ସର୍ଚ୍ଚ ଅପରେସନ ବେଳେ ଗୁଳି ମାଡ଼ ସହ ବିସ୍ଫୋରଣ କରିଛନ୍ତି ଆତଙ୍କବାଦୀ। ଏହାର ଜବାବ ମଧ୍ୟ ସେନା ପକ୍ଷରୁ ଦିଆଯାଇଛି। ହେଲେ ଏହି ଗୁଳି ବିନିମୟ ଓ ବିସ୍ଫୋରଣରେ ୫ ଜଣ ଯବାନ ସହିଦ ହୋଇଥିବା ବେଳେ ଆଉ ଜଣେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ପ୍ରଥମେ ଆତଙ୍କୀଙ୍କ ଗୁଳି ମାଡ଼ରେ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଆହତ ହୋଇଥିବାର ରିପୋର୍ଟ ଆସିଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣ ବୀର ଯବାନ ଆଖି ବୁଜିଛନ୍ତି। ଏହାକୁ ମିଶାଇ ଜମ୍ମୁ-କଶ୍ମୀରରେ ଗଲା ୩ ଦିନରେ ତୃତୀୟ ଥର ପାଇଁ ଏପରି ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି।
ରଜୌରୀ ସେକ୍ଟରର କାଣ୍ଡି ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏମାନେ ନିକଟରେ ପୁଞ୍ଚରେ ହୋଇଥିବା ଆତଙ୍କୀ ହମଲାରେ ସାମିଲ ଥିବା ଏହି ସୂଚନାରେ କୁହାଯାଇଥିଲା। ଏହାପରେ ସକାଳ ପ୍ରାୟ ୭.୩୦ ସେନା ଓ ପୁଲିସ୍ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା। ସ୍ଥାନୀୟ ଅଞ୍ଚଳରେ ଥିବା ଗୋଟିଏ ସୁଡ଼ଙ୍ଗରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିଥିଲା। ତେବେ ଉକ୍ତ ଅଞ୍ଚଳଟି ପାହାଡ଼ିଆ ବଣ ଜଙ୍ଗଲ ମଧ୍ୟରେ ଥିବାରୁ ସୁରକ୍ଷାକର୍ମୀଙ୍କୁ ଅପରେସନ ପାଇଁ ବେଶ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା।