ବଲାଙ୍ଗୀର : ( ମଳୟ ମିଶ୍ରଙ୍କ ରିପୋର୍ଟ ) ଗତ ମେ ୫ ତାରିଖରେ ପାଟଣାଗଡରୁ ୧୩ କିମି ଦୂର ଯୋଗୀମୁଣ୍ଡାରେ ଚାଲିଥିବା ୫ ଟି ଯୋଜନାର ‘ ମୋ ସ୍କୁଲ୍ ‘ ରୂପାନ୍ତରଣ କାମ ଦେଖିବାକୁ ଯାଇ ଦିବାଲୋକରେ ମୁଖ୍ୟ ରାସ୍ତାଉପରୁ ବନକାବିଅର ଛକରୁ ରହସ୍ୟଜନକ ଭାବେ ନିଖୋଜ୍ ଏବଂ ପରଦିନ ସେଠାରୁ ପ୍ରାୟ ୧ କିମି ଦୂର ପ୍ରାୟ ରାସ୍ତାଘାଟ ନଥିବା ଏକ ଡୁଙ୍ଗୁରିତଳର କପାକ୍ଷେତରୁ ମୋପେଡ୍ ସହିତ ମୃତଦେହକୁ ଉଦ୍ଧାର କରାଯାଇଥିବା ପାଟଣାଗଡ ବ୍ଲକ୍ ର ଜେଇ ସୁରେଶ ଚନ୍ଦ୍ର ସାହୁଙ୍କ ହତ୍ୟା ଅଭିଯୋଗ ମାମଲାକୁ ଗତ ୫ ତାରିଖରେ ମାସେ ଉପରେ ପୁରିଗଲାଣି । ସାଧାରଣତଃ ସେ ମିଥ୍ୟାବିଲ୍ କୁ ବିରୋଧ କରୁଥିବାରୁ ତାଙ୍କୁ ରାଜନୈତିକ ପୃଷ୍ଠପୋଷକତାରେ ରହିଥିବା ଠିକାଦାରମାନେ ହତ୍ୟାକରି ଦୂରରେ ନେଇ ଫିଙ୍ଗିଦେଇଥିବା ଅଞ୍ଚଳରେ ଯୋର୍ ସୋର୍ ଚର୍ଚ୍ଚା ହୋଇଆସୁଥିବାବେଳେ , ଏଭଳି ଅଭିଯୋଗ କରି ସ୍ଥାନୀୟ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ପାଞ୍ଚଦିନ ଆଗରୁ ବ୍ଲକ୍ ଓ ଥାନାରେ ବିକ୍ଷୋଭ ପ୍ରଦର୍ଶନ ସହ ଚେତାବନୀ କ୍ରମେ ଗତ ମେ ୨୩ ତାରିଖରେ ଏସଡିପିଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା । ଧାରଣାସ୍ଥଳୀରେ ଟେଣ୍ଟ୍ ପାଇଁ ପୁଲିସ୍ ଅନୁମତି ନଦେବାରୁ ପ୍ରାୟ ୪୫ ଡିଗ୍ରୀ ପ୍ରଚଣ୍ଡ ଖରାରେ ଥାନା ସାମ୍ନାରେ ଖୋଲାସ୍ଥାନରେ ଦିନଯାକ ବସିଥିବା ଆନ୍ଦୋଳନକାରୀଙ୍କ ମଧ୍ୟରୁ ୩ ଜଣ ଅଚେତ ହୋଇ ଡାକ୍ତରଖାନାରେ ଭର୍ତ୍ତି ମଧ୍ୟ ହୋଇଥିଲେ । ତେବେ ଏସପିଙ୍କୁ ଅପେକ୍ଷା କରି ଧାରଣାରେ ବସିଥିବା ଆନ୍ଦୋଳନକାରୀଙ୍କୁ ରାତି ୯ ଟାବେଳେ ବଲାଙ୍ଗୀରରୁ ଅତିରିକ୍ତ ଏସପି ଦିଲିପ ପଟେଲ ଯାଇ ଆଗାମୀ ୨ ମାସ ସମୟ ନେଇ ଏହି ହତ୍ୟା ରାତିରେ କରାଯାଇଛି ଓ ହତ୍ୟାକାରୀଙ୍କୁ ଗିରଫର ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହା ପୂର୍ବରୁ ବ୍ଲକ୍ ଜେଇ ସଂଘ ଓ ଜିଲ୍ଲା ଜେଇ ସଂଘ ତରଫରୁ ମଧ୍ୟ ଏସପିଙ୍କୁ ତଦନ୍ତ ନିମନ୍ତେ ଲିଖିତ ଭାବେ ଦାବି କରାଯାଇଥିଲା । ମୃତ ଜେଇଙ୍କର ଘରଲୋକେ ମଧ୍ୟ କଟକରୁ ଆସି ବଲାଙ୍ଗୀରରେ ଏସପିଙ୍କୁ ଭେଟି ଏହା ଏକ ମିଥ୍ୟାବିଲ୍ କରିବାକୁ ବିରୋଧ କରିବାରୁ କୌଣସି ଠିକାଦାରଙ୍କ ଦ୍ବାରା ହତ୍ୟାର ସନ୍ଦେହରେ ଏକ ଏତଲା ଦେଇଥିଲେ ।
ପାଟଣାଗଡ ଥାନାଧିକାରୀ ଛୁଟିରେ ଥିବାରୁ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ । ତେବେ ସେ ହଠାତ୍ ଦୀର୍ଘ ଛୁଟିରେ ଚାଲିଯାଇଥିବା ଓ ବ୍ଲକ୍ ରେ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଶେଷ ମୁହୂର୍ତ୍ତରେ ବାତିଲ୍ କରାଇ ବିଡିଓ ନୀଳମାଧବ ସୁନା ମଧ୍ୟ ଛୁଟିରେ ଚାଲିଯିବା ଲୋକଙ୍କ ମଧ୍ୟରେ ଭ୍ରୂକୁଞ୍ଚନ ସୃଷ୍ଟି କରିଥିଲା । ପୁଲିସ୍ ଥାନାକୁ କେତେକ ସନ୍ଦିଗ୍ଧ ଠିକାଦାର , ପଞ୍ଚାୟତ ଜିଆରଏସ , ସମିତିସଭ୍ୟ , ରାଜନେତାଙ୍କ ଡ୍ରାଇଭର ଓ ବ୍ୟକ୍ତିବିଶେଷଙ୍କୁ ଆଣି ପଚରାଉଚୁରା ପରେ ଛାଡିଦେଇଥିବା ଚର୍ଚ୍ଚା ହେଉଥିଲା । ପରେ ଥାନାଧିକାରୀ ଅନନ୍ତ ପ୍ରଧାନ ଛୁଟିରୁ ଫେରିବାରୁ ନୂଆକରି ତଦନ୍ତ କରୁଥିବା କୁହାଯାଇଥିଲା । ସବୁଠାରୁ ରହସ୍ୟଜନକ ଥିଲା , ଦିନ ପ୍ରାୟ ସାଢେ ୧୧ ଟାରୁ ୧୨ ଟା ମଧ୍ୟରେ ପାଟଣାଗଡ- ଯୋଗୀମୁଣ୍ଡା ମୁଖ୍ୟସଡକର ଏକ ଜନଗହଳ ଛକରୁ ନିଖୋଜ୍ କୁହା ଯାଉଥିବା ଉକ୍ତ ଜେଇଙ୍କର ମୋପେଡ୍ ଓ ମୃତଦେହ ସେଠାକୁ ପ୍ରାୟ ଗାଡି ଚଳାଚଳର ରାସ୍ତା ନଥିବା ସ୍ଥଳେ , କିପରି ବନକାବିଅର ଓ ଷୋଲବନ୍ଧ ନିକଟସ୍ଥ ଉକ୍ତ କପାକ୍ଷେତକୁ ଗଲା ? ମୃତ ଜେଇ ଜଣକ ପାଟଣାଗଡ ବ୍ଲକ୍ ର ଯୋଗୀମୁଣ୍ଡା , ଷୋଳବନ୍ଧ , ଧାତୁକ ଓ କିଛିଦୂରର ବନେଇମୁଣ୍ଡା