ୍ ହୋଇଥିଲା । ଘରକୁ ନଫେରିବାରୁ ଓ ପଚରାଉଚୁରାରୁ ଟିଉସନକୁ ଯାଇ ନଥିବା ପରେ ଆଖପାଖର ସିସିଟିଭି ଯାଞ୍ଚ ସହ ରାତିସାରା ଖୋଜାଖୋଜି ପରେ ପିଲାଟି ମିଳି ନଥିଲା । ଏଣୁ ଅପହରଣ ଆଶଙ୍କାରେ ପରିବାର ପକ୍ଷରୁ ଟିଟିଲାଗଡ ଥାନାରେ ଏତଲା ଦିଆଯାଇଥିଲା ।  ଏହାପରେ ଘରର ମୋବାଇଲ୍ କୁ ଏକ ମେସେଜ୍ ଆସିଥିଲା ଯେ  ‘ ତୁମ ପୁଅକୁ ମାଓ ଉଠାଇ ନେଇଛି ଓ ପୁଅକୁ ପାଇବାକୁ ହେଲେ ୧୦ ଲକ୍ଷ ଟଙ୍କା ଦେବାକୁ ପଡିବ । ‘ ଏହି  ମେସେଜ୍ ଟି କଳାହାଣ୍ଡି ଜିଲ୍ଲାର କେସିଙ୍ଗାରୁ ଆସିଥିବା ପୁଲିସ୍ ଫୋନ୍ ଯାଞ୍ଚ୍ ରୁ ଜଣାପଡିଥିଲା । ଏହା ସହିତ କେସିଙ୍ଗାରୁ ଘରକୁ ଆସିଥିବା ସମ୍ପର୍କୀୟ ଯୁବକ ଅଭିଯୁକ୍ତ ସୁମିତ ବିହାରୀର କଥାବାର୍ତ୍ତାରେ ମିଛ ପାଇଁ ମାମୁଁଙ୍କର ସନ୍ଦେହ ହୋଇଥିଲା ।  ମାମୁଁଙ୍କ ସନ୍ଦେହକୁ ଆଧାର କରି ପୁଲିସ୍ ତଦନ୍ତରେ  ଶେଷରେ ମୃତ ବାଳକର ସମ୍ପର୍କୀୟ ଭାଇ କେସିଙ୍ଗାର  ଅଭିଯୁକ୍ତ ସୁମିତ ହିଁ ବାଳକଟିର ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ମୁଣ୍ଡରେ ପଥର ଛେଚି ବିକୃତ କରିଥିବା ଓ ଟିଟିଲାଗଡ ଶିକେର ରାସ୍ତାର ଏକ ନିଛାଟିଆ ସ୍ଥାନ ମାତୃ ଶିଶୁଯତ୍ନ ଡାକ୍ତରଖାନା ପାଖର ଏକ ନିର୍ମାଣାଧୀନ ମାଟିଖୋଳା ସ୍ଥାନରେ ମୃତଦେହକୁ ଲୁଚାଇ ଫିଙ୍ଗିଦେଇଥିବା ମାନିଥିଲା । ପୁଲିସ୍ ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରିବା ସହ ଅଭିଯକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ୧୦ ଲକ୍ଷ ଟଙ୍କା ପାଇଁ ଏପରି କରିଥିବା ପୁଲିସ୍ ଆଗରେ ସ୍ବୀକାର କରିଥିବା ପ୍ରକାଶ । ଟଙ୍କା ପାଇଁ ଏହି ବାଳକ ଅପହରଣ ଓ ହତ୍ୟା ଘଟଣା ଦୀର୍ଘ ୨୪ ବର୍ଷ ତଳେ ୧୯୯୮ ଡିସେମ୍ବର ୧୫ ତାରିଖରେ ଟିଟିଲାଗଡରେ ଘଟିଥିବା ବହୁଚର୍ଚ୍ଚିତ ବିକାଶ ଲାଠ ଅପହରଣ ଓ ହତ୍ୟାଘଟଣକୁ ମନେପକାଇଦେଇଛି । ଜଣେ ଔଷଧବ୍ୟବସାୟୀଙ୍କର ୧୨ ବର୍ଷର ପୁଅ ବିକାଶ ଲାଠକୁ ଅପହରଣ କରି ୭ ଲକ୍ଷ ଟଙ୍କା ଫୋନ୍ ରେ ଦାବି କରାଯାଇଥିଲା । ଶେଷରେ ବେଲଗାଁ ରାସ୍ତାରେ ଥିବା ଝାରଦେବନ୍ଧ ଶିବମନ୍ଦିର କୂଅରେ ହାତଗୋଡ ବନ୍ଧା ଅବସ୍ଥାରେ ପିଲାଟିର ଗଳିତ ମୃତଦେହକୁ ପୁଲିସ୍ ଉଦ୍ଧାର କରିଥିଲା । କିନ୍ତୁ  ସିବିଆଇ ଏହି ବହୁଚର୍ଚ୍ଚିତଜଘନ୍ୟ ହତ୍ୟାକାଣ୍ଡର ତଦନ୍ତ କରି ମଧ୍ୟ ଅଦ୍ୟାବଧି ହତ୍ୟାକାରୀଙ୍କର କୌଣସି ଟେର୍ ପାଇଲା ନାହିଁ । ଏହି ଘଟଣା ଟିଟିଲାଗଡର ଅପରାଧ ଇତିହାସରେ ଏକ କଳଙ୍କିତ ଘଟଣା ଓ ତଦନ୍ତକାରୀ ପୁଲିସ୍ ବା ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇର ଚରମ ବିଫଳତାର ନମୁନା ବୋଲି ଲୋକଙ୍କ ମନରେ ଛାପ ଛାଡିଯାଇଛି ।

Leave A Reply

Your email address will not be published.