ପଠାନ ଚଳଚିତ୍ରକୁ କଡା ବିରୋଧ କରିବ କଳିଙ୍ଗସେନା

ଅଶୋକା ଠାରୁ ପଠାନ ପର୍ଯ୍ୟନ୍ତ ସବୁଥିରେ ଶାହାରୁଖ ବିବାଦୀୟ
ଭୁବନେଶ୍ୱର: ବିବାଦୀୟ ଅଭିନେତା ଶାହାରୁଖ ଖାନ୍‌ଙ୍କ ଅପସଂସ୍କୃତି ସମ୍ପନ୍ନ ଚଳଚିତ୍ର ପଠାନ୍‌କୁ ଓଡିଶା ମାଟିରେ ପ୍ରଦର୍ଶନର ସୁଯୋଗ ଦିଆଯିବ ନାହିଁ । ପଠାନ ହେଉଛି ଭାରତୀୟ ସଂସ୍କୃତି ଓ ପରମ୍ପରାର ବିରୋଧି । ଯଦି କୌଣସି ପ୍ରେକ୍ଷାଳୟ ଏହାକୁ ଦେଖାଇବାକୁ ଦୁଃସାହସ କରନ୍ତି ତେବେ କଳିଙ୍ଗ ସେନା ପକ୍ଷରୁ କଡା ବିରୋଧ କରାଯିବ ବୋଲି ସେନା ସୁପ୍ରିମୋ ହେମନ୍ତ ରଥ କହିଛନ୍ତି । ଶ୍ରୀ ରଥ ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ କଳିଙ୍ଗ ଯୁଦ୍ଧ ଉପରେ ହୋଇଥିବା ହିନ୍ଦୀ ଚଳଚିତ୍ର ଅଶୋକା ଠାରୁ ଆରମ୍ଭ କରି ପଠାନ ପର୍ଯ୍ୟନ୍ତ ବିଭିନ୍ନ ଚଳଚିତ୍ରରେ ଶାହାରୁଖ ଖାନ୍ ଭାରତର ସଂସ୍କୃତିକୁ ଦଳି ମକଚି ନଷ୍ଟ କରିଛନ୍ତି । ଅଶୋକା ଚଳଚିତ୍ରରେ ଓଡିଶା ଇତିହାସକୁ ମଧ୍ୟ ସେ ବିକୃତ କରିଥିଲେ । ସେତେବେଳେ ଏହାକୁ ଘୋର ବିରୋଧ କରି ଓଡିଶାରେ କଳିଙ୍ଗ ସେନା ଏହି ଚଳଚ୍ଚିତ୍ରକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲା । କଳିଙ୍ଗର ଇତିହାସକୁ ବିକୃତ କରିବା ସହିତ ଓଡ଼ିଶାର ନାରୀ ଜାତିଙ୍କୁ ଅପମାନିତ ଅସମ୍ମାନିତ ମଧ୍ୟ କରିଥିଲା । ଏହି ‘ଅଶୋକା’ ଚଳଚ୍ଚିତ୍ର ମାଧ୍ୟମରେ ସମଗ୍ର ଓଡ଼ିଶାକୁ ସେତେବେଳେ ଶାହରୁଖ୍ ଖାନ୍ ନିନ୍ଦିତ କରାଇଥିଲେ । ବର୍ତ୍ତର୍ମାନ ଶାହରୁଖ୍ ଖାନ୍ ପଠାନ ଚଳଚିତ୍ର ମାଧ୍ୟମରେ ସମଗ୍ର ଭାରତବର୍ଷକୁ ବିଶ୍ୱରେ ନିନ୍ଦିତ କରାଇବାକୁ ଯାଉଛନ୍ତି । ଏବେ ପଠାନ୍ ଚଳଚ୍ଚିତ୍ରରେ ଯେଭଳି ସେ ଭାରତୀୟ ସଂସ୍କୃତିକୁ ନଷ୍ଟ କରୁଛନ୍ତି ଓ ଅଙ୍ଗ ପ୍ରଦର୍ଶନକୁ ପ୍ରାଧାନ୍ୟ ଦେଇଛନ୍ତି ତାହାକୁ ବରଦାସ୍ତ କରାଯିବ ନାହିଁ । ଏହି ଚଳଚିତ୍ର ଓଡିଶାରେ ପ୍ରଦର୍ଶିତ ହେଲେ ତାହା ସଂସ୍କୃତି ସମ୍ପନ୍ନ ରାଜ୍ୟ ଓଡିଶାରେ ଖରାପ ପ୍ରଭାବ ପକାଇବ । ଏହାଦ୍ୱାରା ରାଜ୍ୟ ତଥା ଦେଶର ଭବିଷ୍ୟତ ପୀଢି କୁପଥରେ ଯିବେ ବୋଲି ଶ୍ରୀ ରଥ କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଓଡିଶାରେ କୌଣସି ମତେ ପଠାନ ଚଳଚିତ୍ରକୁ ପ୍ରଦର୍ଶନ ସୁଯୋଗ ଦିଆଯିବ ନାହିଁ । ଏହି ଚଳଚିତ୍ରକୁ ନିଜ ନିଜ ପ୍ରେକ୍ଷାଳୟରେ ପ୍ରଦର୍ଶନ ନକରିବାପାଇଁ ଶ୍ରୀ ରଥ ଫିଲ୍ମ ହଲ ମାଲିକମାନଙ୍କୁ ଅନୁରୋଧ କରିଛନ୍ତି । ଏହାବାଦ୍ ଯଦି କେହି ଚଳଚିତ୍ରକୁ କେହି ପ୍ରଦର୍ଶନ କରନ୍ତି ତେବେ କଳିଙ୍ଗ ସୈନିକମାନେ ଏହାର ଦୃଢ ଜବାବ ଦେବେ ବୋଲି ଶ୍ରୀ ରଥ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.