ପଞ୍ଚାୟତର ଦାୟିତ୍ୱରେ ଥିଲେ । ସେଥିମଧ୍ୟରୁ ଯୋଗୀମୁଣ୍ଡା ଓ ବନେଇମୁଣ୍ଡାରେ ୫ଟି ଯୋଜନାରେ ସ୍କୁଲ୍ ରୂପାନ୍ତରଣ କାମ ଚାଲିଥିଲା । ବିନାଟେଣ୍ଡରରେ ଲକ୍ଷାଧିକ ଟଙ୍କାର ଏହି କାମ ବିଭାଗୀୟ ଜେଇ ବନାମ ତାଙ୍କ ନାମରେ ଥିବାବେଳେ , ପ୍ରକୃତରେ ରାଜନୈତିକ ସୁପାରିଶରେ ଏହିକୁ କେତେକ ସ୍ଥାନୀୟ ଠିକାଦାର କରୁଥିଲେ । ନିମ୍ନମାନର କାମ ଅଭିଯୋଗ ହେବାରୁ ଯୋଗୀମୁଣ୍ଡାରେ ହେଉଥିବା କାମର ୩ ଜଣ ଠିକାଦାରଙ୍କୁ କାମରୁ ଅନ୍ତର କରିଦିଆଯାଇଥିବା ଶୁଣାଯାଇଛି । ଆହୁରି ମଧ୍ୟ କମ୍ପ୍ୟୁଟର କାମ ଜାଣି ନଥିବାରୁ ଉକ୍ତ ଜେଇ ବିଲ୍ କରିପାରୁ ନଥିଲେ । ସେଥିପାଇଁ ବିଡିଓ ତାଙ୍କର ଦିନକର ଦରମା ମଧ୍ୟ ବନ୍ଦ କରିଥିବା , ଫୁଲ୍ ବିଲ୍ କରିଦେବାକୁ ପୂର୍ବଦିନ ତାଙ୍କ ବସାଘରକୁ ଯାଇ କେତେକ ଠିକାଦାର ପାଟିତୁଣ୍ଡ କରିଥିବା ଓ ଉକ୍ତ ଜେଇଙ୍କ ଠାରୁ କେତେକ ଠିକାଦାର ଦୁଇଲକ୍ଷ କୋଡିଏ ହଜାର ଟଙ୍କା ଉଧାର ନେଇ ଫେରାଉ ନଥିବା ଇତ୍ୟାଦି କଥା ଚର୍ଚ୍ଚା ହୋଇଆସୁଛି । ଏଣୁ ଏଥିରୁ କୌଣସି ଅସନ୍ତୋଷ ଏହାର କାରଣ ହୋଇପାରେ । ସେ ଯାହାହେଉ , ପୁଲିସ୍ ତାଙ୍କ ମୃତଦେହକୁ ବଲାଙ୍ଗୀର ନେଇ ବ୍ୟବଚ୍ଛେଦ କରାଇଛି ଓ ଅଦ୍ୟାବଧି ପୋଷ୍ଟମର୍ଟମ୍ ରିପୋର୍ଟ ଆସି ନଥିବା କୁହାଯାଇଛି । ଏଥିରେ ଶାସକଦଳର ସମର୍ଥିତ କେତେକ ଠିକାଦାର ସାମିଲ୍ ଥିବା ଓ କ୍ଷମତାଶାଳୀ ନେତାଙ୍କ ଚାପରେ ସେମାନଙ୍କୁ ସୁରକ୍ଷା ଦିଆଯାଉଥିବା ମୋର୍ଚ୍ଚା ଇଙ୍ଗିତ କରିଛି । ଏଣୁ ଏଥିରେ ଶାସକଦଳ ବଦନାମ ହେବାର ସମ୍ଭାବନା ରହିଛି ବୋଲି ବ୍ରଜରାଜନଗର ଉପନିର୍ବାଚନର ଫଳାଫଳ ଘୋଷଣାପରେ ହିଁ ଏହାର ଖୁଲାସା କରାଯିବ ବୋଲି ଚର୍ଚ୍ଚା ହେଉଛି ।
ତେବେ କିଛିଦିନ ଆଗରୁ ପାଟଣାଗଡ ବ୍ଲକ୍ ର ଦୁଇଜଣ ଜେଇ ସତ୍ୟ ନାରାୟଣ ତ୍ରିପାଠୀ ଓ ପ୍ରଭାତ ସେଠୀଙ୍କୁ ଡାକି ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ବଲାଙ୍ଗୀର ଏସପିଙ୍କୁ ତାଙ୍କ ସଂଘର ସଭାପତି ଓ ସମ୍ପାଦକଙ୍କ ସହ ଯାଇ ଭେଟିବାକୁ କହିଲେ । ଏହି ଅନୁଯାୟୀ , ଜିଲ୍ଲା ସଂଘ ସଭାପତି ଏ . ସୀମାଦ୍ରୀ ରାଓ , ସମ୍ପାଦକ ଡି . ବଳରାମ ପାତ୍ର ଓ ଜେଇ ସେଠୀ ଯାଇ ଏସପିଙ୍କୁ ଭେଟିବାରୁ ଏସପି ନୀତିନ କୁଶଳକର ସେମାନଙ୍କୁ ଏକ କାଗଜ ଦେଇ ‘ ଏହା ପୋଷ୍ଟମର୍ଟମ୍ ରିପୋର୍ଟ , ଦେଖନ୍ତୁ । ଏହା ଆସୋସିଏସନକୁ ଦିଆଯାଇ ପାରିବନାହିଁ ‘ କହି ଫେରାଇ ନେଇ ‘ ସେଦିନ ବହୁତ ଖରା ହେଉଥିଲା । ମୁଁ ସେଠାକୁ ଯାଇଛି । ସେଠାକୁ ସାଇକେଲ ଯିବାଭଳି ରାସ୍ତା ଅଛି , ମୋପେଡ୍ ଯାଇପାରିବ । ତାଙ୍କର ସେଇ ପାଖରେ ଏକ କାମସାଇଟ୍ ଥିଲା । ସେ ତାହା ଦେଖିବାକୁ ଯାଇଥିଲେ । ମୁଣ୍ଡ ବୁଲାଇ ପଡିଯାଇଥିବେ । ବ୍ରେନ୍ ଷ୍ଟ୍ରୋକ୍ ହେଇଥାଇପାରେ । ତଥାପି ଆମେ ଅଧିକ ତଦନ୍ତ ପାଇଁ ଆଉ ଏକ ଟିମ୍ କରିଛୁଁ ‘ ଇତ୍ୟାଦି କହିଥିବା ସହ ଏକଥା ତାଙ୍କ ଘରଲୋକଙ୍କୁ ଜଣାଇଦେବାକୁ କହିଥିବା ସେମାନଙ୍କ ସୂତ୍ରରୁ ପ୍ରକାଶ ।
ଉକ୍ତ ତଥାକଥିତ ପୋଷ୍ଟମର୍ଟମ୍ ରିପୋର୍ଟଟିରୁ ବିଶେଷ କିଛି ବୁଝି ପାରି ନଥିଲେ ବି ସଭାପତି ତାଙ୍କୁ ଏହା ଦେଖିବାକୁ ଦେବାରୁ ଶ୍ରୀ ସେଠୀ ସେଥିରେ ମୁଣ୍ଡ ଆଗରେ ଏକ ଆଘାତ ଥିବା ପଢିଥିବା ପ୍ରକାଶ କରିଛନ୍ତି ।
ଆହୁରି ମଧ୍ୟ ଏ ସମ୍ପର୍କରେ ସୂଚନା ପାଇ ପଚାରିବାରୁ ପାଟଣାଗଡର କେତେକ ସାମ୍ବାଦିକଙ୍କୁ ଏସଡିପିଓ ଶ୍ରୀ ଭୁକ୍ତା ‘ ଏହା ହେଇଥାଇପାରେ ବୋଲି ସାହେବ କହିଲେ । ଏ ଡାକ୍ତରଙ୍କ ରିପୋର୍ଟରୁ କିଛି ସ୍ପଷ୍ଟ ହେଇପାରୁନି ‘ ଇତ୍ୟାଦି ସଫେଇ ଦେଇଥିବା ପ୍ରକାଶ । ସେହିପରି ଥାନାଧିକାରୀ ଶ୍ରୀ ପ୍ରଧାନ କୋଶଳ ମୁକ୍ତ ମୋର୍ଚ୍ଚାର ଜଣେ ବରିଷ୍ଠନେତାଙ୍କୁ ‘ ମୁଣ୍ଡର ପଛପଟେ ଭିତରେ ଏକ ଆଘାତ ରହିଥିବା କହିଥିବା ଶୁଣାଯାଇଛି ।
କିନ୍ତୁ ଅଦ୍ୟାବଧି ଏ ବିଷୟରେ ସଂଘ ତରଫରୁ ନା ପୁଲିସ୍ ପକ୍ଷରୁ ତାଙ୍କ ଘରଲୋକଙ୍କୁ କେହି କିଛି ଜଣାଇ ନଥିବା ତାଙ୍କ ଘରଲୋକଙ୍କଠାରୁ ପ୍ରକାଶ ।
ତେଣୁ ଏଠି କଥାଉଠିବା ସ୍ବାଭାବିକ୍ ଯେ , ଯଦି ଏହା ମୃତ ଜେଇ ଜଣକ।ଅଂଶୁଘାତରେ ପଡିଯାଇ ମୁଣ୍ଡରେ ଆଘାତ ପାଇ ବା ବ୍ରେନ୍ ଷ୍ଟ୍ରୋକ୍ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ପୋଷ୍ଟମର୍ଟମ୍ ରିପୋର୍ଟରେ ଅସ୍ପଷ୍ଟ ଭିବରେ ହେଲେ ବି ରହିଛି , ତା’ହେଲେ ପୁଲିସ୍ ଅନ୍ୟ ଘଟଣା ପରି ପ୍ରେସ୍ ମିଟ୍ ଡାକି ଏକଥାକୁ ସ୍ପଷ୍ଟ କରିନାହିଁ କାହିଁକି ? ଆଉ ଅଧିକ ତଦନ୍ତର ଆବଶ୍ୟକତା ରହିଛି କି ? ପୁଲିସ୍ ବା ସଂଘ ପକ୍ଷରୁ ଏ ବିଷୟରେ ଅଦ୍ୟାବଧି ତାଙ୍କ ଘରଲୋକଙ୍କୁ ଜଣାଇଦିଆଯାଇନାହିଁ କାହିଁକି ? ଆହୁରି ମଧ୍ୟ ଦୁଇମାସ ସମୟର ଆଉ କଣ ଆବଶ୍ୟକତା ଅଛି ? ସର୍ବୋପରି ଆରମ୍ଭରୁ ଏହି ବହୁଚର୍ଚ୍ଚିତ ନରହତ୍ୟା ମାମଲା ବା ଜଣେ ସରକାରୀ ଯନ୍ତ୍ରୀଙ୍କର ସନ୍ଦିଗ୍ଧ ହତ୍ୟା ଅଭିଯୋଗ ମାମଲାରେ କେତେକ ସନ୍ଦେହଜନକ କାର୍ଯ୍ୟକଳାପ ଓ ଖାମଖିଆଲି ବିବୃତିର ଅବକାଶ ରହିଥିଲା କିଆଁ ? ପୋଷ୍ଟମର୍ଟମ୍ ରିପୋର୍ଟରେ ପ୍ରକୃତରେ ଅଛି କ’ଣ ? ଏହାର ପୁଲିସ୍ ଖୁଲାସା କରୁନାହିଁ କାହିଁକି ?
ତେବେ ବିଧିବଦ୍ଧ ଭାବେ ଏସମ୍ପର୍କରେ ପୁଲିସ୍ ମୁହଁ ଖୋଲୁନାହିଁ ।
ଜଣାଯାଇଛି ଯେ , ଆଗାମୀ ୧୧ ଓ ୧୨ ତାରିଖରେ ତାଙ୍କ ରାଜ୍ୟ ସଂଘର ପ୍ଲାଟିନମ୍ ଜୁବୁଲି ଭୁବନେଶ୍ବରରେ ଅନୁଷ୍ଠିତ ହେବ ଓ ଏହାକୁ ମୁଖ୍ୟମନ୍ତ୍ରୀ ଉଦ୍ ଘାଟନ କରିବେ । ସେଠାରେ ଏହି ବିଷୟରେ ଉପସ୍ଥାପନ କରାଯିବାର ଜିଲ୍ଲା ସଭାପତି ଶ୍ରୀ ଦୋରାଙ୍କ ଠାରୁ ସୂଚନା ମିଳିଛି । ଦେଖାଯାଉ , ଏହୀ ଚର୍ଚ୍ଚିତ ଚାଞ୍ଚଲ୍ୟକର ନରହତ୍ୟା ଅଭିଯୋଗମାମଲାଟିର ରହସ୍ୟ କେବେ ଖୋଲିବ ?